କଟକ ବଡ଼ ମେଡିକାଲରେ ଭର୍ତ୍ତିହେଲେ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କଟକ ବଡ଼ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ କମଳା ପୂଜାରୀ

ଜୟପୁର : ବିରଳ ଧାନ ବିହନର ସଂରକ୍ଷକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଅଗ୍ରଣୀ ଆଦିବାସୀ ମହିଳା ଚାଷୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବୁଧବାର ଦିନ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଡ୍‌ନି ଜନିତ ସମସ୍ୟାର ଚିକିତ୍ସା ପାଇଁ ବିଭିନ୍ନ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା ସେଠାରେ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଟ୍ବିଟ୍‌ କରି କମଳାଙ୍କ ଆଶୁ ଆରୋଗ୍ୟ ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।

ଗତ ୨୧ ତାରିଖରେ କମଳା ପୂଜାରୀ ଅସୁସ୍ଥ ଅନୁଭବ କରିଥିଲେ। ଜ୍ବର ସହ ଝାଡା ହେବାରୁ ଜୟପୁର ବ୍ଲକ୍‌ ପାତ୍ରପୁଟସ୍ଥିତ ବାସଭବନରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ଭେଷଜ ବିଭାଗ ମହିଳା ୱାର୍ଡର ସ୍ବତନ୍ତ୍ର କ୍ୟାବିନ୍‌ରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଭେଷଜ ବିଭାଗର ଏଚ୍ଓଡି ଡା. ସୁନୀଲ କୁମାର ଭତ୍ରାଙ୍କ ସମେତ ୪ ଜଣ ଡାକ୍ତର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ରକ୍ତରେ ହି‌ମଗ୍ଲୋବିନ ୭.୮ ରହିଥିବାରୁ ଗୋଟିଏ ୟୁନିଟ୍ ରକ୍ତ ମଧ୍ୟ ଦିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥ‌ାରେ ସାମାନ୍ୟ ସୁଧାର ଆସିଥିଲେ ସୁଦ୍ଧା ପୂର୍ବରୁ ରହିଥିବା କିଡ୍‌ନି ସମସ୍ୟା ପୁଣି ପରିଲକ୍ଷିତ ହୋଇଥିଲା। ଚିକିତ୍ସା କରିଥିବା ଡାକ୍ତରଙ୍କ କହିବାନୁଯାୟୀ, ୟୁରିଆ ୪୫ ପ୍ରତିଶତରୁ କମ୍ ରହିବା ବଦଳରେ ୯୦ ପ୍ରତିଶତ ରହିଥିଲା। କ୍ରିଏଟିନାଇନ୍ ୦.୯ରୁ ୧.୫ ଭିତ‌ରେ ରହିବା ବଦଳରେ ୪.୮ ରହିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଫ୍ରୋଲୋଜି ବିଶେ‌ଷଜ୍ଞ ନଥିବାରୁ କିଡ୍‌ନି ଜନିତ ସମସ୍ୟାର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରିଥିଲେ। କମଳାଙ୍କ ସହ ନାତି ଓ ଜଣେ ସ୍ବେଚ୍ଛାସେବୀ କଟକ ଯାଇଛନ୍ତି। ସ୍ଥାନାନ୍ତର ସମୟରେ କୋରାପୁଟ ସିଡିଏମ୍‌ଓ ଡା. ଅରୁଣ କୁମାର ପାଢ଼ୀଙ୍କ ସମେତ ଅନ୍ୟା ବିଶେଷଜ୍ଞ ଡାକ୍ତର ଉପସ୍ଥିତ ଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାରପ୍ରାପ୍ତ ଡିଏମ୍‌ଓ ଡା. ଦିଲ୍ଲୀପ କୁମାର ବିଶ୍ବାଳଙ୍କ କହିବାନୁଯାୟୀ, ଜୟପୁରରେ ଚିକିତ୍ସା ପରେ ତାଙ୍କର ଝାଡ଼ା ଓ ଜ୍ବର କମି ଯାଇଛି। ରକ୍ତ, ୟୁରିନ୍ ପରୀକ୍ଷା କରିବାରୁ ୟୁରିକ୍ ଅଂଶ ଅଧିକ ରହିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି ରୋଗରେ ପୀଡ଼ିତ ହୋଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିବା ପରେ କଟକ ଏସ୍‌ସିବିକୁ ପଠାଯାଇଛି। ଆଗକୁ ଯେଭଳି ଅସୁବିଧା ନହୁଏ ସେଥିପାଇଁ ଅଧିକ ଯାଞ୍ଚ କରି ସେଠାରେ ସ୍ବାସ୍ଥ୍ୟ‌ ସେବା ଯୋଗାଇ ଦିଆଯିବ। ଦୁଇବର୍ଷ ତଳେ‌ ମଧ୍ୟ କମଳାଙ୍କ ଠାରେ ଅନୁରୂପ କିଡ୍‌ନି ଜନିତ ସମସ୍ୟା ଚିହ୍ନଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe