ରାୟଗଡ଼ା : ସବୁରି ମୁହଁରୁ ହସ ଛଡ଼ାଇ ନେଇଛି କଲେରା ମହାମାରୀ। କିଏ ପରିଜନଙ୍କୁ ହରାଇ ଦୁଃଖରେ ମ୍ରିୟମ୍ରାଣ ତ କିଏ ଚିକିତ୍ସିତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିବ୍ରତ। ଏକଦା ପିଲାଙ୍କ କୋଳାହଳ, ଯାନିଯାତ୍ରା, ଭୋଜିଭାତରେ ଫାଟି ପଡୁଥିବା ଟିକିରି ଝୋଡ଼ିଆ ସାହି, ଦୁଡ଼ୁକାବାହଲରେ ଏବେ ରାଜ୍ କରୁଛି ନିରବତା। କାହାରି ମୁହଁରେ ନାହିଁ ସରସତା। ଆଶା, ଆଶଙ୍କା ଭୟ ଭିତରେ ସମସ୍ତେ ଦିନ କାଟୁଥିବା ବେଳେ କେବେ ମହାମାରୀର କଳା ବାଦଲ ଗାଁ ଉପରୁ ହଟିବ ତାକୁ ନେଇ ଦିନ ଗଣୁଛନ୍ତି ଲୋକେ...। କଲେରା ମହାମାରୀ ପଛର କାରଣ ଖୋଜିବା ପାଇଁ ‘ସମ୍ବାଦ’ ଟିମ୍ ‘ଗ୍ରାଉଣ୍ଡ ଜିରୋ’ରେ ପହଞ୍ଚିବା ପରେ ଏମିତି ବିଷଣ୍ଣ ଚିତ୍ର ଦେଖିବାକୁ ମିଳିଥିଲା ସର୍ବାଧିକ କଲେରା ଆକ୍ରାନ୍ତଙ୍କ ଗ୍ରାମ ଗୁଡ଼ିକରେ।
କାଶୀପୁର ବ୍ଲକ୍ର ଟିକିରି ପଞ୍ଚାୟତର ଝୋଡ଼ିଆ ସାହି। ବସବାସ କରୁଛନ୍ତି ୨୬୦ ପରିବାର। ବହୁ ପୁରୁଣା ଏହି ସାହିରେ ୧୦/୧୨ ଘରକୁ ଛାଡ଼ିଲେ କେହି ବ୍ୟବହାର କରୁନାହାନ୍ତି ଶୌଚାଳୟ। ସାହି ଉପର ପାହାଡ଼ ପାଲଟିଛି ମୁକ୍ତାକାଶ ଶୌଚାଳୟ। ବର୍ଷା ହେଲେ ପାହାଡ଼ର ଦୂଷିତ ମଳ, ମୂତ୍ର, ଆର୍ବଜନା ମିଶ୍ରିତ ପାଣି ସାହିକୁ ଗଡ଼ି ଆସୁଛି। ସାହିବାସୀଙ୍କ ଶୋଷ ମେଣ୍ଟାଇବାକୁ ରହିଛି ମାତ୍ର ୪ଟି ନଳକୂପ। ନଳକୂପ ଚାରିପଟେ ଆର୍ବଜନା ଜମି ରହିବା ସହ ସେଥିରୁ ଲୁହା ମିଶ୍ରିତ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇପାରୁନି। ସେହିପରି ବସୁଧା ଯୋଜନାରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ସାହିକୁ ଜଳ ଯୋଗାଣ ହୋଇଛି। କିନ୍ତୁ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଯାଇଥିବା ବେଳେ ମାଟି ତଳ ପାଇପ୍ ମଧ୍ୟ ଅଧିକାଂଶ ସ୍ଥାନରେ ଫାଟି ଯାଇଛି। ଫଳରେ ବର୍ଷା ଦିନରେ ଫଟା ପାଇପ ଭିତର ଦେଇ ଦୂଷିତ ଜଳ ପାଣିରେ ମିଶୁଛି। ଅନ୍ୟପକ୍ଷରେ ଖଣି ଅଞ୍ଚଳ ଯୋଗୁ ଭୂତଳ ଜଳରେ ଫ୍ଲୋରାଇଡର ପରିମାଣ ଅଧିକ ରହୁଥିବାରୁ ପାଣିର ସ୍ବାଦ ବଦଳି ଯାଉଛି। ଫଳରେ ନାଳ ଓ ଝରଣା ପାଣିକୁ ପାନୀୟ ଜଳର ମୁଖ୍ୟ ଉତ୍ସ ଭାବେ ବ୍ୟବହାର କରି ଆସୁଛନ୍ତି ସାହି ବାସିନ୍ଦା। ଯାହା ଏବେ ବିପଦ ପାଲଟିବା ସହ ମହାମାରୀର କାରଣ ସାଜି ଲୋକଙ୍କ ମୁଣ୍ଡ ନେଉଛି।
ଟିକିରି ଝୋଡ଼ିଆ ସାହି ପରି ଦୁଡୁକାବାହଲ ଗ୍ରାମରେ ମଧ୍ୟ ସମାନ ଚିତ୍ର। ପାନୀୟ ଜଳ ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ମହାମାରୀର ମୁଖ୍ୟ କାରଣ ପାଲଟିଛି। ବହୁ ଉଦ୍ୟମ ପରେ ଦୁଡୁକାବାହଲ ଜଳ ଉତ୍ସ ସଂକ୍ରମଣ ମୁକ୍ତ ନ ହୋଇ ପାରିବା ପରେ ଗ୍ରାମରେ ନୂଆ ବୋରୱେଲ୍ ଖୋଳା ଯାଇଛି। ସେହିପରି ଟିକିରି ଝୋଡ଼ିଆ ସାହିକୁ ଆରଓ ପ୍ରତିଷ୍ଠା କରାଯାଇ ପାଣି ଯୋଗାଯାଉଛି। କିନ୍ତୁ ଏସବୁ କରିବା ପୂର୍ବରୁ ହିଁ ଜୁଲାଇ ୭ ତାରିଖରୁ ଆଜି ମଧ୍ୟରେ ଝୋଡ଼ିଆ ସାହିରେ ୩ଜଣଙ୍କ ଏବଂ ଦୁଡୁକାବାହଲରେ ଜଣଙ୍କ ଜୀବନ ନେଇଛି ଝାଡାବାନ୍ତି। ସେହିପରି ଦୈନିକ ଏହି ଗାଁରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସାମାନ୍ୟ ବର୍ଷା ହୋଇଗଲେ ପ୍ରଭାବିତ ଅଞ୍ଚଳର ପରିବେଶ ଏମିତି ବିଗିଡ଼ି ଯାଉଛି ଯେ, ଯାତାୟାତ ଦୂରର କଥା ଘରୁ ବାହାରିବା ବି ମୁସ୍କିଲ। ସ୍ଥିତି ଉଦ୍ବେଗଜନକ ହେବା ପରେ ଉଭୟ ଗ୍ରାମର ପରିମଳ ବ୍ୟବସ୍ଥାକୁ ଫୋକସ୍ କରାଯିବା ସହ ଦୂଷିତ ଜଳ ବ୍ୟବହାର ନ କରିବାକୁ ସଚେତନତା ଜାରି ରଖିଛି ପ୍ରଶାସନ।
ଶଙ୍କରଡ଼ା ପଞ୍ଚାୟତର ଗୋବରଘାଟି ଗ୍ରାମ ନଳକୂପର ମଧ୍ୟ ଅନୁରୂପ ଅବସ୍ଥା। ନଳକୂପ ପାଣି ଗନ୍ଧୁଥିବା ବେଳେ ମିନାଦୁର୍ଗା ଗ୍ରାମରେ ନଳକୂପ ନଥିବାରୁ ଲୋକେ ଝରଣା ପାଣିକୁ ବ୍ୟବହାର କରୁଛନ୍ତି। ସୁଙ୍ଗେର ପଞ୍ଚାୟତର ଧାମଣଘାଟି ଗାଁରେ ଥିବା ନଳକୂପ ଅଚଳ ହୋଇ ପଡିଥିବା ବେଳେ ସିରିପାଇ ପଞ୍ଚାୟତ କଳାକାନି ଗାଁକୁ ସ୍ବଜଳ ଧାରା ଯୋଜନାରେ ଯାଇଥିବା ପାନୀୟ ଜଳ ମଧ୍ୟ ଦୂଷିତ ଥିବା ପ୍ରମାଣିତ ହୋଇଛି। ଏପରି ଅନେକ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ କଲେରା ବ୍ୟାପିବାରେ ଲାଗିଛି ବୋଲି କେତେକ ସ୍ବାସ୍ଥ୍ୟ କର୍ମୀ କହିଛନ୍ତି।
Follow Us