ଶ୍ରୀମନ୍ଦିରରୁ ହଟିଲା କାର୍ତ୍ତିକ କଟକଣା: ଆଜିଠୁ ପୁଣି ଚାରିଦ୍ବାରରେ ଦର୍ଶନ

ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ଲାଗିଥିବା ଦର୍ଶନ କଟକଣା ହଟାଇ ଦିଆଯାଇଛି। ଶନିବାରଠାରୁ ପୁଣି ଥରେ ଚାରିଦ୍ବାରରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି।

jagannath temple-the financial express

ପୁରୀ: ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ଲାଗିଥିବା ଦର୍ଶନ କଟକଣା ହଟାଇ ଦିଆଯାଇଛି। ଶନିବାରଠାରୁ ପୁଣି ଥରେ ଚାରିଦ୍ବାରରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତ ପୂର୍ବଭଳି ଚାରିଦ୍ବାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ। କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରରେ ପ୍ରସ୍ଥାନ କଟକଣା ଲଗାଯାଇଛି। କିନ୍ତ ସେବକ ଓ ସେମାନଙ୍କ ପରିବାରବର୍ଗ ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଡ.ପାଢ଼ୀ କହିଛନ୍ତି। ଆଜି କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। 

ବୈଠକର ନିଷ୍ପତ୍ତିକ୍ରମେ ନଭେମ୍ବର ୧୬ ତାରିଖ ଶନିବାରଠାରୁ ପୁଣିଥରେ ଚାରିଦ୍ବାର ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକ ଡ.ପାଢ଼ୀ କହିଛନ୍ତି, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ ଦର୍ଶନ କରିବା ସହ କାର୍ତ୍ତିକ ବ୍ରତ ସମାପନ କରିଛନ୍ତି। ଏ ବର୍ଷ କାର୍ତ୍ତିକ ମାସର ନୀତିକାନ୍ତି ସଂପାଦନ, ଦର୍ଶନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣରେ ସହଯୋଗ ପାଇଁ ସେବକ ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, କାର୍ତ୍ତିକ ମାସ ଭିଡ଼ ପାଇଁ ଗତ ଅକ୍ଟୋବର ୧୮ ତାରିଖରୁ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନରେ କଟକଣା ଲଗାଯାଇଥିଲା। କେବଳ ଶ୍ରୀମନ୍ଦିର ସିଂହଦ୍ବାର ଓ ପଶ୍ଚିମଦ୍ବାରରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଥିଲା। ସିଂହଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ବନ୍ଦ ରହିଥିବାବେଳେ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଥିଲା। ପଞ୍ଚକରେ କେବଳ ସିଂହଦ୍ବାରରେ ପ୍ରବେଶ ଓ ଅନ୍ୟ ତିନିଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେବାୟତ ଓ ସେମାନଙ୍କ ପରିବାର କ୍ଷେତ୍ରରେ ଏହି କଟକଣା ଲଗାଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe