ଜିନ୍ଦଲ ହାତରେ କାଶିଆ ଖଣି

ଗନ୍ଧମାର୍ଦ୍ଦନରୁ ରେଳରେ ଖଣିଜ ପରିବହନ ଯୋଜନା ଚୂଡ଼ାନ୍ତ

India TV News

କେନ୍ଦୁଝର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଖଣି ଲିଜ୍ ପ୍ରଦାନ ପାଇଁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟାରେ ପ୍ରଥମେ କାଶିଆ ଆଇରନ ଓର୍‌ ଆଣ୍ଡ ଡୋଲାମାଇଟ୍‌ ଖଣିକୁ ଜିନ୍ଦଲ (ଜେଏସ୍‌ପିଏଲ୍‌) ପାଇବାରେ ସଫଳ ହୋଇଛି। ନିଲାମ ପ୍ରକ୍ରିୟାରେ ୭ଟି କମ୍ପାନି ସାମିଲ ହୋଇଥିବା ବେଳେ ସର୍ବାଧିକ ୧୧୮.୧ ପ୍ରତିଶତ ପ୍ରମିୟମ ଦେଇ ଜିନ୍ଦଲ କାଶିଆ ଖଣି ନେବାରେ ସଫଳ ହୋଇଛି।

କାଶିଆ ଆଇରନ ଓର୍‌ ଓ ଡୋଲାମାଇଟ୍ ଖଣି ୧୯୪.୧୯୬ ହେକ୍ଟର ଜମିରେ ଅବସ୍ଥିତ। ଏଥିରୁ ଜଙ୍ଗଲ ଜମି ୧୭୬.୧୭୯ ହେକ୍ଟର ଏବଂ ଅଣଜଙ୍ଗଲ ଜମି ହେଉଛି ୧୮.୦୧୭ ହେକ୍ଟର। ଏହି ଖଣିରେ ୨୭୮.୦୪ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବାବେଳେ ୦.୬୯୩ ନିୟୁତ ଟନ୍ ଡୋଲାମାଇଟ୍ ଗଚ୍ଛିତ ଅଛି। ଏହି ଖଣିରୁ ପୂର୍ବରୁ ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରି୍ ଖଣିଜ ଉତ୍ତୋଳନ କରୁଥିଲା। ଏହାର ଲିଜ୍ ଅବଧି ସରିବା ପରେ ଅନ୍ୟ ୧୦ଟି ଖଣି ସହ କାଶିଆ ଆଇରନ ଓର୍‌ ଓ ଡୋଲାମାଇଟ୍ ଖଣିକୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିଲା। ଏହି ଖଣି ଲିଜ୍ ନେବାକୁ ନିଲାମ ପ୍ରକ୍ରିୟାରେ ୧୧ଟି କମ୍ପାନି ଆବେଦନ କରିଥିଲେ। ପ୍ରାଇସ୍‌ ବିଡିଂରେ ୭ଟି କମ୍ପାନି ଉତ୍ତୀର୍ଣ୍ଣ ‌ହୋଇଥିଲେ। ସେମାନେ ହେଲେ ଏସେଲ ମାଇନିଂ, ଟାଟାଷ୍ଟିଲ, ରୁଙ୍ଗଟା ମାଇନ୍‌ସ, ଏମ୍‌ଏସ୍‌ପିଏଲ୍‌, ଜେଏସ୍‌ପିଏଲ୍‌, ଆର୍ସେଲର ମିତ୍ତଲ ଏବଂ ଇଲେକ୍ଟ୍ରୋ ଷ୍ଟିଲ୍‌ ଲିମିଟେଡ। ଏସେଲ୍‌ ମାଇନିଂ ସର୍ବଧିକ ୯୫.୬ ପ୍ରତିଶତ ବିଡିଂ ପ୍ରାଇସ୍ ରଖିଥଲା। ସେହିପରି ଟାଟାଷ୍ଟିଲ ୮୮ ପ୍ରତିଶତ, ରୁଙ୍ଗଟା ମାଇନ୍‌ସ ୮୬ ପ୍ରତିିଶତ, ଏମ୍‌ଏସ୍‌ପିଏଲ୍‌ ୮୫ ପ୍ରତିଶତ, ଜେଏସ୍‌ପିଏଲ୍‌ ୮୪ ପ୍ରତିଶତ, ଆର୍ସେଲର ମିତ୍ତଲ ୮୦.୨୫ ପ୍ରତିଶତ, ଇଲୋକ୍ଟ୍ରୋ ଷ୍ଟିଲ୍‌ ୮୦ ପ୍ରତିଶତ ବିଡିଂ ପ୍ରାଇସ୍ ରଖିଥିଲା। ଗତିକାଲି କମ୍ପାନି ଗୁଡ଼ିକୁ ନେଇ ଖଣି ନିଲାମ ଆରମ୍ଭ ହୋଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ଜେଏସ୍‌ପିଏଲ୍‌ ସର୍ବାଧିକ ୧୧୮.୧ ପ୍ରତିାତ ପ୍ରମିୟମରେ କାଶିଆ ଖଣିକୁ ହାତେଇଛି।

ପୂର୍ବରୁ ଜିନ୍ଦଲ ଯୋଡ଼ା ଖଣି ମଣ୍ଡଳର ଗୁଆଲି ଲୁହାପଥର ଖଣିକୁ ଅତି ଉଚ୍ଚ ଅର୍ଥାତ ୧୪୪ ପ୍ରତିଶତ ପ୍ରମିୟମ ଦେଇ ଲିଜ୍‌ ନେଇଥିଲା। ସରକାରଙ୍କ ଧାର୍ଯ୍ୟ ଦେୟ ଦେଇ ନ ପାରିବାରୁ ଏହି ଖଣି ସରକାରଙ୍କ ପରିଚାଳନାଧୀନ ଓଡ଼ିଶା ଖଣି ନିଗମ ହାତକୁ ଚାଲି ଯାଇଥିଲା। ଶାରଦା ମାଇନ୍‌ସ ସହିତ ଜିନ୍ଦଲ କମ୍ପାନି ଲୁହାପଥର ନେବାପାଇଁ ଦୀର୍ଘମିଆଦୀ ଚୁକ୍ତି କରିଥିଲା। ଗତ ଅଗଷ୍ଟ ୨୩ ତାରିଖରେ ଶାରଦ‌ା କମ୍ପାନିର ଲିଜ୍‌ ସରିଯାଇଥିବାରୁ ଜିନ୍ଦଲ କମ୍ପାନିର ସର୍ବ ବୃହତ୍‌ ପିଲେଟ୍‌ ପ୍ଲାଣ୍ଟ ପରିଚାଳନାରେ ସମସ୍ୟା ଉପୁଜିଥିଲା।କମ୍ପାନିକୁ କଞ୍ଚାମାଲ ପାଇଁ ଏକ ଲୁହାପଥର ଖଣିର ଆବଶ୍ୟକତା ଥିଲା। କାଶିଆ ଲୁହାପଥର ଖଣି ଜିନ୍ଦଲ ନେବା ପରେ ବଡ଼ବିଲସ୍ଥିତ ପ୍ଲାଣ୍ଟକୁ ଲୁହାପଥର ଯୋଗାଣ ସହଜ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe