କନକ ହେଲ୍ଥ କନ୍‌କ୍ଲେଭ୍‌-୨୦୨୨, ୫ ବର୍ଷ ମଧ୍ୟରେ ଡାକ୍ତରବଳକା ରାଜ୍ୟ ହେବ ଓଡ଼ିଶା: ସ୍ବାସ୍ଥ୍ୟମନ୍ତ୍ରୀ

Advertisment

ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଲେଣି ଡାକ୍ତର: ସୌମ୍ୟରଞ୍ଜନ

ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଲେଣି ଡାକ୍ତର: ସୌମ୍ୟରଞ୍ଜନ

କନକ ହେଲ୍ଥ କନ୍‌କ୍ଲେଭ୍‌-୨୦୨୨, ୫ ବର୍ଷ ମଧ୍ୟରେ ଡାକ୍ତରବଳକା ରାଜ୍ୟ ହେବ ଓଡ଼ିଶା: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : କେବେ ଚିନ୍ତା କରାଯାଇନଥିବା କୋରାପୁଟ, କଳାହାଣ୍ଡି, ଫୁଲବାଣୀ, ତାଳଚେର, ପୁରୀରେ ଆଜି ମେଡିକାଲ କଲେଜ ପ୍ରତିଷ୍ଠା ହେଲାଣି। ତେଣୁ ଏହା ସ୍ପଷ୍ଟ ଯେ ଆଗାମୀ ୪ରୁ ୫ବର୍ଷ ଭିତରେ ଡାକ୍ତର କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଯିବ। କନକ ନ୍ୟୁଜ୍‌ ପକ୍ଷରୁ ଶନିବାର ଦିନ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ହେଲ୍ଥ କନକ୍ଲେଭ୍‌‌-୨୦୨୨‌ରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏପରି ଦୃଢ଼ୋକ୍ତି ବାଢ଼ିଛନ୍ତି।

‘ସରକାରୀ ହସ୍ପିଟାଲରେ ଗୁଣାତ୍ମକ ଚିକିତ୍ସା’ ବିଷୟବସ୍ତୁକୁ ନେଇ କନକ ନ୍ୟୁଜ୍‌ ଏଡିଟର୍‌ ମନୋରଞ୍ଜନ ମିଶ୍ରଙ୍କ ସହ ଆଲୋଚନାରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ କଟକ ଏସ୍‌ସିବି, ବୁର୍ଲା ଭୀମସାର ମାଧ୍ୟମରେ ରାଜ୍ୟ ସରକାର ଉନ୍ନତମାନର ସ୍ବାସ୍ଥ୍ୟ ସେବା ଦେଉଛନ୍ତି। ସେଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଓପିଡିରେ ଚିକିତ୍ସିତ ହେଉଛନ୍ତି। ଏପରିକି କ୍ୟାପିଟାଲ ହସ୍ପିଟାଲ, ବଲାଙ୍ଗୀର ଭଳି ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ କାହିଁରେ କେତେ। ପ୍ରତି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ପ୍ରସବ, ଅସ୍ତ୍ରୋପଚାର, ଭେଷଜ ଚିକିତ୍ସା ହେବା ସହ ଡାଏଲିସିସ୍‌, କେମୋଥେରାପି ୟୁନିଟ୍‌ କରାଯାଇଛି। ପୂର୍ବରୁ ସ୍ବାସ୍ଥ୍ୟ ବଜେଟ୍‌ରେ କମ୍‌ ଖର୍ଚ ହେଉଥିଲା। ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହୋଇଛି। ରାଜ୍ୟର ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ ଡାକ୍ତରଖାନା କରିବାକୁ ଉଦ୍ୟମ ଜାରି ରହିଛି। ତେଣୁ ଆଗାମୀ ଦିନରେ ଶଯ୍ୟା ଅଭାବ ରହିବ ନାହିଁ। ବର୍ତ୍ତମାନ ସ୍ଥିତିରେ ପ୍ରାୟ ୮୦ପ୍ରତିଶତ ରୋଗୀ ସରକାରୀ ସ୍ବାସ୍ଥ୍ୟସେବାକୁ ନେଇ ସନ୍ତୁଷ୍ଟ ଅଛନ୍ତି। ମାତ୍ର ଯେଉଁ ୧୫ କି ୨୦ ପ୍ରତିଶତଙ୍କ ପାଖରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିବା ନେଇ ସମସ୍ୟା ରହୁଛି, ତାହାକୁ ମାତ୍ରାଧିକ ଗୁରୁତ୍ବ ଦିଆଯିବା ଯୋଗୁଁ ସରକାରୀ ସ୍ବାସ୍ଥ୍ୟସେବାର ନକାରାତ୍ମକ ଚିତ୍ର ସାମ୍ନାକୁ ଆସୁଛି। ଘରୋଇ ଡାକ୍ତରଖାନାର ସହବନ୍ଧନରେ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟବୀମା ଯୋଜନାର ଲାଭ ଅନେକଙ୍କୁ ମିଳିଛି। ଘରୋଇ ଡାକ୍ତରଖାନାକୁ ଅନୁରୋଧ, ସେମାନେ କେବଳ କଟକ, ଭୁବନେଶ୍ବରରେ ବଡ଼ ଡାକ୍ତରଖାନା ନ ଖୋଲି କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ରେ ମଧ୍ୟ ଡାକ୍ତରଖାନା ଖୋଲନ୍ତୁ।

‘ସମ୍ବାଦ’ ଗ୍ରୁପ୍‌ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟନାୟକ କହିଥିଲେ ଯେ ଅନାହାର, ଦାରିଦ୍ର୍ୟକୁ ଓଡ଼ିଶା ଜୟ କରିସାରିଛି। ବର୍ତ୍ତମାନ ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ମୁକାବିଲାର ସମୟ। ଏଥିପାଇଁ ଆଜି ସ୍ବାସ୍ଥ୍ୟ ଏବଂ ଶିକ୍ଷାକୁ ନେଇ ଏହି କନକ୍ଲେଭ୍‌ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଯେଉଁଭଳି ଭାବେ ଡାକ୍ତରଙ୍କ ଗୁରୁତ୍ବ ରହିଛି, ମହାମାରୀ ପରେ ଓଡ଼ିଶାରେ ମଧ୍ୟ ଡାକ୍ତରଙ୍କ ପତିଆରା ବୃଦ୍ଧି ପାଇଛି। ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଡାକ୍ତର ବର୍ତ୍ତମାନ ଓଡ଼ିଶାକୁ ଫେରିବା ଆରମ୍ଭ କଲେଣି। ସେଥିପାଇଁ ସେମାନଙ୍କ ପାଖରେ ଓଡ଼ିଶାବାସୀ କୃତଜ୍ଞ। ଆଗାମୀ ଦିନରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ନ ରହିଲେ, କୌଣସି ରୋଗୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ।

କାର୍ଯ୍ୟକ୍ରମରେ ମୋଟ ୬ଟି ଅଧିବେଶନ ହୋଇଥିବା ବେଳେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞ ଡାକ୍ତର ମନୋଜ ସାହୁ, ହୃଦରୋଗ ବିଶେଷଜ୍ଞ ଡା.ବ୍ରଜରାଜ ଦାସ, ଡା. ସଂଗ୍ରାମ କେଶରୀ ବେହେରା, ଡାକ୍ତର ତନ୍ମୟ ପଣ୍ଡା, ଡା. ଜି ମହାପାତ୍ର, ଡା.ଲଲାଟେନ୍ଦୁ ମହାପାତ୍ର, ଭସ୍କୁଲାର ସର୍ଜରି କନସଲଣ୍ଟାଣ୍ଟ ନିହାର ରଞ୍ଜନ ପ୍ରଧାନ, କାର୍ଡିଓଭସ୍କୁଲାର ସର୍ଜନ ଡା. ଶ୍ବେତାଙ୍କ ଦାସ, ବରିଷ୍ଠ ନ୍ୟୁରୋସର୍ଜନ ଡା. ଅମିତ ଜୟସ୍ବାଲ, ଡା. ଶ୍ବେତଲାନା ପରିଜା, ଡା. ବିକାଶ ମିଶ୍ର ପ୍ରମୁଖ ସ୍ବାସ୍ଥ୍ୟ ସଂପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇ ମତ ରଖିଥିଲେ। ଉପସ୍ଥାପକ ମାନସ ଦାସ, କନକ ନ୍ୟୁଜ ପ୍ରଡ୍ୟୁସର୍‌ ସ୍ବସ୍ତିକା ପଣ୍ଡା ଅଧିବେଶନଗୁଡ଼ିକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe