କପିଳପ୍ରସାଦ-ହରିରାଜପୁର ରାସ୍ତା ପ୍ରଶସ୍ତୀକରଣ: କାମ ବନ୍ଦକଲା ଶ୍ରୀମନ୍ଦିର ପ୍ରଶାସନ

Advertisment
କପିଳପ୍ରସାଦ-ହରିରାଜପୁର ରାସ୍ତା ପ୍ରଶସ୍ତୀକରଣ: କାମ ବନ୍ଦକଲା ଶ୍ରୀମନ୍ଦିର ପ୍ରଶାସନ

ପୁରୁଣା ଭୁବନେଶ୍ବର: ବହୁ ପ୍ରତୀକ୍ଷିତ କପିଳପ୍ରସାଦ-ହରିରାଜପୁର ରାସ୍ତା ପ୍ରଶସ୍ତୀକରଣ କାମ ଅଟକିଯାଇଛି। ହରିରାଜପୁର ପଟୁ ମାତ୍ର ୮ ଶହ ମିଟର କାମ ହେବା ପରେ ବନ୍ଦ ହୋଇଯାଇଛି। ଜଗନ୍ନାଥଙ୍କ ଜମି ପାଇଁ କ୍ଷତିପୂରଣ ମିଳିନଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାମ ବନ୍ଦ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି। କେବେ ଏହି ସମସ୍ୟାର ସମାଧାନ ହେବ ଏବଂ ପୁଣି କାମ ଆରମ୍ଭ ହେବ, ସେନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ସୁନ୍ଦରପଦାରୁ ହରିରାଜପୁରର ଦୂରତା ୧୪ କିମି। ପ୍ରଥମ ପର୍ଯ୍ୟାୟରେ କୁହା ଗାଁ ଛକରୁ ହଇରାଜପୁର ଛକ ପର୍ଯ୍ୟନ୍ତ ୮ କିମି ରାସ୍ତାର ପ୍ରଶସ୍ତୀକରଣ ପାଇଁ ୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗତ ୧୦ ଦିନ ପୂର୍ବେ ହରିରାଜପୁର ପଟୁ କାମ ଆରମ୍ଭ ହୋଇଥିଲା। ଏହି ୮କିଲୋମିଟର ରାସ୍ତାକୁ ୪ ଲେନ୍‌ କରାଯିବ। କିନ୍ତୁ ଏବେ ସମସ୍ୟା ହେଲାଣି ଜଗନ୍ନାଥଙ୍କ ଜମି। ଶ୍ରୀମନ୍ଦିର ପ୍ରଶାସନ ପୂର୍ତ୍ତ ବିଭାଗକୁ ଚିଠି କରିଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ଯେତିକି ଜମି ଅଧିଗ୍ରହଣ କରାଯିବ, ପ୍ରଥମେ ସେଥିପାଇଁ କ୍ଷତି ପୁରଣ ପଇଠ କରିବାକୁ ପଡ଼ିବ ବୋଲି କୁହାଯାଇଛି। ତେଣୁ ଏବେ ରାସ୍ତା କାମ ବନ୍ଦ ରହିଛି। ସୂଚନାଯୋଗ୍ୟ ଯେ ଏହି ରାସ୍ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗ କୁହାରୁ ହରିରାଜପୁର ୮ କିଲୋମିଟର, ଦ୍ବିତୀୟ ଭାଗ ବୋତଣ୍ଡାରୁ କୁହା ୩ କିଲୋମିଟର ଏବଂ ତୃତୀୟ ଭାଗ ବୋତଣ୍ଡାରୁ ସୁନ୍ଦରପଦା ୩ କିଲୋମିଟର। କୁହାରୁ ହରିରାଜପୁର ରାସ୍ତାକୁ ଚାରି ଲେନ୍‌ କରାଯିବ ଏବଂ ମଝିରେ ଅଢ଼େଇ ମିଟର ମେଡିଆନ୍ ରହିବ। ଏହି ୮ କିମି ରାସ୍ତା କଡ଼ରେ ପ୍ରଧାନସାହି, ଜାମୁକୋଳି, ନିରଞ୍ଜନପୁର ଆଦି ଗାଁ ଲୋକଙ୍କ ସ୍ଥିତିବାନ ଜମି ରହିଛି। ଏହାକୁ ନିୟମାନୁସାରେ ଅଧିଗ୍ରହଣ କରାଯିବ। ସେହିଭଳି ଏହି ରାସ୍ତାରେ ଥିବା ଗଛ କାଟିବା ପାଇଁ ବନ ବିଭାଗରୁ ଅନୁମତି ମିଳିଛି। ବୀରବନ୍ଧଠାରେ ଗଙ୍ଗୁଆ ନଈ ଉପରେ ୨ କୋଟି ୬୫ଲକ୍ଷ‌ ଟଙ୍କା ବ୍ୟୟରେ ବ୍ରିଜ୍‌ କରାଯାଇଛି। ମାତ୍ର ନୂଆ ସମସ୍ୟା ଦେଖାଯାଇଛି ପୁରୀ ଶ୍ରୀମନ୍ଦିର ଜମି ବାବଦ କ୍ଷତିପୂରଣ। ଏନେଇ ଆଲୋଚନା ଚାଲିଛି ଏବଂ ଜମି ମାପଚୁପ ପରେ କ୍ଷତିପୂରଣ ପଇଠ କରାଯିବ ବୋଲି ସୂଚନା ମିଳିଛି।

୨୦୦୯ ମସିହାରେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା। ପିଚୁ ପକାଇ ମରାମତି ହେଲା ସିନା ପ୍ରଶସ୍ତୀକରଣ ହେଲାନାହିଁ। ଏହା ଭିତରେ ଏହି ଅଞ୍ଚଳରେ ଜନବସତି ବଢ଼ିଗଲାଣି। ଏବେ ଏହି ରାସ୍ତାର ଦୁଇ ପାର୍ଶ୍ବରେ ନୂଆ ନୂଆ କଲୋନି, ଜାଭିୟର୍‌ ବିଶ୍ବବିଦ୍ୟାଳୟ ଭଳି ବଡ଼ବଡ଼ ଶିକ୍ଷାନୁଷ୍ଠାନ ଗଢ଼ିଉଠିଲାଣି। ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଗୋଦାମ ସଂଖ୍ୟା ମଧ୍ୟ ବଢ଼ିଗଲାଣି। ଫଳରେ ଏହି ରାସ୍ତା ଏବେ ରାଜଧାନୀର ଅନ୍ୟତମ ଜନଗହଳିପୂର୍ଣ୍ଣ ରାସ୍ତାରେ ପରିଣତ ହୋଇଛି। ତେଣୁ ଟ୍ରାଫିକ୍‌ ଜାମ୍‌ ଏକ ନିତିଦିନିଆ ସମସ୍ୟା ହୋଇଗଲାଣି। ମାତ୍ର ୧୪ କିମି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏ ଲାଗୁଛି। ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନଥିବାରୁ ରାତିରେ ଅସାମାଜିକତତ୍ତ୍ବଙ୍କ ଆଡ଼ା ଜମୁଛି। ଚୋରି, ଡକାୟତି, ଛିନ୍‌ତାଇ ଓ ରାହାଜାନି ଏହି ଅଞ୍ଚଳରେ ନିତିଦିନିଆ ଘଟଣା ପାଲଟିଯାଇଛି। ତେଣୁ ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ଷ୍ଟ୍ରିଟ୍‌ ଲାଇଟ୍ ବ୍ୟବସ୍ଥା ତୁରନ୍ତ ସରୁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe