ସବୁ ଏସ୍‌ଏନ୍‌ସିୟୁରେ ମିଳିବ କଙ୍ଗାରୁ ମଦର୍‌ କେୟାର ସୁବିଧା

Advertisment
ସବୁ ଏସ୍‌ଏନ୍‌ସିୟୁରେ ମିଳିବ କଙ୍ଗାରୁ ମଦର୍‌ କେୟାର ସୁବିଧା

Photo by : kmcindia.org

ଭୁବନେଶ୍ୱର : ରାଜ୍ୟର ୩୦ଟି ଯାକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ଯତ୍ନ ଓ ଚିକିତ୍ସା ପାଇଁ ସ୍ପେସାଲ୍‌ ନ୍ୟୁ ବର୍ନ କେୟାର ୟୁନିଟ୍‌(ଏସ୍‌ଏନ୍‌ସିୟୁ) ଖୋଲିଛି। ଏହା ମଧ୍ୟରୁ ୨୬ଟିରେ କଙ୍ଗାରୁ ମଦର୍‌ କେୟାର(କେଏମ୍‌ସି) କେନ୍ଦ୍ର ଖୋଲିଛି। ଅବଶିଷ୍ଟ ଏସ୍‌ଏନ୍‌ସିୟୁରେ ଖୁବ୍‌ ଶୀଘ୍ର କେଏମ୍‌ସି କେନ୍ଦ୍ର ଖୋଲିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ଏହା ବାଦ୍‌ ୧୧ଟି ସବ୍‌ଡିଭିଜ୍‌ନାଲ୍‌ ହସ୍ପିଟାଲ୍‌ରେ ଡିସେମ୍ବର ସୁଦ୍ଧା ଏସ୍‌ଏନ୍‌ସିୟୁ ଖୋଲିବା ପାଇଁ ବିଭାଗ ଯୋଜନା କରିଛି।

କମ୍‌ ଓଜନ ଓ ଅପରିପକ୍ୱ ଶିଶୁମାନଙ୍କର ପାରମ୍ପରିକ ପଦ୍ଧତିରେ ଯତ୍ନ ନେବା କେଏମ୍‌ସିର ମୁଖ୍ୟ ଲକ୍ଷ୍ୟ। ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଏହି ପଦ୍ଧତିକୁ ସାରା ଦେଶରେ ଗୁରୁତର ସହ ଗ୍ରହଣ କରାଯାଇଛି। ଜନ୍ମରୁ କମ୍‌ ଓଜନ ଥିବା ଓ ବିପଦମୁକ୍ତ ନ ଥିବା ଶିଶୁମାନଙ୍କୁ କେଏମ୍‌ସିରେ ଭର୍ତ୍ତି କରାଯାଏ। ସେଠାରେ ମା’ର ନିଜ ଛାତିରେ ପିଲାଙ୍କୁ ଜାକି ଧରେ। ଦୀର୍ଘ ସମୟ ଧରି ମା-ଛୁଆ ଏହି ଅବସ୍ଥାରେ ରହିଲେ, ତାହା ପିଲାର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୁଏ। ଏହା ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ସ୍ତନ୍ୟପାନ ଅଭ୍ୟାସ କରାଇଥାଏ। ସୁସ୍ଥ ଜୀବନ ଜିଇଁବା ପାଇଁ ଶିଶୁକୁ ଏହା ସହାୟକ ହୋଇଥାଏ। ତେଲେଙ୍ଗାନା ପରି ନୂଆ ରାଜ୍ୟରେ କଙ୍ଗାରୁ ମଦର୍‌ କେୟାର ସର୍ବାଧିକ ସଫଳତାର ସହ ଚାଲିଛି। ଏହା ମାଧ୍ୟମରେ ସେଠାରେ ଶିଶୁ ମୃତ୍ୟୁହାର ଆଖିଦୃଶିଆ ଭାବେ କମିଛି।

ସମସ୍ତ ଏସ୍‌ଏନ୍‌ସିୟୁ ସହ କେଏମ୍‌ସିକୁ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସେହି ଅନୁଯାୟୀ ଓଡ଼ିଶାରେ ବି ଆବଶ୍ୟକ ପ୍ରସ୍ତୁତି ଚାଲିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ୨୦୦୦ ମସିହା ତୁଳନାରେ ରାଜ୍ୟରେ ଶିଶୁ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। ୨୦୦୫-୦୬ରେ ପ୍ରତି ହଜାରରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୬୫ ଥିଲା ବେଳେ ୨୦୧୫-୧୬ରେ ଏହା କମି ୪୦ରେ ପହଞ୍ଚିଛି। ଆସନ୍ତା ୩ ବର୍ଷ ମଧ୍ୟରେ ଏହାକୁ ୩୦କୁ ହ୍ରାସ କରିବାକୁ ଟାର୍ଗେଟ୍‌ ନିଆଯାଇଛି। ତେବେ ଓଡ଼ିଶାରେ ନବଜାତକ ଶିଶୁ (୦-୨୮ ଦିନ)ଙ୍କ ମୃତ୍ୟୁ ହାର ଅଧିକ ଥିବାରୁ ଏହାକୁ ହ୍ରାସ କରିବା ସରକାରଙ୍କ ପାଇଁ ବଡ଼ ଆହ୍ଵାନ। ଏଥିପାଇଁ କଙ୍ଗାରୁ ମଦର୍‌ କେୟାର ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe