ଭୁବନେଶ୍ୱର : ହ୍ବିଲ୍-ଚେୟାର୍ରେ ୨୪ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲାର ଦିବ୍ୟାଙ୍ଗ କମଳାକାନ୍ତ ନାୟକ (୨୮)। ପର୍ତୃଗାଲର ମାରିଓ ତ୍ରିନିଦାଦ ୧୮୨.୪ କିମି ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ରେ ସ୍ଥାନ ଅଧିକାର କରିଥିବା ବେଳେ କମଳାକାନ୍ତ ତାଙ୍କ ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ଣ ୩ଟାରୁ ସେ ରାଜମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍ ମଧ୍ୟରେ ଥିବା ସାଇକେଲ ଟ୍ରାକ୍ରେ ହ୍ବିଲ୍ଚେୟାର୍ ଚଳାଇଛନ୍ତି। ଆସନ୍ତାକାଲି ଦିନ ୩ଟା ସୁଦ୍ଧା ସେ ଏହି ଟ୍ରାକ୍ରେ ୧୮୪ କିମି ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପ୍ରଶାସନ ଓ ବେଟର୍ ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ଏନେଇ ସମସ୍ତ ପ୍ରକାର ଆୟୋଜନ କରାଯାଇଛି। କମଳାକାନ୍ତଙ୍କ ସୁରକ୍ଷା ପାଇଁ ୭ଜଣ ପୁଲିସ୍ ଓ ୨୦ରୁ ଅଧିକ ସ୍ଵେଚ୍ଛାସେବୀ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ଏହାସହ ଏହାକୁ ରେକର୍ଡ କରିବା ପାଇଁ ୨୪ ଘଣ୍ଟିଆ ଭିଡିଓ ଫୁଟେଜ୍, ୧୨ଜଣ ଯୋଗ୍ୟତାପ୍ରାପ୍ତ ସ୍ଵାଧୀନ ସାକ୍ଷୀ ଓ ତିନୋଟି ଡିଭାଇସ୍ ଦ୍ଵାରା ସମ୍ପୂର୍ଣ୍ଣ ପ୍ରୟାସର ଜିପିଏସ୍ ଟ୍ରାକ୍ କରାଯାଉଛି। କମଳାକାନ୍ତଙ୍କୁ ଉତ୍ସାହିତ କରିବା ପାଇଁ ଭିନ୍ନକ୍ଷମ କମିସନର୍ ସୁଲୋଚନା ଦାସ, ଅଭିନେତା ସବ୍ୟସାଚୀ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଖେଳ ଓ ଯୁବ ବ୍ୟାପାର ବିଭାଗ ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ କମଳଙ୍କୁ ଏହି ପ୍ରୟାସ ପାଇଁ ସହଯୋଗ କରିଛନ୍ତି।
Follow Us