ଭିଜିଲାନ୍‌ସ ଭାରପ୍ରାପ୍ତ ଏସ୍‌ପି କେଦାରନାଥ ସାହୁଙ୍କ ପରଲୋକ

Advertisment
ଭିଜିଲାନ୍‌ସ ଭାରପ୍ରାପ୍ତ ଏସ୍‌ପି କେଦାରନାଥ ସାହୁଙ୍କ ପରଲୋକ

କଟକ : ଭିଜିଲାନ୍‌ସ ବିଭାଗର ଭାରପ୍ରାପ୍ତ ଏସ୍‌ପି ତଥା ଓପିଏସ୍‌ ସଂଘର ସଭାପତି କେଦାରନାଥ ସାହୁଙ୍କର ରବିବାର ଅପରାହ୍ନ ୪ଟା ବେଳେ ହୃଦ୍‌ଘାତରେ କଟକର ଏକ ଘ‌‌ରୋଇ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟ‌ରେ ପତ୍ନୀ ରଶ୍ମିତା ସାହୁ, ପୁଅ କୀର୍ତ୍ତିରାଜ, ଝିଅ ସୁଶ୍ରୀ କୁମ୍‌କୁମ୍‌ ଉପସ୍ଥିତ ଥିଲେ।

କଟକ ଜିଲ୍ଲା ବଡ଼ମ୍ବା ରଗଡ଼ିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସାହୁ ୧୯୮୭ ମସିହାରେ ପୁଲିସ ବିଭାଗରେ ଯୋଗ ଦେଇଥିଲେ। କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଯାଜପୁର ଜିଲ୍ଲା ସମେତ କଟକ କମିସନରେଟ୍‌ ଓ ଭିଜିଲାନ୍‌ସ ବିଭାଗରେ ସେ ସଫଳତାର ସହ ଦାୟିତ୍ବ ତୁଲାଇଥ‌ିଲେ। ମର୍କତନଗର ଫାଣ୍ଡି ଅଧିକାରୀ, ଟାଙ୍ଗୀ ଥାନା ଅଧିକାରୀ, କ୍ୟାଣ୍ଟନମେଣ୍ଟ୍‌ ଥାନା ଆଇଆଇସି ସହ ବାଲେଶ୍ବର ଭିଜିଲାନ୍‌ସ ଇନ୍‌ସପେକ୍ଟର ଭାବେ କାର୍ଯ୍ୟ କରିବା ପରେ ସେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇର ଏସ୍‌ଡିପିଓ ଭାବେ ଏକାଧିକ ସମ୍ବେଦନଶୀଳ ମାମଲାକୁ ସଫଳତାର ସହ ପରିଚାଳନା କରିଥିଲେ। ଯାଜପୁର ଏସ୍‌ଡିପିଓ ଓ ପରେ କଟକ କମିସନରେଟ୍‌ର ଅତିରିକ୍ତ ଡିସିପି ଦାୟିତ୍ବ ତୁଲାଇବା ପରେ ସେ ଭିଜିଲାନ୍‌ସ ବିଭାଗର ଅତିରିକ୍ତ ଏସ୍‌ପି ଭାବେ କଟକରେ ଯୋଗ ଦେଇଥିଲେ ଓ ଶେଷ ପର୍ଯ୍ୟନ୍ତ ଭିଜିଲାନ୍‌ସର ଭାରପ୍ରାପ୍ତ ଏସ୍‌ପି ଦାୟିତ୍ବରେ ଥିଲେ। ଶ୍ରୀ ସାହୁଙ୍କ ଅକାଳ ବିୟୋଗରେ ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା, ଆଇଜି ଅସିତ ପାଣିଗ୍ରାହୀ, ଡିଆଇଜି ସଂଜୟ କୌଶଲ, ଓପିଏସ୍‌ ସଂଘର ସାଧାରଣ ସଂପାଦକ ରଂଜିତ ନାୟକ, କୋଷାଧ୍ୟକ୍ଷ ଅରୁଣ ସାହୁ, ଅତିରିକ୍ତ ଏସ୍‌ପି ବୃନ୍ଦାବନ ଘଡ଼େଇ, ଅତିରିକ୍ତ ଏସ୍‌ପି ଗୋପାଳ ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଶୋକପ୍ରକାଶ କରିଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ପୁଅ କୀର୍ତ୍ତିରାଜ ସାହୁ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe