ଲାଲ୍‌ବାହିନୀ ଟାର୍ଗେଟ୍‌ରେ କନ୍ଧମାଳ ପୁଲିସ: ଥାନା ଅଞ୍ଚଳରୁ ଆଇଇଡି‌ ବୋମା ଉଦ୍ଧାର

ଏକ ବଡ଼ଧରଣର ଅଘଟଣ ଟଳିଗଲା, ପୁଲିସର କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌

ଲାଲ୍‌ବାହିନୀ ଟାର୍ଗେଟ୍‌ରେ କନ୍ଧମାଳ ପୁଲିସ: ଥାନା ଅଞ୍ଚଳରୁ ଆଇଇଡି‌ ବୋମା ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲାଲ୍‌ବାହିନୀ ସକ୍ରିୟ ହୋଇଉଠିଛି। ଗତକାଲି କୋଟଗଡ଼ର ଜଙ୍ଗଲରୁ ମାଓବାଦୀ ରଖିଥିବା ବିସ୍ଫୋରକ, ଟିଫିନ୍‌ ବୋମା ଓ ବିପୁଳ ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ଏହାର ୨୪ ଘଣ୍ଟା ନ ବିତୁଣୁ ଗୋଛାପଡ଼ା ଥାନା ଇଲାକାରୁ କମ୍ବିଂ ଅପରେସନ୍‌ ବେଳେ ଯବାନମାନେ ପୁଣି ଶକ୍ତିଶାଳୀ ଆଇଇଡି ବୋମା ଉଦ୍ଧାର କରିଛନ୍ତି। ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ଆଜି ସକାଳେ ବିଏସ୍‌ଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନ ମିଳିତ କମ୍ବିଂ ଅପରେସନ୍ ଚଳାଇଥିଲେ। ଗୋଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ଗ୍ରାମପଞ୍ଚାୟତର ତିଲକପଙ୍ଗା ନିକଟ ଜଙ୍ଗଲରୁ ଏକ ଶକ୍ତିଶାଳୀ ଆଇଇଡିକୁ ଠାବ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ସୂଚନା ପାଇ ପହଞ୍ଚି ଆଇଇଡି ବୋମାକୁ ନିଷ୍କ୍ରିୟ କରିଥଲେ। ଫଳରେ,ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିଲା ବେଳେ ଥାନା ଇଲାକାରୁ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ବ‌ିସ୍ଫୋରକ ସାମଗ୍ରୀ ମିଳିବା ଚିନ୍ତାର କାରଣ ପାଲଟିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି କୋଟଗଡ଼ ଏବଂ ରାୟଗଡ଼ା ସୀମାନ୍ତ ଏବଂ କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ୍‌କୁ ଆହୁରି ଜୋର୍‌ଦାର କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଜଙ୍ଗଲରେ କେକେବିଏନ୍‌ ମାଓ ଡିଭିଜନ୍ ଓ କୋଟଗଡ଼ ଜଙ୍ଗଲ ଅଞ୍ଚଳରେ ବିଜିଏନ୍‌ ମାଓ ସଂଗଠନ ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe