କନକ ନ୍ୟୁଜ୍‌-ସ୍ବାସ୍ଥ୍ୟ ସମ୍ବାଦର ନିର୍ମାଣ ଓ ହେଲ୍‌ଥ କନ୍‌କ୍ଲେଭ-୨୦୨୪: ‘ଗ୍ରାମାଞ୍ଚଳ ଡାକ୍ତରଙ୍କୁ ଅତିରିକ୍ତ ରାଶି ଦିଅ’

Advertisment

ସଫଳତା ଓ ସମୃଦ୍ଧିର ଆଧାର ହେଉଛି ସ୍ବାସ୍ଥ୍ୟ। ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଅଣ ସଂକ୍ରାମକ ରୋଗ(ଏନ୍‌ସିଡି) ବଢ଼ୁଛି।

ସଫଳତା ଓ ସମୃଦ୍ଧିର ଆଧାର ହେଉଛି ସ୍ବାସ୍ଥ୍ୟ। ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଅଣ ସଂକ୍ରାମକ ରୋଗ(ଏନ୍‌ସିଡି) ବଢ଼ୁଛି।

cffcfcfffg

ଭୁବନେଶ୍ବର: ସଫଳତା ଓ ସମୃଦ୍ଧିର ଆଧାର ହେଉଛି ସ୍ବାସ୍ଥ୍ୟ। ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଅଣ ସଂକ୍ରାମକ ରୋଗ(ଏନ୍‌ସିଡି) ବଢ଼ୁଛି। ଭାରତ ଏବେ ବିଶ୍ବର ମଧୁମେହ ରାଜଧାନୀ ପାଲଟିଛି, ଯାହାକି ଚିନ୍ତାର ବିଷୟ। ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗ ସଂପର୍କରେ ସଚେତନ ନୁହନ୍ତି। ଗାଁରେ ହେଲ୍‌ଥ କ୍ୟାମ୍ପ ହେବା ସହ ଡାକ୍ତରୀ ଟିମ୍ ଗାଁରେ ରୁହନ୍ତୁ। ଯାହାଫଳରେ ଲୋକମାନେ ଏହି ରୋଗ ସଂପର୍କରେ ସଚେତନ ହୋଇପାରିବେ ବୋଲି ‘ସ୍ବାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ୍‌’ର ହେଲ୍‌ଥ କନ୍‌କ୍ଲେଭ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ କିଭଳି ଉତ୍ତମ ଚିକିତ୍ସା ସେବା ପାଇବେ ସେଥିପାଇଁ କେତେକ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ଗାଁରେ ହସ୍ପିଟାଲ ଖୋଲିବା ଲାଗି ସରକାର ସହଜରେ ଜମି ଯୋଗାଇଦେବା ସହ ରିଆତି ପ୍ରଦାନ କରିବା ଦରକାର। ଏଥିପାଇଁ ସରକାରୀ ସ୍ତରରେ ନୀତିଗତ ନିଷ୍ପତ୍ତି ହେବାର ଆବଶ୍ୟକତା ରହିଛି। କେବଳ ହସ୍ପିଟାଲ ଖୋ‌ଲିଲେ ହେବନାହିଁ, ଡାକ୍ତର ଓ ପାରାମେଡିକ୍ସ ମଧ୍ୟ ଉପଲବ୍ଧ ରହିବା ଦରକାର। ଏଥିପାଇଁ ସରକାର ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରନ୍ତୁ। ଯାହାଫଳରେ ସେମାନେ ଗାଁରେ ରହି ଚିକିତ୍ସା ପ୍ରଦାନ କରିବା ଲାଗି ଆଗ୍ରହ ପ୍ରକାଶ କରିବେ। ଏହାସହ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନେ ରୋଗୀଙ୍କୁ ମହଙ୍ଗା ଔଷଧ ବଦଳରେ ଜେନେରିକ୍ ଔଷଧ ଲେଖନ୍ତୁ। ଏହାଦ୍ବାରା ଗରିବ ଲୋକଟିଏ ଉପକୃତ ହୋଇପାରିବ। ଦେଶର ୭ଶହ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ରହିଛି। ରାଜ୍ୟ ସରକାର ମଧ୍ୟ ଜନଔଷଧୀ କେନ୍ଦ୍ର ଖୋଲିବା ଉପରେ ଗୁରୁତ୍ବ ଦିଅନ୍ତୁ। ଚିକିତ୍ସା କ୍ଷେତ୍ରରେ ଅନେକ ନୂଆ ନୂଆ ପଦ୍ଧତି ବାହାରୁଛି। ତେବେ ଏହା କେବଳ ଧନୀ ଲୋକଙ୍କ ପାଇଁ ସୀମିତ ନ ରହି କିଭଳି ଗରିବ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରିବ ତାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ। 

ଆଉ ୫ହଜାର ଡାକ୍ତରଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟରେ ଡାକ୍ତର ଓ ପାରାମେଡିକ୍ସଙ୍କ ଅଭାବ ରହିଛି ଏକଥା ସତ। ହେଲେ ଏସବୁ ବର୍ତ୍ତମାନର ସରକାରଙ୍କୁ ପୂର୍ବ ସରକାରଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଖୋଲିବା ପରେ ରାଜ୍ୟରେ ଆଉ ନୂଆ ସରକାରୀ ମେଡିକାଲ ଖୋଲି ନ ଥିଲା। ପ୍ରାୟ ୬୦ବର୍ଷର ବ୍ୟବଧାନ ପରେ ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ଆରମ୍ଭ ହୋଇଥିଲା। କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଦେଶବ୍ୟାପୀ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଓଡ଼ିଶାରେ ୧୧ଟି ମେଡିକାଲ କଲେଜ ଖୋଲିଛି। ଆଗକୁ ଆଉ ୨ଟି ମେଡିକାଲ କଲେଜ ଖୋଲିବାକୁ ଯାଉଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଂପର୍କିତ ଯୋଜନା ସଂପର୍କରେ ଶ୍ରୀ ମହାଲିଙ୍ଗ କହିଥିଲେ ଯେ ରାଜ୍ୟରେ ଡାକ୍ତର ଓ ପାରାମେଡିକ୍ସଙ୍କ ଅଭାବ ଦୂର କରିବା ପାଇଁ ଖୁବଶୀଘ୍ର ୫ହଜାର ଡାକ୍ତର ଓ ୩ହଜାର ‌ପାରାମେଡିକ୍ସ ନିଯୁକ୍ତ ହେବ। ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଏଥିରେ ପ୍ରାଥମିକତା ଦିଆଯିବ। ଡାକ୍ତରୀ ନିଯୁକ୍ତି ପରୀକ୍ଷାକୁ ନେଇ ଯେଉଁ ସମସ୍ୟା ରହିଛି ତାହାର ସମାଧାନ ପାଇଁ ଏଥିରେ ସଂଶୋଧନ କରାଯିବ। ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜ ସହ ବିଏସ୍‌ସି ନର୍ସିଂ କଲେଜକୁ ଯୋଡ଼ି ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ୮ଟି ବିଏସ୍‌ସି ନର୍ସିଂ କଲେଜ ଖୋଲିବ। ଆସନ୍ତା ୫ବର୍ଷ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୪ଶହକୁ ବୃଦ୍ଧି କରାଯିବ। ଏବେ ରାଜ୍ୟରେ ୨୫୨୫ ଡାକ୍ତରୀ ସିଟ୍‌ ଥିବା ବେଳେ ଆସନ୍ତା ୫ବର୍ଷ ଭିତରେ ୫ହଜାରକୁ ବୃଦ୍ଧି କରାଯିବ। ରାଜ୍ୟରେ ଏବେ ୧୧ଶହ ପିଜି ସିଟ୍‌ ଥିବା ବେଳେ ସବୁ ମେଡିକାଲ କଲେଜରେ ପିଜି ସିଟ୍‌ ଖୋଲିବା ପାଇଁ ଉଦ୍ୟମ ହେବ। ସେହିପରି ରାଜ୍ୟର ସାଢ଼େ ୩କୋଟି ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ୨୭ହଜାର ହସ୍ପିଟାଲରେ ଲୋକମାନେ ସେବା ପାଇବେ। ରାଜ୍ୟର ପ୍ରତି ଗ୍ରାମ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନସୁଦ୍ଧା ସାଢ଼େ ୩-୪ହଜାର ଆରୋଗ୍ୟ ମନ୍ଦିର ଖୋଲା ଯାଇଛି। ଡିଜିଟାଲ ସ୍ବାସ୍ଥ୍ୟ ମିସନରେ ‌ସବୁ ରୋଗୀଙ୍କ ରେକର୍ଡ ରଖାଯିବ। ଏହାସହ ୯-୧୪ବର୍ଷର ବାଳିକାଙ୍କଠାରେ ଜରାୟୁ କର୍କଟକୁ ରୋକିବା ଲାଗି ଟିକାକରଣ କରିବା ଲାଗି ଉଦ୍ୟମ କରାଯାଉଥିବା ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। 

ସ୍ବାଗତ ଅଭିଭାଷଣରେ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହି‌ଲେ, ସ୍ବାସ୍ଥ୍ୟସେବା ଏବେ ବ୍ୟୟ ବହୁଳ ହୋଇଛି। ସାଧାରଣ ନାଗରିକ ପାଇଁ ଉତ୍ତମ ଚିକିତ୍ସା ପାଇବା ସମ୍ଭବ ହୋଇପାରୁନାହିଁ। ସ୍ବାସ୍ଥ୍ୟସେବାକୁ ଆହୁରି ଅଧିକ ସମୃଦ୍ଧ କରିବାକୁ ହେଲେ ଅଧିକ ସଂଖ୍ୟାରେ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଡାକ୍ତରଙ୍କ ଅଭାବ ପାଇଁ ଗ୍ରାମାଞ୍ଚଳର ଡାକ୍ତରଖାନାରେ ଲୋକଙ୍କ ଭିଡ଼ କିରୋସିନ ପାଇଁ କିମ୍ବା ରାସନକାର୍ଡ ପାଇଁ ଗହଳି ଲାଗିଥିବାର ଭ୍ରମ ସୃଷ୍ଟି କରୁଛି। ବିକଶିତ ଭାରତରେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସମୃଦ୍ଧ କରିବାକୁ ପଡ଼ିବ। ତେବେ ଆଶ୍ବସ୍ତିର ବିଷୟ ହେଉଛି ସରକାରୀ-ଘରୋଇ ସଂସ୍ଥା ହାତ ମିଳାଇବା ଫଳରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ ଦୂର ହୋଇପାରିଛି। ସରକାର ଘରୋଇ ସଂସ୍ଥାକୁ ଉପଯୁକ୍ତ ମୂଲ୍ୟ ଦେଇ ସେମାନଙ୍କ ସେବା ନେଇପାରୁଛନ୍ତି। ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ଲୋକଙ୍କୁ ନୂଆ ଶକ୍ତି ଓ ସୁରକ୍ଷା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ହସ୍ପିଟାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe