କଳିଙ୍ଗନଗର ପରିବେଶ ଧ୍ବଂସମୁଖରେ, ପ୍ରଦୂଷଣ ନିୟନ୍ତ୍ରଣ ଲଗାମଛଡ଼ା

Advertisment
କଳିଙ୍ଗନଗର ପରିବେଶ ଧ୍ବଂସମୁଖରେ, ପ୍ରଦୂଷଣ ନିୟନ୍ତ୍ରଣ ଲଗାମଛଡ଼ା

OrissaPOST

ଦାନଗଦୀ(ପ୍ରଦୀପ କୁମାର ଜେନା): ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଗଢ଼ିଉଠିଛି ମାଳମାଳ ଶିଳ୍ପ କାରଖାନା। ଚିନ୍ତା ବଢ଼ାଇଛି ପ୍ରଦୂଷଣ। କିଛି ଦିନ ତଳେ ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭାବେ ରାଜ୍ୟର କଟକ, ଭୁବନେଶ୍ବର, ଅନୁଗୁଳ, ତାଳଚେର, ବାଲେଶ୍ବର, ରାଉରକେଲା ଓ କଳିଙ୍ଗନଗର ଶିଳ୍ପା‌ଞ୍ଚଳକୁ ଘୋଷଣା କରାଯାଇଛି। କଳିଙ୍ଗନଗର ଶିଳ୍ପା‌ଞ୍ଚଳରେ ସର୍ବାଧିକ ବାୟୁ ପ୍ରଦୂଷଣ ହେଉଛି। ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସର୍ବାଧିକ ରହିଥିବା ବେଳେ ସେଠାରେ ବାୟୁରେ ରହୁଥିବା ଧୂଳିକଣା ପରି କଳିଙ୍ଗନଗର ଶିଳ୍ପାଞ୍ଚ‌ଳ ଏବଂ ଆଖପାଖ ଅଞ୍ଚଳରେ ବାୟୁର ମାତ୍ରାଧିକ ଧୂଳିକଣା ଚିହ୍ନଟ ହୋଇଥିବା ସର୍ଭେରୁ ଜଣାପଡ଼ିଛି।

ପରିବେଶ ଅନୁଧ୍ୟାନକାରୀ ସଂସ୍ଥା ଡ୍ରିମ୍ ପିସ୍‌ କଳିଙ୍ଗନଗରକୁ ଦେଶର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭାବେ କିଛି ଦିନ ପୂର୍ବେ ଘୋଷଣା କରିଥିଲା। ଦେଶର ୧୦୦ଟି ପ୍ରଦୂଷିତ ଅଞ୍ଚଳ ମଧ୍ୟରେ କଳିଙ୍ଗନଗର ରହିଥିବାରୁ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ବଢ଼ାଉଛି। ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚ‌ଳ ପାଇଁ ଜିଲ୍ଲାବାସୀ ପ୍ରଦୂଷଣରେ ସନ୍ତୁଳି ହେଉଛନ୍ତି। ଶିଳ୍ପଗୁଡ଼ିକର ଚିମନିରୁ ବାହାରୁଥିବା କଳାଧୂଆଁ, ପବନରେ ଉଡୁଥିବା କୋଇଲା ଗୁଣ୍ତ ଫ୍ଲାଏ ଆସ୍‌  ସହିତ ଉତ୍ପାଦନରେ ବିନିଯୋଗ ପାଇଁ ଆସୁଥିବା ଖଣିଜଗୁଣ୍ତ, ଉତ୍ପାଦନ ପରେ କାରଖାନାରୁ ବାହାରୁଥିବା ବର୍ଜ୍ୟ ଜଳ, କେମିକାଲ ମିଶ୍ରିତ ପାଣି, ଶିଳ୍ପା‌ଞ୍ଚଳ ଅଧିବାସୀଙ୍କୁ ଅଣନିଶ୍ବାସୀ କରୁଛି।

ପରିବେଶ ସନ୍ତୁଳନ ରକ୍ଷା ପାଇଁ ମାଷ୍ଟର ପ୍ଲାନ ନଥାଇ ୧୪ରୁ ଅଧିକ ବୃହତ୍‌ ଓ ମଧ୍ୟମ ଶିଳ୍ପ ଏବଂ ତା’ ସହିତ ବହୁ ସଂଖ୍ୟକ ଡାଉନ ଷ୍ଟ୍ରିମ୍ ଇଣ୍ତଷ୍ଟ୍ରି ଓ ବିଶେଷକରି ସିମେଣ୍ଟ କାରଖାନା ଉତ୍ପାଦନ ଆରମ୍ଭ କରିଥିବାରୁ ପରିବେଶ ଉତ୍କଟ ରୂପ ଧାରଣ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ପ୍ରଦୂଷଣ ପଛରେ କେଉଁ କାରଣ ରହିଛି?  କିପରି ସାମଗ୍ରିକ ଭାବେ ତୃଣମୂଳସ୍ତରରେ ଏହା ଉପରେ ଅଙ୍କୁଶ ଲାଗିବ। ସେନେଇ ଆବଶ୍ୟକ ପଦକ୍ଷେପ ପ୍ରଦୂଷଣ ବିଭାଗ ଗ୍ରହଣ କରୁନଥିବା ପରିବେଶବିତ୍‌ମାନେ ଦୋଷାରୋପ କରୁଛନ୍ତି। କେବଳ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କିଛି କରୁନଥିବାରୁ ଗଳା ବାଟରେ ଶିଳ୍ପାନୁଷ୍ଠାନଗୁଡ଼ିକ ପରିବେଶକୁ ବିପଦମୁହଁକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।

ଶିଳ୍ପା‌ଞ୍ଚଳର ସର୍ବାଧିକ ପ୍ରଦୂଷିତ ପଞ୍ଚାୟତ ମଧ୍ୟରେ ଧୂଳିଗଡ଼, ଯଖପୁରା, ମାନତୀରା, ପଙ୍କପାଳ, ବାରାଗଡ଼ିଆ, ସାରଙ୍ଗପୁର, ଚାନ୍ଦିଆ ରହିଛି। ଧୂଳିଗଡ଼ ପଞ୍ଚାୟତରେ ମାନପୁର ରେଳ ସାଇଡ଼ିଂ ପାଇଁ ତିନି/ଚାରିଟି ସାହିରେ ଗତ ଦୁଇ- ତିନିବର୍ଷ ମଧ୍ୟରେ ଅନେକ ଲୋକ କିଡନି ତଥା ଅନ୍ୟାନ୍ୟ ରୋଗରେ ମୃତ୍ୟୁମୁଖରେ ପଡ଼ିଲେଣି ବୋଲି ଗ୍ରାମବାସୀ ଦାବି କରନ୍ତି। ଶିଳ୍ପା‌ଞ୍ଚଳରେ ଏବେ ମଧ୍ୟମ ଓ ବୃହତ୍‌ ଦଶଟି କାରଖାନା ଉତ୍ପାଦନ ଜାରି ରଖିଛନ୍ତି। ଦୁଇ/ତିନିଟି କାରଖାନାକୁ ଛାଡ଼ିଦେଲେ କୌଣସି କାରଖାନାରେ କଠିନ ଓ କିମ୍ବା ତରଳ ବର୍ଜ୍ୟ ପରିଚାଳନା ଠିକ୍ ଭାବେ ହେଉନଥିବା ଅଭିଯୋଗ ହେଉଛି। ସମସ୍ତ କାରଖାନା ଧୂଳିଧୂଆଁ ପ୍ରଦୂଷଣକୁ ରୋକିବାକୁ ଇଏସଟି ଏବଂ ବ୍ୟାକ୍ ଫିଲଟର୍ ଲଗାଇବା ବାଧ୍ୟତାମୂଳକ କରାଯାଉଛି।

ଅଧିକାଂଶ କାରଖାନା ବିଦ୍ୟୁତ୍‌ ବିଲ୍‌କୁ ବଞ୍ଚାଇବା ପାଇଁ ଏହାକୁ ନିୟମିତ ବ୍ୟବହାର କରୁନାହାନ୍ତି। ଫଳରେ ପ୍ରତ୍ୟେକ ଛୁଟିଦିନରେ ଶିଳ୍ପାଞ୍ଚଳ ଆକାଶକୁ କଳା ଧୂଆଁ ଆଚ୍ଛାଦିତ କରୁଛି। ଜଳ ପ୍ରଦୂଷଣକୁ ନିୟନ୍ତ୍ରିତ କରିବା ପାଇଁ କାରଖାନାରେ ଇଟିପି ଲାଗିଥିଲେ ମଧ୍ୟ ନିୟମିତ ଭାବେ ତରଳ ବର୍ଜ୍ୟ ଗଣ୍ତାନାଳରେ ମିଶିବା ଦ୍ବାରା ପାଣି ବିଷାକ୍ତ ହୋଇଯାଇଛି। ସେଥିରେ ଗାଧୋଉଥିବା ଲୋକ ଚର୍ମରୋଗରେ ପୀଡ଼ିତ ହେଉଛନ୍ତି। ବିଶେଷକରି ମାନପୁର ରେଳସାଇଡ଼ିଂ ପ୍ରଦୂଷଣ ସମସ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କିଡ଼ନି, ଯକ୍ଷ୍ମା, ଚର୍ମରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସାରଙ୍ଗପୁର, ହାଟିଂବାସୀ ପ୍ରଦୂଷଣରେ ଅସ୍ତବ୍ୟସ୍ତ ହେଉଥିଲେ ମଧ୍ୟ ବିସ୍ଥାପନ ପାଇଁ ଚାହିଁ ବସିଛନ୍ତି। ସେହିପରି କୁଡୁମିସାହି, କଚେରି ଗାଁ, ଅରାସାହି, ଟାଙ୍ଗରସାହିରେ ବସବାସ କରୁଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ପରିବାର କାରଖାନାର ଧୂଳିଧୂଆଁରେ ଅଣନିଶ୍ବାସୀ ହୋଇପଡ଼ିଲେ। ବାରମ୍ବାର ପ୍ରଶାସନକୁ ଗୁହାରି କରି ବିସ୍ଥାପିତ ହେବାକୁ ଚାହୁଁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହାନ୍ତି। ସେହିପରି ବାରାଗଡ଼ିଆ ହରିଜନ ସାହି ପ୍ରାୟ ୭୦ରୁ ୮୦ ପରିବାର ପ୍ରଦୂଷଣଜନିତ ସମସ୍ୟାରେ ଛଟପଟ ହୋଇ ଡ଼ୁବୁରି ମିଲାଟାରି ଛକ ରାସ୍ତାକୁ ବାରମ୍ବାର ଅବରୋଧ କରି ବିସ୍ଥାପନ ପାଇଁ ଚାହିଁ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। କଳିଙ୍ଗନଗର ଶିଳ୍ପା‌ଞ୍ଚଳରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷଣ ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe