କୋକସିଂହରେ କଙ୍ଗାରୁ କୋର୍ଟ: ଗୋଟିଏ ପରିବାରକୁ ନିଆଁପାଣି ବନ୍ଦ

Advertisment

ସପରିବାର ଆତ୍ମାହୁତି ଦେବାକୁ ପୀଡ଼ିତାଙ୍କ ଚେତାବନୀ

ସପରିବାର ଆତ୍ମାହୁତି ଦେବାକୁ ପୀଡ଼ିତାଙ୍କ ଚେତାବନୀ

କୋକସିଂହରେ କଙ୍ଗାରୁ କୋର୍ଟ: ଗୋଟିଏ ପରିବାରକୁ ନିଆଁପାଣି ବନ୍ଦ

ବେଗୁନିଆ : ଶ୍ରୀଜଗନ୍ନାଥ ଭୁସମ୍ପତ୍ତିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି ଗାଁ ମୁଖିଆ। ଏହାର ପ୍ରତିବାଦ କଲେ କଙ୍ଗାରୁ କୋର୍ଟରେ ନିଆଁ ପାଣି ବାସନ୍ଦ। ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣି ଆଣି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୀଡ଼ିତ ପରିବାର।

ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ କୋକସିଂହ ଗ୍ରାମର ତୃପ୍ତିମୟୀ ଚମ୍ପତ୍ତି ହେଉଛନ୍ତି ଜଣେ ଗରିବ ଭୂମିହୀନ ମହିଳା। ବହୁବର୍ଷ ହେବ ସେ କୋକସିଂହ ମୌଜାରେ ଥିବା ଶ୍ରୀଜଗନ୍ନାଥଙ୍କ ଭୁସମ୍ପତ୍ତିରେ ଘର କରି ରହିଆସୁଛନ୍ତି। ହେଲେ ଗ୍ରାମର କିଛି ବ୍ୟକ୍ତି ବେଆଇନ ଭାବେ ଜଗନ୍ନାଥ ଜମିକୁ ପ୍ଲଟିଂ କରି ଅନାଥ ଆଶ୍ରମ କରିଥିବା ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଏହି ଅନାଥ ଆଶ୍ରମକୁ ରାସ୍ତା ନେବା ପାଇଁ ସେମାନେ ତୃପ୍ତିମୟୀଙ୍କ ପାଚେରିକୁ ଭଙ୍ଗାରୁଜା କରିଥିଲେ। ତୃପ୍ତିମୟୀଙ୍କ ପରିବାର ଏହାର ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଗତ ୧୨ତାରଖରେ ଗ୍ରାମର ସଭାପତି ପଦ୍ମନାଭ ଖାଡ଼ଙ୍ଗା, ବିନାୟକ ଚମ୍ପତ୍ତି, ଅନ୍ତର୍ଯ୍ୟାମୀ ବଳିୟାରସିଂହ, ଜୟକୃଷ୍ଣ ରାଉତରାୟ, ପ୍ରମୋଦ ଚମ୍ପତ୍ତି, ପ୍ରକାଶ ଚମ୍ପତ୍ତି, ଦିଲୀପ କୁମାର ମହାପାତ୍ର, ପ୍ରକାଶ କୁମାର ସାହୁ, ଗୟାଧର ସାହୁ, ଗଜପତି ଦାସ ପ୍ରମୁଖ ସଭାକରି ଗାଁର କୌଣସି ଲୋକ ତୃପ୍ତିମୟୀଙ୍କ ପରିବାର ସହ କଥାବାର୍ତ୍ତା କରିବେ ନାହିଁ ବୋଲି ପରୱାନା ଜାରି କରିଥିଲେ। ଯିଏ କଥାବାର୍ତ୍ତା କରିବ ତାକୁ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବା ଭଳି ନିର୍ଦ୍ଦେଶନାମା ଜାରି କରିଥିବା ତୃପ୍ତିମୟୀ ଅଭିଯୋଗ କରିଛନ୍ତି।

ସେହିଭଳି ତାଙ୍କ ପରିବାର ନଳକୂପରୁ ପାଣି ନେବା ବନ୍ଦ କରିବା, ପୋଖରୀରେ ସ୍ନାନ କରିବା ଉପରେ କଟକଣା ଲାଗୁ କରିବା, ତାଙ୍କ ପିଲାମାନଙ୍କୁ ଅଙ୍ଗନବାଡ଼ିରେ ପାଠ ପଢ଼ିବାକୁ ବାରଣ କରିଥିବା ସହ ରାସ୍ତାଘାଟରେ ଗଲା ବେଳେ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ତୁପ୍ତିମୟୀ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ବେଆଇନ ସାମାଜିକ ବାସନ୍ଦ ହେବା ପରେ ସେ ମାନସିକ ଯନ୍ତ୍ରଣା ଭୋଗିବା ସହ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ତୁପ୍ତିମୟୀ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର କୁମାର ମୁର୍ମୁଙ୍କୁ ଭେଟି ଘଟଣାର ତୁରନ୍ତ ସମାଧାନ କରିବାକୁ ନିବେଦନ କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ମାସେ ଭିତରେ ତାଙ୍କ ସମସ୍ୟାର ସମାଧାନ ନକରେ ତେବେ ସେ ନବୀନ ନିବାସ ଆଗରେ ପରିବାର ସହ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe