ପୁଣି ଚର୍ଚ୍ଚାରେ କାଲିମେଳା ଡାକ୍ତରଖାନା: ଡାକ୍ତରଙ୍କ ବିରୋଧରେ ଡାକ୍ତରଙ୍କ ଧାରଣା

Advertisment
ପୁଣି ଚର୍ଚ୍ଚାରେ କାଲିମେଳା ଡାକ୍ତରଖାନା: ଡାକ୍ତରଙ୍କ ବିରୋଧରେ ଡାକ୍ତରଙ୍କ ଧାରଣା

କାଲିମେଳା: ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନା। ଜଣେ ଡାକ୍ତର ବାରମ୍ବାର ଖରାପ ବ୍ୟବହାର କରିବା ସହ ବଦଳି କରିଦେବାକୁ ଧମକ ଦେବାରୁ ଆଜି ୩ଜଣ ଜୁନିଅର ଡାକ୍ତର ଓ ଅନ୍ୟ କର୍ମଚାରୀ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଛନ୍ତି। କାଲିମେଳା ମେଡିକାଲର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପ୍ରତିବାଦ ଜଣାଇଛନ୍ତି।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସ ୨୧ତାରିଖ ଦିନ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକ ଡାକ୍ତର ଦେବଦାସ ସାମନ୍ତରାୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଇଥିଲେ। ଏସଂପର୍କରେ ଡାକ୍ତର ସାମନ୍ତରାୟ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି ନର୍ସିଂ ଅଫିସର ସନାତନ ରାୟଙ୍କ ଅଭିଯୋଗ ମଧ୍ୟ ସାଂଘାତିକ। ତାଙ୍କର ଅଭିଯୋଗ ଅନୁସାରେ, ଡାକ୍ତର ମଲ୍ଲିକ ରୋଗୀଙ୍କୁ ଡାକ୍ତରଖାନାରୁ ଔଷଧ ଦେବା ବଦଳରେ ବାହାରୁ ହଜାର ହଜାର ଟଙ୍କାର ଔଷଧ କିଣିବାକୁ ବାଧ୍ୟ କରିଥାନ୍ତି। ଏହାର ପ୍ରତିବାଦ କଲେ ଓଲଟା ଗାଳିଗୁଲଜ କରିବା ସହିତ ଘାଟି ଉପରକୁ ବଦଳି କରିଦେବାକୁ ଧମକ ଦେଉଛନ୍ତି। ନର୍ସମାନଙ୍କୁ ମଧ୍ୟ ଡାକ୍ତର ମଲ୍ଲିକ ଖରାପ ବ୍ୟବହାର କରୁଥିବା ଅଭିଯୋଗ କରି ଆଜି ଡାକ୍ତରମାନେ ଏବଂ ଅନ୍ୟ କର୍ମଚାରୀ ଧାରଣା ଦେଇଥିଲେ।

କାଲିମେଳା ଡାକ୍ତରଖାନା ଇନ୍‌ଚାର୍ଜ ଡାକ୍ତର ଆବିଦ ହୁସେନ ଖାନ କିଛି ଦିନ ପାଇଁ ଛୁଟିରେ ଯାଇଥିବା ବେଳେ ଡାକ୍ତର ମଲ୍ଲିକ ଦାୟିତ୍ବରେ ରହିଥିଲେ। ଏହାର ସୁଯୋଗ ନେଇ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଡାକ୍ତର ଓ କର୍ମଚାରୀଙ୍କୁ ଗତକାଲି ରାତିରେ ତରବରିଆ ଭାବେ ଅନ୍ୟତ୍ର ବଦଳି ସହ ରିଲିଭ୍ କରିଦେଇଥିବା ସୂଚନା ମିଳିଛି। ଯାହା ଅନ୍ୟ ଡାକ୍ତର ଏବଂ କର୍ମଚାରୀଙ୍କୁ ତତାଇ ଦେଇଛି। ବର୍ତ୍ତମାନ ବିବାଦ ବିସ୍ଫୋରକ ରୂପ ନେଇଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଡାକ୍ତର ମଲ୍ଲିକ ଜଣେ ଛାତ୍ରୀଙ୍କୁ ଡାକ୍ତରଖାନାରେ ମାଡ଼ ମାରି ପୂର୍ବରୁ ନିଲମ୍ବିତ ହୋଇଥିଲେ। ଆଜି ଡାକ୍ତରମାନେ ଧାରଣା ଦେବାରୁ ସେ ପୁଣି ବିବାଦୀୟ ହୋଇଛନ୍ତି। ଏସଂପର୍କରେ ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଏବଂ ପ୍ରଶାସନର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe