କଳିଙ୍ଗା ଘାଟିରୁ ଅତଡ଼ା ଧସିବା ଘଟଣା: ପୁନରୁଦ୍ଧାର ଆରମ୍ଭ, ଘାଟି ସିଲ୍‌

କଳିଙ୍ଗା ଘାଟିରେ ଗତକାଲି ବଡ଼ ଭୂସ୍ଖଳନ ଓ ଅତଡ଼ା ଖସିବା ଯୋଗୁ ଗଞ୍ଜାମ-କନ୍ଧମାଳ ସହ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ଆଜି ଜାତୀୟ....

Untitled-4

ଘୁ.ଉଦୟଗିରି/ଭଞ୍ଜନଗର: କଳିଙ୍ଗା ଘାଟିରେ ଗତକାଲି ବଡ଼ ଭୂସ୍ଖଳନ ଓ ଅତଡ଼ା ଖସିବା ଯୋଗୁ ଗଞ୍ଜାମ-କନ୍ଧମାଳ ସହ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ଆଜି ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତାର ପୁନରୁଦ୍ଧାର ଓ ମାଟି ଅତଡ଼ା ହଟାଇବା କାମକୁ ଜୋର୍‌ଦାର କରାଯାଇଛି। ବୁଧବାର ସକାଳେ ୧୫୭ ନମ୍ବର ଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବିଭାଗ ପକ୍ଷରୁ ପୋକଲେନ୍ ମେସିନ୍ ଦ୍ବାରା ରାସ୍ତାର ଉଭୟ ପଟେ ଜମା ହୋଇ ରହିଥିବା ପଥରକୁ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ଜେସିବି ଦ୍ବାରା ଘାଟି ତଳ ପର୍ଯ୍ୟନ୍ତ ପଡ଼ିଥିବା ଛୋଟବଡ଼ ପଥରକୁ ବାହାର କରାଯାଉଛି। ୨ରୁ ୩ ଦିନ ମଧ୍ୟରେ ଉଭୟପଟକୁ ସଂଯୋଗ ପାଇଁ ରାସ୍ତା ସଫା କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ରାସ୍ତା ଖୋଲିଲେ ବି ତାହା ଏବେ ଯାତାୟାତ ପାଇଁ ବ୍ୟବହାର ହୋଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ବଲପୁର ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶାନ୍ତନୁ ସାହୁ ଓ ଚିଫ୍‌ କନ୍‌ଷ୍ଟ୍ରକ୍ସନ୍‌ ଇଞ୍ଜିନିୟର ବଙ୍କିମଚନ୍ଦ୍ର ପଣ୍ଡା ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚିଫ୍‌ କନଷ୍ଟ୍ରକ୍ସନ୍‌ ଇଞ୍ଜିନିୟର ବଙ୍କିମ ଚନ୍ଦ୍ର ପଣ୍ଡା କହିଛନ୍ତି, ପ୍ରଥମେ ଅସ୍ଥାୟୀ ପାଇପ୍ କଲଭର୍ଟ ପ୍ରସ୍ତୁତ କରାଯିବା ପରେ ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ହେବ। ବର୍ଷା କମିଲେ ଓ ଝରପାଣି ହ୍ରାସ ପରେ ପୁଣି ତଦାରଖ କରି କାମକୁ ଆଗକୁ ବଢ଼ାଯିବ। ଆବଶ୍ୟକ ସମସ୍ତ ମେସିନ୍, ସାମଗ୍ରୀ ଓ ସରଞ୍ଜାମ ମହଜୁଦ୍‌ ଥିବାରୁ ଯଥାଶୀଘ୍ର କାମ ଶେଷ କରିବାକୁ ଯୋଜନା ରହିଛି।  କିନ୍ତୁ ବର୍ଷା ହେଉଥିବାରୁ ୩୦ ଫୁଟ ତଳୁ କାମ କରିବା ଅସମ୍ଭବ। ବର୍ଷା କମିଲେ ସମସ୍ତ ଯାଞ୍ଚ ଓ ଆକଳନ ପରେ ଦୀର୍ଘକାଳୀନ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଗତକାଲି ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ପୁଣି ମାଟି ଅତଡ଼ା ଖସିବା ଭୟ ଲାଗି ରହିଥିଲା। ଆଜି ସକାଳୁ ପାଗ ଅନୁକୂଳ ହେବା ପରେ ମାଟି ଅତଡ଼ା ବାହାର କରିବା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।

ଅନ୍ୟପକ୍ଷରେ ଘାଟିରେ ବର୍ତ୍ତମାନ ଯାନବାହନ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସୁରକ୍ଷା ପାଇଁ ଘୁ.ଉଦୟଗିରି ପୁଲିସ ଓ ଭଞ୍ଜନଗର ପୁଲିସ ପକ୍ଷରୁ ଘେରାବନ୍ଦୀ କରାଯାଇଛି। ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ତଥାପି ଆଜି ସକାଳେ କିଛି ଲୋକ ବିପଜ୍ଜନକ ଭାବେ ଭୂସ୍ଖଳନ ଦୃଶ୍ୟ ଦେଖିବାକୁ ଆସିଥିବା ବେଳେ ପୁଲିସ ସେମାନଙ୍କୁ ଘଉଡ଼ାଇଥିଲା। ଗତକାଲି ଅପରାହ୍ଣ ୪ଟାରୁ କନ୍ଧମାଳ ଜିଲ୍ଲା ସହ ବ୍ରହ୍ମପୁର ଓ ଭଞ୍ଜନଗର ମଧ୍ୟରେ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଞ୍ଜାମରୁ କନ୍ଧମାଳର ଘୁ.ଉଦୟଗିରି, ରାଇକିଆ ଓ ବାଲିଗୁଡ଼ା ଅଞ୍ଚଳକୁ ଗାଲେରୀ ବଦାଙ୍ଗି ଭାୟା ଚକାପାଦ ଦେଇ ଯାନବାହନ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe