ବୌଦ୍ଧ ଜିଲ୍ଲାକୁ କନ୍ଧମାଳ ସାଂସଦଙ୍କ ଗସ୍ତ : ବୌଦ୍ଧ-ସାତକୋଶିଆ ଗଣ୍ଡରେ ଅକ୍ସି-ଟ୍ୟୁରିଜମ୍‌ର ବିକାଶ ଦାୟିତ୍ବ ନେଲେ

Advertisment

ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଖୋର୍ଦ୍ଧା-ବଲାଙ୍ଗୀର ରେଲ୍‌ୱେକୁ ଗୁରୁତ୍ବ

ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଖୋର୍ଦ୍ଧା-ବଲାଙ୍ଗୀର ରେଲ୍‌ୱେକୁ ଗୁରୁତ୍ବ

ବୌଦ୍ଧ ଜିଲ୍ଲାକୁ କନ୍ଧମାଳ ସାଂସଦଙ୍କ ଗସ୍ତ : ବୌଦ୍ଧ-ସାତକୋଶିଆ ଗଣ୍ଡରେ ଅକ୍ସି-ଟ୍ୟୁରିଜମ୍‌ର ବିକାଶ ଦାୟିତ୍ବ ନେଲେ

ବୌଦ୍ଧ : ସାଂପ୍ରତିକ କରୋନା ମହାମାରୀ ପରିସ୍ଥିତି ଯୋଗୁଁ ବହୁ ଦିନର ବ୍ୟବଧାନ ପରେ ବୁଧବାର ବୌଦ୍ଧ ଜିଲ୍ଲା ଗସ୍ତରେ ପହଞ୍ଚି ଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ବୌଦ୍ଧ ଠାରେ ଯୁଦ୍ଧକାଳୀନ ଭାବେ ଉଭୟ ସରକାରୀ ସମୀକ୍ଷା ଓ ଦଳୀୟ ସାଂଗଠାନିକ ବୈଠକ କରିଛନ୍ତି। ତେବେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଓ ପ୍ରମୁଖ ପ୍ରସ୍ତାବିତ ପ୍ରକଳ୍ପର ଅନୁମୋଦନ ଓ ଅନୁଦାନ ବ୍ୟବସ୍ଥା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ତରରେ ନିଜେ ଦାୟିତ୍ବ ନିର୍ବାହ କରିବେ ବୋଲି ଡ. ସାମନ୍ତ ଜିଲ୍ଲା ପ୍ରଶାସନକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୌଦ୍ଧ ଜିଲ୍ଲା ଅଧୀନରେ ଆସୁଥିବା ସାତକୋଶିଆ ଗଣ୍ଡରେ ଅକ୍ସି-ଟୁରିଜମ୍‌ ପ୍ରକଳ୍ପର ବିକାଶ ଦାୟିତ୍ବ ମଧ୍ୟ ସାଂସଦ ନେଇଥିବା ପ୍ରଶାସନିକ ସୂତ୍ରରୁ ଜଣାଯାଇଛି। ବୌଦ୍ଧ ସର୍କିଟ୍‌ ହାଉସ୍‌ ପରିସରରେ ‌ଆୟୋଜିତ ପ୍ରଶାସନିକ ସମୀକ୍ଷା ବୈଠକରେ ସାଂସଦ ଡ. ସାମନ୍ତ ବୌଦ୍ଧ ଜିଲ୍ଲାରେ ନିର୍ମାଣଧୀନ ଓ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଭି.ରଘୁନାଥ ରାଓ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ ପ୍ରମୁଖଙ୍କ ସହ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଳୋଚନା କରିଥିବା ଜଣାଯାଇଛି।

ସୂଚନା ଅନୁସାରେ ଜିଲ୍ଲାର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ପ୍ରକଳ୍ପର ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମନମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ସଂପୂର୍ଣ୍ଣ ହୋଇଥିବା ବେଳେ ୩୦ପ୍ରତିଶତ କ୍ଷତିପୂରଣ ବଣ୍ଟନ ଶେଷ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ହରଭଙ୍ଗା ଠାରୁ ବାଣିଭୂଷଣପୁର ପର୍ଯ୍ୟନ୍ତ ରହିଥିବା ୩୩ ହେକ୍ଟର ଜଙ୍ଗଲ ଜମି କ୍ଲିୟରାନସ୍‌ ସକାଶେ କାମ ଚାଲିଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ବୈଠକରେ ସୂଚନା ଦେଇଥିଲେ। ତେବେ ସାଂସଦ ରେଲ୍‌ୱେ ବୋର୍ଡ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଥିବାରୁ ବୌଦ୍ଧ ଜିଲ୍ଲାରେ ଶିଘ୍ର କିଭଳି ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ସେଥିପାଇଁ କେନ୍ଦ୍ରସ୍ତରରେ ସମସ୍ତ ପ୍ରୟାସ କରିବେ ବୋଲି କହିଛନ୍ତି। ସେହିପରି ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ବାରା ହାତକୁ ନିଆଯାଇଥିବା ମିଲ୍କ୍‌ ୱେ ଦୁଗ୍ଧ ଉତ୍ପାଦନ ଓ ଶୀତଳୀକରଣ ପ୍ରକଳ୍ପ ସକାଶେ ଆବଶ୍ୟକ ପାଣ୍ଠି ଯୋଗାଇବେ ବୋଲି ସାଂସଦ କହିଛନ୍ତି। ଏହା ସହିତ ଜିଲ୍ଲାର ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସକାଶେ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତ ରୋଡ୍‌ମ୍ୟାପ୍‌କୁ କାର୍ଯ୍ୟକାରୀ କରିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ତରରେ ପ୍ରକଳ୍ପର ଅନୁମୋଦନ ଓ ଅନୁଦାନ ବ୍ୟବସ୍ଥା କରିବା ପାଇଁ ସାଂସଦ ଦାୟିତ୍ବ ନେଇଥିବା ଜଣାପଡ଼ିଛି।

ସେହିପରି ବୌଦ୍ଧ ଜିଲ୍ଲା ଅଧୀନରେ ଆସୁଥିବା ସାତକୋଶିଆ ଗଣ୍ଡ ଅଞ୍ଚଳରେ ଅକ୍ସି-ଟ୍ୟୁରିଜମ୍‌ର ବିକାଶ, ମହାନଦୀ ଭିତରେ ଥିବା ମର୍ଜାକୁଦ ଦ୍ବୀପରେ ଇକୋ-ଟ୍ୟୁରିଜମ୍‌ ଓ କଣ୍ଟାମାଲ ବ୍ଲକ୍‌ ଅଞ୍ଚଳରେ ଥିବା ଦେଢଶୁର ଭାଇବୋହୂ ପାହାଡ଼ ଅଞ୍ଚଳକୁ ପଥର ବା ରକ୍‌-ଟ୍ୟୁରିଜମ୍‌ ଭାବେ ବିକାଶ କରାଯିବାକୁ ପ୍ରକଳ୍ପର ସମୀକ୍ଷା କରାଯାଇଛି। ସେହିପରି ବୈଠକରେ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ମଧ୍ୟ ବିକାଶ କରାଯିବାକୁ ଦିଗରେ ସାଂସଦ ଗୁରୁତ୍ବ ଦେଇଥିବା ଜଣାଯାଇଛି। ବୌଦ୍ଧରୁ ପୁରୀକୁ ସଂଯୋଗ କରୁଥିବା ଐତିହାସିକ ଜଗନ୍ନାଥ ସଡ଼କର ଉନ୍ନୟନ ଓ ପ୍ରଶସ୍ତୀକରଣ କାର୍ଯ୍ୟର ସମୀକ୍ଷା କରିବା ସହ ହରଭଙ୍ଗା ଠାରୁ ବାକି ଥିବା ରାସ୍ତାକୁ ମଧ୍ୟ ପ୍ରଶସ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବୌଦ୍ଧରୁ ଭୁବନେଶ୍ବରକୁ ଆହୁରି ୫୦ କିମି ସଡ଼କ ପଥ କମିଯିବ ବୋଲି ଆଶା ପ୍ରକଟ କରାଯାଉଛି। ବୌଦ୍ଧ ଗସ୍ତ ଅବସରରେ ସାଂସଦ ଡ. ସାମନ୍ତ ହରଭଙ୍ଗା ବ୍ଲକ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୌଦ୍ଧ ଏନ୍‌ଏସି କର୍ମଚାରୀ ଏବଂ ତେଲିବନ୍ଧରେ ମାସ୍କ ବଣ୍ଟନ କରି ଭୁବନେଶ୍ବରକୁ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe