ଦାନଗଦି : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆସନ୍ତାକାଲି ୧୨ ବର୍ଷ ଛୁଇଁବ। ଏହି ଘଟଣାର ପ୍ରତିବାଦରେ ଆଦିବାସୀ ଓ ବିସ୍ଥାପନ ବିରୋଧୀମାନେ ଏବର୍ଷ ମଧ୍ୟ ଶୋଭାଯାତ୍ରାରେ ବାହାରି ମୃତ ଆଦିବାସୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବେ। ଏଥିପାଇଁ ଏହାର ନେତୃତ୍ୱ ନେଉଥିବା ସଂଗଠନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ, ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଉଲ୍ଲେଖ ଯେ, ୨୦୦୬ ମସିହା ଜାନୁଆରି ୨ ତାରିଖରେ କଳିଙ୍ଗନଗରଠାରେ ୧୨ ଜଣ ବିସ୍ଥାପନ ବିରୋଧୀ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିଲେ। ସେହିବର୍ଷଠାରୁ ପ୍ରତିବର୍ଷ ଆଦିବାସୀ ତଥା ବିସ୍ଥାପନ ବିରୋଧୀମାନେ ଏହିଦିନ ଏକାଠି ହୋଇ ଗୁଳିକାଣ୍ଡ ଘଟଣାର ପ୍ରତିବାଦ କରି ଆସୁଛି। ଏବଂ ନିହତ ଆଦିବାସୀଙ୍କୁ ସହିଦ୍ ବୋଲି ଆଖ୍ୟା ଦେଇ ଆସୁଛି। ଚଳିତବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତାକାଲି ସକାଳେ ଏକ ଶୋଭାଯାତ୍ରା ବାହାରି ସହିଦଙ୍କ ସ୍ମୃତିସ୍ତମ୍ଭ ବୀରଭୂମିଠାରେ ପହଞ୍ଚିବା ପରେ ସହିଦ୍ମାନଙ୍କୁ ସଲାମ୍ ଦିଆଯିବ। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଡେମୋକ୍ରାଟିକ୍ ପାର୍ଟିର ଓଡ଼ିଶା ସଂଯୋଜକ ଅବଦୁଲ୍ ୱାଲି, ସମାଜସେବୀ ନଟବର ଷଡ଼ଙ୍ଗୀ, ଜଗନ୍ନାଥ ଜାମୁଦା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିସ୍ଥାପନ ବିରୋଧୀ ମଞ୍ଚ ପକ୍ଷରୁ କୁହାଯାଇଛି।
Follow Us