କାଶୀନଗର : ମଣ୍ଡିରେ ଧାନ ବିକ୍ରି କରି ନପାରି ଚାଷୀ ହଟହଟା

ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ନିର୍ଦେଶ: ଧାନ ସଂଗ୍ରହ କରିବେ ଏସଏଚଜି

photo-represnetative

କାଶୀନଗର : କାଶୀନଗର ବ୍ଲକ୍‌ ବୁଦୁରା ପଂଚାୟତ ଅନ୍ତର୍ଗତ ବଥବା ଗ୍ରାମର ଚାଷୀଙ୍କୁ ଟୋକନ୍‌ ମିଳିଥିଲେ ମଧ୍ୟ ମିଲର୍‌ମାନେ ସେମାନଙ୍କ ଠାରୁ ଧାନ କିଣୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ମିଲର୍‌ଙ୍କୁ ପଚାରିଲେ  ସେମାନଙ୍କ ଟାର୍ଗେଟ ସରିଗଲା ଆଉ ଧାନ କିଣିବା ସମ୍ଭବ ନୁହେଁ ବୋଲି କହୁଛନ୍ତି। ଏ ନେଇ ସମିତିର ସମ୍ପାଦକ ଟି.ରାଘବ ରାଓ କିନ୍ତୁ କହିଛନ୍ତି, ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ୯୦ଟି ଟୋକନ୍‌ ରହିଛି। ମିଲରମାନେ ଧାନ କିଣୁ ନଥିବାରୁ ସେ ଏବେ ନିରୁପାୟ।  ସମ୍ପାଦକଙ୍କ ସୂଚନା ଅନୁଯାୟୀ ବଥବା ସମବାୟ ସମିତିକୁ ମୋଟ ୭୬୩୫ କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ସମିତି ଅଧୀନରେ ଥିବା ୬ଟି ଗ୍ରାମ କିତିଙ୍ଗି, ଗୋରିବନ୍ଧା, ବଥବା, ଆର୍‌. କେ ପୁର, ବୁଦୁରା ଓ ଇଦୁଡି ଏହି ଧାନ କିଣିବା କଥା। କିନ୍ତୁ ମିଲର୍‌ମାନେ କିଣୁନାହାନ୍ତି। କ୍ରମିକ ସଂଖ୍ୟା ରକ୍ଷା ନକରି ମୁହଁ ଦେଖାରେ ଚାଷୀଙ୍କ ଠାରୁ ଆଗ ଧାନ କିଣୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ପ୍ରଥମେ ଗୋରିବନ୍ଧା, ଖୁରିଙ୍ଗା, ଖାଣ୍ଡବା, କିଡିଙ୍ଗାରେ ଥିବା ମହାଲକ୍ଷ୍ମୀ ମିଲ୍‌, ଶ୍ରୀରାମଦଳ ମିଲ୍‌, ମା’ ତାରିଣୀ ମିଲ୍‌ ଓ ଗୌରୀଶଙ୍କର ମିଲ୍‌କୁ ଧାନ କିଣିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କାଶୀନଗରରେ ଥିବା ସାଇରାମ ଓ ଭେଙ୍କେଟରାମନା ମିଲ୍‌କୁ ବି ନିର୍ଦ୍ଦେଶ ଆସିଥିଲା। ତଥାପି ଚାଷୀମାନଙ୍କ ଠାରୁ ଧାନ ନ ନେବା କାରଣ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିକ୍ରିକାମ ସାରିଥିବା ଚାଷୀମାନେ ଜଣାଇଛନ୍ତି ଯେ, ମଣ୍ଡିରେ ଧାନ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ରହିଛି। ପ୍ରତିବର୍ଷ ସେମାନେ ୮୦ କେଜି. ଧାନବସ୍ତା ଦିଅନ୍ତି, ଚଳିତ ବର୍ଷ କିନ୍ତୁ ୮୧.୫ କେଜି ଧାନ ମିଲର୍‌ମାନେ ନେଇ ଯାଉଛନ୍ତି। ଚାଷୀମାନଙ୍କୁ ମିଲରମାନେ ଗନିବ୍ୟାଗ ଯୋଗାଇ ଦେବା  ନିୟମ ଥିଲେ ବି ତାହା ଦେଉନାହାନ୍ତି। ପୁଣି ଓଲଟା ଗନିବ୍ୟାଗ ଓ ପରିବହନ ଖର୍ଚ୍ଚ କହି ପ୍ରତିବସ୍ତାକୁ ୪୦ ଟଙ୍କା କାଟି ଚାଷୀଙ୍କୁ ଦେଉଛନ୍ତି। ବଥବା ସମବାୟ ସମିତି ପାରାଳାଖେମୁଣ୍ଡି ଏଆର୍‌ସିଏସ୍‌ ଅଧୀନରେ ରହିଛି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ନିରବ ରହିଛି। ଏନେଇ ସେମାନେ  ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇବେ, ଯଦି ସମାଧାନର ବାଟ ନଫିଟେ ତେବେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe