ନୟାଗଡ଼ : କଙ୍ଗାରୁ କୋର୍ଟ, ଖଟ ବୁଲାଇ ଚୋର ଧରିବା ଭଳି ଘଟଣା ନୟାଗଡ଼ ଜିଲ୍ଲାରେ ଅସହ୍ୟ ହେଲାଣି। ଗତ ଦୁଇ ମାସରେ ଜିଲ୍ଲାରେ ୪ରୁ ଅଧିକ କଙ୍ଗାରୁ କୋର୍ଟ ଓ ଦୁଇଟି ଖଟବୁଲା ଭଳି ଘଟଣା ନଜରକୁ ଆସିଛି। ଗତକାଲି ନୟାଗଡ଼ ସଦର ଥାନା ଅନ୍ତର୍ଗତ ନଡ଼ିଆଳି ପଞ୍ଚାୟତର ଉଦୟପୁର ଗ୍ରାମରେ ଚୋର ଧରିବାକୁ ଖଟ ବୁଲୁଥିଲା। ପୁଲିସ୍କୁ ଏ ନେଇ ଖବର ଦିଆଯିବା ପରେ ଉଦୟପୁର ଗ୍ରାମରେ ପହଞ୍ଚି ତଦାରଖ କରିଥିଲା। ସଂପୃକ୍ତ ଗ୍ରାମବାସୀଙ୍କୁ ଥାନାକୁ ଡକାଯାଇ ବୈଠକ ମଧ୍ୟ କରାଯାଇଥିଲା, କିନ୍ତୁ ପୁଲିସ ସଂପୃକ୍ତ ଗୁଣିଆକୁ ଧରିନଥିଲା କି ଥାନାକୁ ମଧ୍ୟ ଡାକିନଥିଲା। ଫଳରେ ସଂପୃକ୍ତ ଗୁଣିଆ ଥାନାରେ ବୈଠକ ସରିବା ପରେ, ପୁଣି ରାତି ଗୋଟାଏରେ ଉଦୟପୁରରେ ଖଟ ବୁଲାଇ ସେହି ଗ୍ରାମର ମାଧବ ବେହେରାଙ୍କ ପରିବାରକୁ ଚୋର ସାବ୍ୟସ୍ତ କରିଥିଲେ। ଗ୍ରାମବାସୀ ଏବଂ ଗୁଣିଆର ସହଯୋଗୀମାନେ ମାଧବଙ୍କ ସମେତ ତାଙ୍କ ପତ୍ନୀ ସୁକାନ୍ତୀ ଓ ପୁଅକୁ ମାଡ଼ ମାରିବା ସହ ଦେଢ଼ ଲକ୍ଷ ଟଙ୍କା ଜରିମାନା କରିଥିବା ମାଧବ କହିଛନ୍ତି। ଏ ନେଇ ଏସ୍ପି ଶଶିଭୂଷଣ ଶତପଥୀଙ୍କୁ ପଚାରିବାରୁ, ସେ କହିଥିଲେ ଯେ, ଘଟଣା ସଂପର୍କରେ ଥାନାରେ ଅଭିଯୋଗ ହୋଇନାହିଁ। ତେବେ ଖବର ପାଇ ସଂପୃକ୍ତ ଗ୍ରାମକୁ ସେ ଏସ୍ଡିପିଓଙ୍କୁ ପଠାଇଥିଲେ। ଘଟଣା ସଂପର୍କରେ ଅନୁସନ୍ଧାନ ଚାଲିଥିବା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us