ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ସଦର ମହକୁମାରୁ ୮୦ କିମି ଦୂରରେ ଥିବା କଣ୍ଟାମାଳ ବ୍ଲକ ପ୍ରଶାସନିକ କ୍ଷେତ୍ରରେ ଅବହେଳାର ଶିକାର ହୋଇ ଆସୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡ଼ିକର ଉଚିତ ତଦାରଖ ଓ ଅଗ୍ରଗତି ସଂପର୍କରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ କାମଗୁଡ଼ିକ ଅଧପନ୍ତରିଆ ପଡ଼ିରହିଛି। ପ୍ରତିବାଦ ସ୍ବରୂପ ଶନିବାର କଣ୍ଟାମାଳବାସୀ ଜିଲ୍ଲାପାଳ ଓ ଡିଆର୍ଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ଅଟକାଇଥିଲେ।
/sambad/media/post_attachments/wp-content/uploads/2021/11/bf13e42f-50b4-4fc0-969e-25e5594a4e4c.jpg)
ପ୍ରକାଶଥାଉ କି ଶନିବାର ଜିଲ୍ଲାପାଳଙ୍କ କଣ୍ଟାମାଳ ଗସ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ସଂଘ ସଭାପତି ଡମ୍ବରୁଧର କଅଁରଙ୍କ ନେତୃତ୍ୱରେ କଣ୍ଟାମାଳ ଅଞ୍ଚଳର ବହୁ ପୁରୁଷ ଓ ମହିଳା ୪୧ ନମ୍ବର ରାଜ୍ୟ ରାଜପଥରେ ଜଗି ରହିଥିଲେ। ଜିଲ୍ଲାପାଳ ପହଞ୍ଚିବା ପରେ ସେମାନେ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରିଥିଲେ। ସମସ୍ୟାଗୁଡ଼ିକ ମଧ୍ୟରେ କଣ୍ଟାମାଳ-ତରଭା ଆପ୍ରୋଚ ରାସ୍ତାର ଜମି ଅଧିଗ୍ରହଣ, ଚିଲ୍ଡ୍ରେନ୍ ପାର୍କ ସମସ୍ୟା, ଗବଯୋର-ବୈଦ୍ୟନାଥ ପୋଲ ଆପ୍ରୋଚ ରାସ୍ତା ସମସ୍ୟା ଏବଂ ଦୀର୍ଘ ଦିନରୁ କଣ୍ଟାମାଳର ମହିଳାମାନେ ଦାବି କରିଆସୁଥିବା ନୂତନ ପଦ୍ଧତ୍ତିରେ ଗାଁ’କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ସଂପର୍କରେ ଜଣାଇଥିଲେ।
/sambad/media/post_attachments/wp-content/uploads/2021/11/afa700b3-0a35-4d6a-add7-bda85377fb46.jpg)
ତେବେ ଏହି ସମୟରେ କ଼ଣ୍ଟାମାଳ ଦେଉଳଡୁଙ୍ଗୁରିର ସୁନାଶିର ନାମକ ଜଣେ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ଡିଆର୍ଡିଏ ପ୍ରକଳ୍ପ ନିର୍ଦେଶକଙ୍କ ଗାଡ଼ି ଆଗରେ ଶୋଇପଡି ତାଙ୍କ ଦାବି ଉପସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ଏସବୁ ସମସ୍ୟା ସଂପର୍କରେ ସଂପୃକ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
Follow Us