ରଜରେ ନିଆରା ପରମ୍ପରାକୁ କରୋନା ମାଡ଼: ରୀତିନୀତିରେ ସୀମିତ ରହିବ କଣ୍ଢେଇ ବାହାଘର

Advertisment
ରଜରେ ନିଆରା ପରମ୍ପରାକୁ କରୋନା ମାଡ଼: ରୀତିନୀତିରେ ସୀମିତ ରହିବ କଣ୍ଢେଇ ବାହାଘର

ଦେବଗଡ଼ : ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ଫିକା ପଡିବ ରଜ। ରଜରେ ଦେବଗଡ଼ ଜିଲ୍ଲାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ। କେଉଁଠି ରଜରେ ଦୋଳି ଖେଳ ତ କେଉଁଠି କଣ୍ଢେଇ ବାହାଘର ହୁଏ। ଜିଲ୍ଲାର ତିଳେଇବଣି ବ୍ଲକ୍‌ ଅନ୍ତର୍ଗତ ମାଝିପାଲି ଆମ୍ୱତୋଟାରେ ୪ଟି ପଞ୍ଚାୟତବାସୀ ଏକାଠି ହୋଇ ପାଳନ କରନ୍ତି ସାମୂହିକ ଦୋଳିଖେଳ ସହ ହୁଏ ସତସତିକା ବାହାଘର ପରି କଣ୍ଢେଇ ବାହାଘର। ସେହିପରି ବାରକୋଟ ବ୍ଲକ୍‌ ଅନ୍ତର୍ଗତ ଟୁସୁଳା ଗ୍ରାମ, ବଳମ ଓ ଠିଆନାଳ ଗ୍ରାମରେ ମଧ୍ୟ କଣ୍ଢେଇ ବାହାଘର କରାଯାଇଥାଏ। ତେବେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥାଏ। କିନ୍ତୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶହ ଶହ ବର୍ଷର ପାରମ୍ପରିକ ଧାରାକୁ ଏ ବର୍ଷ ବାଟ ଓଗାଳିଛି ମହାମାରୀ କରୋନା। କରୋନା କଟକଣା ପାଇଁ ଏବର୍ଷ କେବଳ ରୀତିନୀତି ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖି ସଂପନ୍ନ ହେବ କଣ୍ଢେଇ ବ‌ାହାଘର ଏବଂ ଦୋଳି ପୂଜନ।

ସୂଚନାରୁ ପ୍ରକାଶ ଯେ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ମାଝିପାଲିଗ୍ରାମର ଆମ୍ୱତୋଟାରେ ଦୀର୍ଘ ବର୍ଷ ହେଲା ମା ଦୁର୍ଗା ମହିଳା ସମିତି, ଚଂଘାଲିଙ୍ଘା ଯୁବକ ସଂଘ ଓ ରଜ ଉତ୍ସବ କମିଟି ପକ୍ଷରୁ ଏହା ଆୟୋଜିତ ହୋଇଆସୁଛି। ରଜରେ ଅନନ୍ୟ ପରମ୍ପରା କଣ୍ଢେଇ ବାହାଘର ଓ ସାମୂହିକ ଦୋଳି ଖେଳ ଦେଖିବାକୁ ମିଳିଥାଏ। ଦୋଳି ଖେଳରେ ତିଲେଇବଣୀ ବ୍ଲକର ଢୋଲପଡା, କେନ୍ଦେଇଜୁରୀ, କଂସର, ଦୁଧିଆନାଳୀ ପଞ୍ଚାୟତର ଗ୍ରାମବାସୀ ଏକତ୍ରିତ ହୋଇ ରଜ ଉତ୍ସବ ପାଳନ କରିଥାନ୍ତି। ଏହାପରେ ଆରମ୍ଭ ହୁଏ କଣ୍ଢେଇ ବାହାଘର ପରମ୍ପରା। ପୂର୍ବରୁ ଏହି ବାହାଘର ନିମନ୍ତେ ବରପିତା ଓ କନ୍ୟାପିତା ସ୍ଥିର କରାଯାଇଥାଏ। ତେବେ ପୂର୍ବରୁ ବରପକ୍ଷ ମାଝିପାଲି ଆମ୍ୱତୋଟାରେ ଥିବାବେଳେ ଦୋଳୀ ପର୍ବ ଉଦ୍‌ଘାଟନ ଓ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ବାଣଫୁଟାଇ କନ୍ୟାପିତାଙ୍କ ଘରକୁ ଯାଇ ସେଠାରୁ କନ୍ୟାକୁ ଧରି ଶୋଭାଯାତ୍ରାରେ ପୁଣି ମାଝିପାଲି ଆମ୍ୱତୋଟାକୁ ଫେରନ୍ତି। ସେଠାରେ ବୈଦିକ ରୀତିରେ ସତସତିକା ବାହାଘର ପରି ବେଦ ମନ୍ତ୍ର ଧ୍ୱନିରେ କଣ୍ଢେଇ ବାହାଘର କରିଥାନ୍ତି। ବାହାଘର ପରେ ସେହି ଆମ୍ୱତୋଟାରେ ରାତି ତମାମ ଭୋଜିଭାତର ଆସର ଜମିଥାଏ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥାଏ। ଏଥିରେ ରାତି ତମାମ ମସଗୁଲ ହୋଇଯା’ନ୍ତି ୪ ପଞ୍ଚାୟତର ହଜାର ହଜାର ଲୋକ।

କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡ଼ିବ ଏହି ଲୋକପ୍ରିୟ ଉତ୍ସବ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେବଳ ରୀତି ନୀତି ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖି କଣ୍ଢେଇ ବାହାଘର ସହିତ ଦୋଳି ପୂଜନ କରାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଠିକ ସେହିପରି ଭାବେ ବାରକୋଟ ବ୍ଲକ ଅନ୍ତର୍ଗତ ଟୁସୁଳା ଗ୍ରାମ, ବଳମ ଓ ଠିଆନାଳ ଗ୍ରାମରେ ମଧ୍ୟ କଣ୍ଢେଇ ବାହାଘର ମଧ୍ୟ ରୀତି ନୀତି ମଧ୍ୟରେ ସଂପନ୍ନ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe