ରତ୍ନସିଂହାସନରେ ଲାଗିଲା କନକମୁଣ୍ଡି ଚାନ୍ଦୁଆ

ରତ୍ନସିଂହାସନରେ ଲାଗିଲା କନକମୁଣ୍ଡି ଚାନ୍ଦୁଆ

ପୁରୀ : ଆଜି ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ରତ୍ନ ସିଂହାସନକୁ ବିଜେ ପୂର୍ବରୁ ଗୁରୁବାର ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଚାନ୍ଦୁଆ ଲାଗିଛି। ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ସୂଚନା ମୁତାବକ, ରତ୍ନ ସିଂହାସନ ଉପରେ ଗୁରୁବାର କନକମୁଣ୍ଡି ଚାନ୍ଦୁଆ ଲାଗିବା ‌‌ଶେଷ ହୋଇଛି। କନକମୁଣ୍ଡି ଚାନ୍ଦୁଆ ପାଇଁ ବଡ଼ଓଡ଼ିଆ ମଠ ଆବଶ୍ୟକ କନା ଯୋଗାଇ ଦେଇଥାଏ।

ହେରାପଞ୍ଚମୀରୁ ଏହି ଚାନ୍ଦୁଆ କାମ ଅନୁକୂଳ ହୋଇଥାଏ। ୭ ପ୍ରକାର ରଙ୍ଗ ଯଥା ନାଲି, ନେଳି, ହଳଦିଆ, ବାଇଗଣି, ଧଳା, କଳା ଓ ସବୁଜ ରଙ୍ଗର କପଡ଼ାରେ ଏହି ଚାନ୍ଦୁଆ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ସାର୍ଟିନ୍‌ କପଡ଼ା ବ୍ୟବହାର କରାଯାଇଥାଏ। କିନ୍ତୁ କନକମୁଣ୍ଡି ଚାନ୍ଦୁଆରେ ଶ୍ରୀଜିଉଙ୍କ ମସ୍ତକ ଉପରେ ନିର୍ଦ୍ଧିଷ୍ଟ ରଙ୍ଗର ଚଉକ ରହିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକ ଉପରେ ହଳଦିଆ, ମା’ ସୁଭଦ୍ରାଙ୍କ ମସ୍ତକ ଉପରେ ନାଲି ଓ ବଡ଼ଠାକୁର ବଳଭଦ୍ରଙ୍କ ମସ୍ତକ ଉପରେ ସବୁଜ ରଙ୍ଗର ଚଉକ ରହିଥାଏ। ସେହିଭଳି ଭୋଗମଣ୍ଡପ, ଭିତରକାଠ, ବାହାରକାଠ ଓ ମହାଲକ୍ଷ୍ମୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାନ୍ଦୁଆ ପ୍ରସ୍ତୁତ ହୋଇ ଲଗାଯାଇଛି। ଏ ବାବଦ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରୁଛି।

ପ୍ରତିବର୍ଷ ନୀଳାଦ୍ରି ବିଜେରେ ଏହି ଚାନ୍ଦୁଆ ଶ୍ରୀମନ୍ଦିର ଯାଇଥାଏ। ଚଳିତବର୍ଷ ନୀତିକାନ୍ତି ସଅଳ ଚାଲିଥିବାରୁ ଦିନକ ପୂର୍ବରୁ ଅର୍ଥାତ୍‌ ଆଜି ସବୁ ଚାନ୍ଦୁଆ ଲଗାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଦର୍ଜୀ ସର୍ଦ୍ଦାର ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ୭ଜଣ ଦର୍ଜୀ ସେବକ ଏହି କାମ ସମ୍ପନ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe