ମମିତା ମେହେର ପ୍ରସଙ୍ଗକୁ ତାଜାକଲେ କଣ୍ଟାବାଞ୍ଜି ବିଧାୟକ

Advertisment

ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିବେ

ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିବେ

ମମିତା ମେହେର ପ୍ରସଙ୍ଗକୁ ତାଜାକଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର/କଣ୍ଟାବାଞ୍ଜି: ବେଶ୍‌ କିଛିଦିନର ବ୍ୟବଧାନରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ପୁଣିଥରେ ତେଜିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ପୀଡ଼ିତ ପରିବାରବର୍ଗଙ୍କୁ ଭେଟିବା ସହିତ ଏହି ପ୍ରସଙ୍ଗକୁ ତାଜା କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପାଇଁ ସେ ମମିତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।

ବିଧାୟକ ଶ୍ରୀ ବାଗ ରବିବାର ଦିନ ମମିତାଙ୍କ ପୈତୃକ ଘର ଝରଣି ଗାଁରେ ପହଞ୍ଚି ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ମମିତା ହତ୍ୟା ଘଟଣାରେ ଏବେ ବି ସେମାନେ ସିବିଆଇ ତଦନ୍ତ ସହ ନ୍ୟାୟ ଦାବି କରୁଥିବା ବିଧାୟକଙ୍କୁ ଜଣାଇଥିଲେ। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍‌ ଭିତରେ ସନ୍ଦେହଜନକ ମୃତ୍ୟୁପରେ ଏହି ମାମଲା ଶିଥିଳ ପଡ଼ିଛି। ସିବିଆଇ ତଦନ୍ତ ପରେ ହିଁ ମାମଲା ଉପରୁ ପରଦା ଉଠିବ ଏବଂ ବଡ଼ବଡ଼ିଆଙ୍କ ଅସଲ ଚେହେରା ସାମ୍‌ନାକୁ ଆସିବ ବୋଲି ମମିତାଙ୍କ ପିତା ସୁଚନ୍ଦ୍ର ମେହେର କହିଥିଲେ। ଏଥିସହିତ, ମମିତାଙ୍କ ମୃତ୍ୟୁ ପରେ ବାପା ସୁଚନ୍ଦ୍ର ଓ ମା’ ତୁଳସୀ ଏବେ ହୃଦ୍‌ରୋଗରେ ପୀଡ଼ିତ। ପରିବାର ଚଳାଇବା ପାଇଁ ମମିତାଙ୍କ ଭାଇକୁ ଚାକିରି ଦେଇ ଥଇଥାନ କରିବାକୁ ସେମାନେ ଦାବି ରଖିଥିଲେ।

ଆଲୋଚନା ଅବସର‌ରେ ବିଧାୟକ ଶ୍ରୀ ବାଗ କହିଥିଲେ, ମମିତାଙ୍କ ଉପଯୁକ୍ତ ନ୍ୟାୟ ମିଳିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ଏହାକୁ ଦୃଷ୍ଟିରେ ରଖି ସିବିଆଇ ତଦନ୍ତ ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ। ଆଜିର ଆଲୋଚନା ସମୟରେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ନଗର ସଭାପତି ବେଦବ୍ୟାସ ନାଗ, ଅକ୍ଷମ ମେହେର, ଈଶ୍ୱର ନାଏକ, ଆନନ୍ଦ ସାହୁ, ପ୍ରମୋଦ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe