ବଲାଙ୍ଗୀର: ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ। ଜଣେ ଆଉ ଜଣଙ୍କ ପାଇଁ ହେଉଛନ୍ତି ପ୍ରେରଣା। କଠିନ ପରିଶ୍ରମ ସହ ସେବା ମନୋଭାବରେ ପାଠପଢ଼ି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚକୁ ଚଢୁଛନ୍ତି। ଆଇଏଏସ୍, ଆଇଆର୍ଏସ୍ ହୋଇ କଣ୍ଟାବାଞ୍ଜିର ନାଁକୁ ଆଗକୁ ନେଉଛନ୍ତି। ଗତ ୨୦୦୯ ମସିହାରୁ କଣ୍ଟାବାଞ୍ଜିରୁ ଜଣେ ପରେ ଜଣେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଚଳିତଥର କଣ୍ଟାବାଞ୍ଜି ସହରର ନବଲ କିଶୋର ଜୈନ ୧୨୫ ରୢାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳ ପ୍ରକାଶିତ ହେବା ପରେ କଣ୍ଟାବାଞ୍ଜି ସହର ତଥା ବଲାଙ୍ଗୀର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।
/sambad/media/post_attachments/wp-content/uploads/2020/08/ତ87ୀକତ98ୀ7କତ98ୀ7କତୀ9-3.jpg)
ସୂଚନା ଯୋଗ୍ୟ ଯେ, ପ୍ରଥମ କରି କଣ୍ଟାବାଞ୍ଜିର ଅରବିନ୍ଦ ଅଗ୍ରୱାଲ ସର୍ଭଭାରତୀୟ ସ୍ତରରେ ୯ ନଂ ରୢାଙ୍କରେ ରଖି କୃତକାର୍ଯ୍ୟ ହୋଇଥିଲେ। ସେ ଛୋଟବେଳୁ ମେଧାବୀ ଛାତ୍ର ଥିବା ବେଳେ ବି.କମ୍ ପାଠ୍ୟକ୍ରମରେ ଭଲ ନମ୍ବର ରଖିଥିଲେ। ସିଏ ପାସ କରିବା ପରେ ଆଇଏଏସ୍ ହେବା ଲକ୍ଷ୍ୟ ନେଇ ସେ ଦିଲ୍ଲୀରେ କୋଚିଂ କରି ସଫଳତା ପାଇଥିଲେ। ବହୁ ଦିନ ଧରି ସେ ପୁରୀ ଜିଲ୍ଲାପାଳ ରହିଥିଲେ। ତାଙ୍କ ପରେ ୨୦୧୨ ମସିହାରେ କଣ୍ଟାବାଞ୍ଜିର ବିଜୟ ଅଗ୍ରୱାଲଙ୍କ ପୁଅ ମନିଷ ଅଗ୍ରୱାଲ ସିଭିଲ ସର୍ଭିସ ପରୀକ୍ଷାରେ ୬୧ ନଂ ରୢାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରାଥମିକ ଶିକ୍ଷା ପରେ ସେ ଜୟପୁର ରାଜସ୍ଥାନରେ ପାଠ ପଢିଥିଲେ। ସେ ମଧ୍ୟ ଦିଲ୍ଲୀରେ ରହି ପ୍ରସ୍ତୁତି କରି ଆଇଏଏସ୍ ପାଇଥିଲେ। ୨୦୧୪ ମସିହାରେ ବଲାଙ୍ଗୀର ଜିଲ୍ଲାର ପ୍ରଥମ ମହିଳା ଭାବରେ କଣ୍ଟାବାଞ୍ଜିର ସାରିକା ଜୈନ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାକୁ ଆସିଥିଲେ। ସାରିକା ୫୨୭ ନଂ ରୢାଙ୍କରେ ରହିଥିଲେ। କଣ୍ଟାବାଞ୍ଜି ନିବାସୀ ସାଧୁରାମ ଜୈନ ଓ ସନ୍ତୋଷ ଦେବୀଙ୍କ ସେ ଝିଅ ଅଟନ୍ତି। କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପରେ କଣ୍ଟାବାଞ୍ଜିର ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍ନାତକ ପରେ ଦିଲ୍ଲୀ ଯାଇ ସିଭିଲ ସର୍ଭିସ ପାଇଁ କୋଚିଂ ନେଉଥିଲେ। ପିଲାଟି ଦିନରୁ ପୋଲିଓ ଆକ୍ରାନ୍ତ ହୋଇ ବି ସେ ନିଜର କଠୋର ପରିଶ୍ରମ ବଳରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟସାରା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏହା ପରେ କଣ୍ଟାବାଞ୍ଜିର ସନ୍ତୋଷ ଜୈନଙ୍କ ପୁଅ ଗୌରବ ଜୈନ ୨୦୧୯ରେ ସିଭିଲ ସର୍ଭିସ ପରୀକ୍ଷାରେ ରିଜର୍ଭ ତାଲିକାରେ ୨୧ ନଂ ରୢାଙ୍କରେ ରହିଥିଲେ। ସେ ଇଣ୍ଡିଆନ ପୋଷ୍ଟାଲ ସର୍ଭିସରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଏଥର ପ୍ରକାଶିତ ପରୀକ୍ଷାରେ ନବଲ କୁମାର ଜୈନ ୧୨୫ ରୢାଙ୍କ ରଖି କଣ୍ଟାବାଞ୍ଜିର ନାଁକୁ ଆହୁରି ପାଦଟିଏ ଆଗକୁ ନେଇଛନ୍ତି। ଏଭଳି କ୍ରମାଗତ ଭାବରେ ସିଭିଲ ସର୍ଭିସରେ କଣ୍ଟାବାଞ୍ଜିର ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ବିଭିନ୍ନ ମହଲରୁ ଅଭିନନ୍ଦନର ସୂଅ ଛୁଟୁଛି।
Follow Us