Advertisment

କନ୍ଧମାଳ ଜିଲ୍ଲା ରାଜନୀତି: ବିଜେଡି ସଭାପତିଙ୍କ ପାଇଁ ଅନେକ ଆହ୍ବାନ

Advertisment

ରଞ୍ଜନ ପ୍ରଧାନ

ରଞ୍ଜନ ପ୍ରଧାନ

କନ୍ଧମାଳ ଜିଲ୍ଲା ରାଜନୀତି: ବିଜେଡି ସଭାପତିଙ୍କ ପାଇଁ ଅନେକ ଆହ୍ବାନ

ଫୁଲବାଣୀ: ନିକଟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ଜିଲ୍ଲା ବିଜେଡି ସଭାପତି ଭାବେ ସରୋଜ କର୍ଣ୍ଣ କାର୍ଯ୍ୟ କରୁଥିଲେ। ସରୋଜଙ୍କ ସମୟରେ ଜିଲ୍ଲାରେ ଦଳ ସଂଗଠନକୁ ସଜାଡ଼ିବାକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ୨୦୨୨ ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡିକୁ ମିଶ୍ରଫଳ ମିଳିଥିବା ବେଳେ ପୌର ନିର୍ବାଚନରେ ଫୁଲବାଣୀ ପୌରାଧ୍ୟକ୍ଷା ପଦବି ବିଜେପି ହାତକୁ ଯାଇଥିଲା। ଦଳ ମଧ୍ୟରେ ବିଦ୍ରୋହ, ପଦ୍ମନାଭ ବେହେରା-ଅଚ୍ୟୁତ ସାମନ୍ତ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁଁ ଦଳ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଅନେକ କ୍ଷତି ସହିଥିଲା। ଫୁଲବାଣୀ ପୌରାଧ୍ୟକ୍ଷା ପାଇଁ ପଦ୍ମନାଭଙ୍କ ସମର୍ଥକଙ୍କୁ ଟିକେଟ୍‌ ନ ମିଳିବାରୁ ତାଙ୍କ ସମର୍ଥକ ଓ କର୍ମୀ ବିଜେପିକୁ ବିଜୟୀ କରାଇଥିବା ଅଭିଯୋଗ ହେଲା। ପରେ ତତ୍କାଳୀନ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ବରୁ ଅବ୍ୟାହତି ଦିଆଯାଇ ପର୍ଯ୍ୟବେକ୍ଷକ ଭାବେ ବିଜୟ ନାୟକଙ୍କୁ ଦାୟିତ୍ବ ଦିଆଯାଇଛି।

ନିକଟରେ ଜିଲ୍ଲା ବିଜେଡି ସଂଗଠନର ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ବଡ଼ ଦାୟିତ୍ବ ମିଳିଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କୁ କୌଣସି ଦାୟିତ୍ବ ମିଳିନାହିଁ। ଏ ଦୁଇ ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମର୍ଥକ ଭାବେ ଜଣାଶୁଣା ପୂର୍ବତନ ଜିଲ୍ଲା ମହିଳା ବିଜେଡି ସଭାପତି ପୁନମ କହଁରଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅନିମା କହଁରଙ୍କୁ ଅବସ୍ଥାପିତ କରାଯାଇଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଦୃଢ଼ ସମର୍ଥକ ଭାବେ ଜଣା ବରିଷ୍ଠ ବିଜେଡି ନେତା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବେ ବିଭିନ୍ନ କାରଣକୁ ନେଇ ବିଧାୟକଙ୍କ ଉପରେ ଖପ୍ପା। ଆଗକୁ ନିର୍ବାଚନ ଥିବାବେଳେ ବିଭିନ୍ନ ବିଧାନସଭା ଓ ଲୋକସଭା କ୍ଷେତ୍ର ପାଇଁ ଆଶାୟୀଙ୍କ ତାଲିକା ଲମ୍ବୁଛି। କାହାର କଟିବ ଏବଂ କାହାକୁ ଟିକଟ ମିଳିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳି ଏକ ଗୋଳମାଳିଆ ସ୍ଥିତିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିଛି। ଏଣୁ ସମସ୍ତ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ, ବିଦ୍ରୋହୀ ନେତା ଓ କର୍ମୀମାନଙ୍କୁ ନେଇ କିଭଳି ସଂଗଠନକୁ ସୁଦୃଢ଼ କରିବେ, ତାହା ନୂଆ ଜିଲ୍ଲା ସଭାପତିଙ୍କ ପାଇଁ ଆହ୍ବାନ ପାଲଟିଛି। ନବୀନ ବାବୁଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିବ ଏବଂ ଦଳରେ କେହି ବିଦ୍ରୋହୀ ନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe