କାନପୁର ପ୍ରକଳ୍ପ ବିସ୍ଥାପିତ-ପୁଲିସ ଖଣ୍ଡଯୁଦ୍ଧ; ଧୋବାକୁଚୁଡ଼ାରେ ଉତ୍ତେଜନା, ୧୪୪ ଧାରା ଜାରି

Advertisment
କାନପୁର ପ୍ରକଳ୍ପ ବିସ୍ଥାପିତ-ପୁଲିସ ଖଣ୍ଡଯୁଦ୍ଧ; ଧୋବାକୁଚୁଡ଼ାରେ ଉତ୍ତେଜନା, ୧୪୪ ଧାରା ଜାରି

ଶତାଧିକ ଘର ଧରାଶାୟୀ, ୪୦ଜଣଙ୍କୁ ଉଠାଇନେଲା ପୁଲିସ
କରୋନା ସମୟରେ ମାନବିକତା ଭୁଲିଗଲା ପ୍ରଶାସନ

ଯୋଡା : କରୋନା ସମୟରେ ମାନବିିକତା ଭୁଲିଗଲା ପ୍ରଶାସନ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ଗୋଟିଏ ପରେ ଗୋଟିଏ ଗାଁକୁ ମାଟିରେ ମିଶାଇ ଚାଲିଥିବା ବେଳେ ଆଜି ଏହାକୁ ନେଇ ପୁଲିସ ସହ ଖଣ୍ଡଯୁଦ୍ଧ ଘଟିଛି। ପୁଲିସ ମାଡ଼ରେ ବହୁ ବିସ୍ଥାପିତ ଲହୁଲୁହାଣ ହୋଇଥିବା ବେଳେ କେତେକ ପୁଲିସ ମଧ୍ୟ ବିସ୍ଥାପିତଙ୍କ ଢେଲା ମାଡ଼ରେ ଆହତ ହୋଇଛନ୍ତି। ଏମିତିକି ପୁଲିସ ଲୋକଙ୍କ ଘରେ ପଶି ପିଟିଥିବା ଅଭିଯୋଗ ହେଉଛି। ପୁଲିସ ଘଟଣାସ୍ଥଳରୁ ୪୦ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି। ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହିତ ଘର ଭଙ୍ଗା ଆରମ୍ଭ ହୋଇଥିଲା। ଆଜି ଶତାଧିକ ଘର ଭଙ୍ଗା ଯାଇଥିବା ସୂଚନା ମିଳିଛି।

publive-image

ଧୋବାକୁଚୁଡ଼ାରେ ବିସ୍ଥାପିତଙ୍କ ଘର ଭାଙ୍ଗିବା ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ କରାଯାଇଥିଲା। ସମସ୍ତ ବିସ୍ଥାପିତଙ୍କ ଥଇଥାନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ୧୮ ବର୍ଷରୁ ଊର୍ଦ୍ଧ୍ବ ପୁଅଝିଅଙ୍କୁ ସଂପ୍ରସାରଣ ବିସ୍ଥାପିତ ତାଲିକାରେ ଅନ୍ତର୍ଭୁକ୍ତ କରିବା ଓ କରୋନା ମହାମାରୀ ସମୟରେ ଘର ଭଙ୍ଗା ସ୍ଥଗିତ ରଖିବା ଆଦି ଦାବି ନେଇ ବିସ୍ଥାପିତମାନେ ଗତକାଲି ରାତିରୁ ଗ୍ରାମ ରାସ୍ତା ଅବରୋଧ କରିଥିଲେ। ଗୁରୁବାର ସକାଳେ ୬ ପ୍ଲାଟୁନ ପୁଲିସ ସହ ବଡବିଲ ଅତିରିକ୍ତ ତହସିଲଦାର ଲଳିତ କୁମାର ନାଏକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ପ୍ରସାଦ ଦେହୁରୀ, ଚମ୍ପୁଆ ଉପଖଣ୍ତ ପୁଲିସ ଅଧିକାରୀ ଦିଲୀପ କୁମାର ବାଗ, ବଡବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ଚମ୍ପୁଆ ଥାନା ଅଧିକାରୀ ବିଜୟକୃଷ୍ଣ ମହାପାତ୍ର, ପ୍ରକଳ୍ପ ନିଦେର୍ଶକ କୁଶଳ ଚନ୍ଦ୍ର ନାଏକ ଓ ଅନ୍ୟ ଅଧିକାରୀମାନେ ଗ୍ରାମ‌ରେ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଥିଲେ। ମାତ୍ର ବିସ୍ଥାପିତମାନେ ରାସ୍ତାରୁ ହଟି ନଥିଲେ। ଜିଦରେ ଅଟଳ ରହିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ବହୁ ବୁଝାସୁଝା ପରେ ବିସ୍ଥାପିତମାନେ ରାସ୍ତାରୁ ନ ଉଠିବାରୁ ପୁଲିସ ସେମାନଙ୍କ ଉପରେ ଲାଠି ମାଡ଼ କରିଥିଲେ। ବିସ୍ଥାପିତମାନେ ମଧ୍ୟ ପୁଲିସ ଉପରୁ ପ୍ରବଳ ଢେଲାମାଡ଼ କରିଥିଲେ। ପୁଲିସ ବିସ୍ଥାପିତମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟି ଘଉଡ଼ାଇ ଦେଇଥିଲା। ଘଟଣାସ୍ଥଳରୁ ୪୦ ଜଣଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି।

publive-image

ପୁଲିସ ମାଡ଼ ଭୟରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପରେ ପ୍ରଶାସନ ଗାଁରେ ପଶି ଘର ଭଙ୍ଗା କାମ ଆରମ୍ଭ କରିଥି‌ଲା। ଘର ଭଙ୍ଗା ଦୁଇ ଦିନ ଧରି ଚାଲିବ। ଗ୍ରାମର ସଂପୂର୍ଣ୍ଣ କ୍ଷତିପୂରଣ ଟଙ୍କା ନେଇଥିବା ୩୪୨ ଜଣ ବିସ୍ଥାପିତଙ୍କ ଘର ଭଙ୍ଗା ଯିବ ବୋଲି ପ୍ରକଳ୍ପ ପକ୍ଷରୁ ସୂଚନା ମିଳିଛି। ବିସ୍ଥାପିତଙ୍କ ଘର ଭଙ୍ଗା ଯିବା ପରେ ଗ୍ରାମରେ ଭୟଙ୍କର ପରିସ୍ଥିତି ଦେଖାଦେଇଛି। କରୋନା ମହାମାରୀ ସମୟରେ ପ୍ରଶାସନର ଏପରି ନିଷ୍ପତ୍ତି ଏବଂ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିସ୍ଥାପିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe