ସପ୍ତାହେ ହେଲା ମଣ୍ଡିରୁ ଉଠୁନି ଧାନ, ଛିଡୁନି କଟନି ଛଟନି ବିବାଦ

ସପ୍ତାହେ ହେଲା ମଣ୍ଡିରୁ ଉଠୁନି ଧାନ, ଛିଡୁନି କଟନି ଛଟନି ବିବାଦ

ଡୁଡୁକା : ଆଗଲପୁର (ଡୁଡୁକା) ବ୍ଲକ ଡୁଡୁକା ମଣ୍ଡିରୁ ସପ୍ତାହେରୁ ଅଧିକ ଦିନ ହେଲା ଶହ ଶହ ବସ୍ତା ଧାନ ପଡିରହିଛି। ଚାଷୀମାନେ ଶୀତ କାକରରେ ଜଗି ବସିଛନ୍ତି। ସରକାରଙ୍କ ନୀତି ମୁତାବକ ଚାଷୀଙ୍କ ଠାରୁ ପେକ୍ସ ସିଧାସଳଖ ଧାନ କିଣିବାର ନିୟମ ରହିଛି। ପେକ୍ସ କର୍ତ୍ତୃପକ୍ଷ ମିଲର ନଆସିଲେ ଧାନ କେମିତି କିଣିବେ ବୋଲି କହିଛନ୍ତି। ପୂର୍ବରୁ ଚାଷୀମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲେ ମଧ୍ୟ ଗତ ୧ ତାରିଖରୁ ଧାନ କିଣିବା ନେଇ ସ୍ଥିରୀକୃତ ହୋଇଥିଲା। ହେଲେ ଆଜି ଯାଏ ଗୋଟିଏ ବି ବସ୍ତା ଧାନ ମଣ୍ଡିରୁ ଉଠୁ ନାହିଁ।

ଅନ୍ୟପକ୍ଷରେ ମିଲରମାନେ କ୍ୱିଣ୍ଟାଲ ପ୍ରତି ୩ କେଜି ଧାନ କଟନି କରିବା ନେଇ ଜିଦ୍‌ ଧରିବାରୁ ଚାଷୀମାନେ ଏଫଏକ୍ୟୁ ମାନର ଧାନରେ କଟନି ହେବ ନାହିଁ ବୋଲି ଦାବି କରିଛନ୍ତି। ଫଳରେ ମଣ୍ଡି ଆରମ୍ଭ ନହେବାରୁ ପ୍ରମୋଦ ପଟେଲ, ଭିକାରି ପଟେଲ, ବଳରାମ ପଟେଲ, ମନୋଜ ପଟେଲ, ଅଭି ପଟେଲ, ନାରାୟଣ ମିର୍ଦ୍ଧା, ନୀଳାମ୍ବର ପଟେଲ, ଅଶୋକ ପଟେଲ ପ୍ରମୁଖ ଚାଷୀ ଆନ୍ଦୋଳନ କରିବା ସହ ପେକ୍ସରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ସୂଚନାଥାଉ କି ଗତବର୍ଷ ମଧ୍ୟ ଧାନ କିଣାରେ ଅବ୍ୟବସ୍ଥା ହେବାରୁ ଚାଷୀମାନେ ବାଧ୍ୟ ହୋଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ବ୍ଲକ୍‌ ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ମହାନନ୍ଦଙ୍କୁ ପଚାରିବାରୁ ଦିନେ ଦୁଇ ଦିନ ମଧ୍ୟରେ ଧାନ ଉଠିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe