୨୦୧୭ର ‘କଥା’ ନବପ୍ରତିଭା ପୁରସ୍କାର ଘୋଷିତ

Advertisment
୨୦୧୭ର ‘କଥା’ ନବପ୍ରତିଭା ପୁରସ୍କାର ଘୋଷିତ

ଭୁବନେଶ୍ୱର : ଓଡ଼ିଆ ଗଳ୍ପର ନବଜାତକ ‘କଥା’ ପକ୍ଷରୁ ଆୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା - ୨୦୧୭’ର ଫଳାଫଳ ଘୋଷଣା କରା ଯାଇଛି। ପ୍ରତିବର୍ଷ ଭଳି ବିଜୟୀ ନୂଆ କଥାକାରମାନଙ୍କର ଗଳ୍ପଗୁଡ଼ିକୁ ନେଇ ‘କଥା’ର ଅକ୍‌ଟୋବର ସଂଖ୍ୟା ‘ନବପ୍ରତିଭା ବିଶେଷାଙ୍କ’ ଭାବେ ମଧ୍ୟ ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ ଗଳ୍ପ ଲେଖିବାପାଇଁ ନୂଆ ଲେଖକମାନଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ‘କଥା’ ପକ୍ଷରୁ ଏହି ନବପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାର ସବୁ ଜିଲ୍ଲାରୁ ତଥା ଓଡ଼ିଶା ବାହାରୁ ପ୍ରାୟ ଅଢ଼େଇଶହ ଗଳ୍ପ ଆସିଥିଲା।

ଏଥର ବିଚାରକ ଭାବେ ପ୍ରସିଦ୍ଧ ଲେଖକ ଜ୍ୟୋତି ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ଗାୟତ୍ରୀ ସରାଫ୍‌ ଏବଂ ବିଶିଷ୍ଟ ସମାଲୋଚକ କ୍ଷୀରୋଦ ଚନ୍ଦ୍ର ବେହେରା ଯୋଗ ସେହି ଦୁଇଶହଟି ଗଳ୍ପ ଭିତରୁ ଶ୍ରେଷ୍ଠ ୧୦ଟି ଗଳ୍ପକୁ ମନୋନୀତ କରିଥିଲେ। ଚଳିତ ବର୍ଷର ବିଜୟୀ ନବପ୍ରତିଭାମାନେ ହେଉଛନ୍ତି: ଦେବୀପ୍ରସାଦ ଭଦ୍ର, ବିରଜାନନ୍ଦନ ମିଶ୍ର, ସ୍ୱଦେଶ ପାତ୍ର, ଶୁଭ୍ରାଂଶୁ ବିଶ୍ୱାଳ, ବିମଳ କୁମାର ରାଉଳ, ଶାନ୍ତନୁ କୁମାର ନାୟକ, ଅନିଲ କୁମାର ପଣ୍ଡା, ଜିତେନ୍ଦ୍ର ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା ଓ ସତ୍ୟଜିତ୍‌ ଭୂୟାଁ। ଏହି ଦଶ ନବପ୍ରତିଭାଙ୍କୁ ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ଅନୁଷ୍ଠିତ ହେବାକୁ ଥିବା ‘କଥା’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି, ପୁରସ୍କାର ଓ ମାନପତ୍ରରେ ସମ୍ମାନିତ କରାଯିବ ବୋଲି ସଂପାଦକ ଗୌରହରି ଦାସ ଜଣାଇଛନ୍ତି।

ନବପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଚଳିତ ବର୍ଷ ପୁରସ୍କାର ରାଶିକୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଖୁସିର ବିଷୟ ଯେ ‘କଥା’ର ନବପ୍ରତିଭା ପ୍ରତିଯୋଗିତା ଓଡ଼ିଆ ଗଳ୍ପର ପରଂପରାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ରୂପେ ସ୍ୱୀକୃତି ପାଇ ସାରିଛି। ଅତୀତରେ ଏହି ପ୍ରତିଯୋଗିତା ଜରିଆରେ ସ୍ୱୀକୃତି ପାଇଥିବା ଅନେକ ବିଜୟୀ ପ୍ରତିଭା ଆଜି ଓଡ଼ିଆ ଗଳ୍ପ ଜଗତର ଜଣେ ଜଣେ ପରିଚିତ ନାମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe