ପାଚିବା ପୂର୍ବରୁ ଝଡ଼ିପଡ଼ୁଛି କଷି ଆମ୍ବ: କୋରାପୁଟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

Advertisment

୧୭୫୦ ହେକ୍ଟର ଜମିରେ ହୋଇଛି ଚାଷ, ଚିନ୍ତାରେ ଚାଷୀ

୧୭୫୦ ହେକ୍ଟର ଜମିରେ ହୋଇଛି ଚାଷ, ଚିନ୍ତାରେ ଚାଷୀ

ପାଚିବା ପୂର୍ବରୁ ଝଡ଼ିପଡ଼ୁଛି କଷି ଆମ୍ବ: କୋରାପୁଟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

କୋରାପୁଟ: କୋରାପୁଟ ଆମ୍ବକୁ ଦାଉ ସାଧୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ହଠାତ୍ ତାପମାତ୍ରାରେ ବୃଦ୍ଧି ଓ କମ୍ ବର୍ଷା କାରଣରୁ ପାଚିବା ପୂର୍ବରୁ ଝଡ଼ିପଡ଼ୁଛି କଅଁଳିଆ ଆମ୍ବ। ଚଳିତ ବର୍ଷ ୧୭୫୦ ହେକ୍ଟର ଜମିରେ ଆମ୍ବ ଚାଷ ହୋଇଥିଲେ ମଧ୍ୟ ଫଳ ନଷ୍ଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଫଳରେ ଚଳିତ ବର୍ଷ କୋରାପୁଟିଆ ଆମ୍ବର ସ୍ବାଦରୁ ବଞ୍ଚିତ ହେବେ ରାଜ୍ୟ ସହ ଦେଶବିଦେଶର ଗ୍ରାହକ। ଚଳିତ ବର୍ଷ ଗଛରେ ଭଲ ବଉଳ ଆସିଥିଲା। ଫଳ ବି ଭଲ ଧରିଥିଲା। ହେଲେ ଆମ୍ବ କିଛି ବଢ଼ିବା ପରେ ଝଡ଼ିପଡ଼ୁଥିବା ଦେଖିବାକୁ ମିଳୁଛି। ପ୍ରତି ବର୍ଷ ମାର୍ଚ୍ଚ ପ୍ରଥମରୁ ଦ୍ବିତୀୟ ସପ୍ତାହରେ ବର୍ଷା ହେବା ଦ୍ବାରା ଆମ୍ବ ଗଛରେ ଆସିଥିବା ଫୁଲରେ ଫଳ ହେବା ଆରମ୍ଭ କରିଥାଏ। କିନ୍ତୁ ଚଳିତ ବର୍ଷ ସଅଳ ଫୁଲ ଆସିଥିଲେ ବି ବର୍ଷା ହେଉନଥିବାରୁ ଆଶାନୁରୂପ ଫଳ ଆଦାୟ ନେଇ ଶଙ୍କାରେ ଅଛନ୍ତି ଚାଷୀ। ଯେଉଁଠି ଆମ୍ବ ବଗିଚାକୁ ଜଳସେଚନର ସୁବିଧା ଅଛି ସେଠାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବିଶେଷ କରି ବସନ୍ତରେ ଆମ୍ବ ଚାଷ ଉପରେ ଗଭୀର ପ୍ରଭାବ ଦେଖିବାକୁ ମିଳିଛି। କୋରାପୁଟ ସୁସ୍ବାଦ ଆମ୍ବର ଚାହିଦା ରାଜ୍ୟ ସହ ଦେଶବିଦେଶରେ ରହିଥିବାରୁ ଆଗୁଆ ବରାଦ ହୋଇଛି।

କୋରାପୁଟ ଜିଲ୍ଲାର ଜୟପୁର, ବୈପାରିଗୁଡ଼ା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ନାରାୟଣପାଟଣା, ଲକ୍ଷ୍ମୀପୁର, ବନ୍ଧୁଗାଁ, ସେମିଳିଗୁଡା, ପଟାଙ୍ଗୀ ବ୍ଲକରେ ଆମ୍ବ ଚାଷ ବ୍ୟାପକ ଭାବେ ହେଉଛି। ଚଳିତ ବର୍ଷ ସରକାରୀ ଭାବେ ୧୫୦ ହେକ୍ଟରରେ ଏବଂ ବେସରକାରୀ ଭାବେ ୯୫୦ ହେକ୍ଟର ଜମିରେ ୧୨୩୪ ଚାଷୀ ଆମ୍ବ ଚାଷ କରିଛନ୍ତି। ସେହିପରି ମନରେଗାରେ ୬୫୦ ହେକ୍ଟରରେ ଆମ୍ବ ଗଛ ରୋପଣ ହୋଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ୍ବ ଉପରେ ପଡ଼ିବା ପରେ ବଜାରୀକରଣ ଦାୟିତ୍ବରେ ଥିବା ଓରମାସ୍ ଆମ୍ବ ରପ୍ତାନିକୁ ନେଇ ଚିନ୍ତାରେ ପଡ଼ିଛି। ଏ ନେଇ ଚାଷୀ ଜି. ଗୋକୁଲ୍‌ କହିଛନ୍ତି ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଫୁଲ ଆସିଥିଲା, ଭଲ ଫଳ ହେବ ବୋଲି ଅନୁମାନ କରୁଥିଲୁ। କିନ୍ତୁ ପାଚିବା ପୂର୍ବରୁ ଆମ୍ବ ଝଡ଼ି ପଡୁଛି। ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳ କହିଛନ୍ତି, ଆମ୍ବ ଗଛରେ ବଉଳ ଆସିବା ଆରମ୍ଭ ହେଲେ ମହୁ ଭଳି ରାସାୟନିକ ପଦାର୍ଥ ବାହାରିଥାଏ। ସେଥିରେ କବକ ଲାଗିଲେ ଆମ୍ବ ବଉଳ ପୋଡିଯାଏ ଓ କଳା ପଡିଯାଏ। ଏହାର ନିରାକରଣ ପାଇଁ ଆମ୍ବ ବଉଳ ଆସିବାର ୨ରୁ ୩ ସପ୍ତାହ ପୂର୍ବରୁ ଲିଟର ପାଣିରେ ୪ ଗ୍ରାମ ସଲଫ୍ୟାକ୍ସ ମିଶାଇ ସିଞ୍ଚନ କଲେ ଆମ୍ବ ବଉଳ ନଷ୍ଟ ହୁଏ ନାହିଁ କି ଛୋଟ ଆମ୍ବ ଝଡ଼େ ନାହିଁ। ସୂଚନାଯୋଗ୍ୟ, ଜିଲ୍ଲାରେ ଆମ୍ବ ଚାଷକୁ ବ୍ୟାପକ କରିବା ପାଇଁ ଚଳିତ ବର୍ଷ ରାଜ୍ୟ ଯୋଜନାରେ ୭୨୦୦ ନୂତନ ଚାରାରୋପଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe