କେନ୍ଦ୍ର ସାହିତ୍ୟ ଏକାଡେମୀର ଘୋଷଣା: ମାନସ ରଞ୍ଜନଙ୍କୁ ମିଳିବ ବାଲ୍‌ ପୁରସ୍କାର, ସଞ୍ଜୟଙ୍କୁ ଯୁବ ପୁରସ୍କାର

Advertisment
କେନ୍ଦ୍ର ସାହିତ୍ୟ ଏକାଡେମୀର ଘୋଷଣା: ମାନସ ରଞ୍ଜନଙ୍କୁ ମିଳିବ ବାଲ୍‌ ପୁରସ୍କାର, ସଞ୍ଜୟଙ୍କୁ ଯୁବ ପୁରସ୍କାର
ଭୁବନେଶ୍ବର: ଯୁବ କଥାକାର ସଞ୍ଜୟ ପଣ୍ଡା ୨୦୨୪ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ। ବାଲେଶ୍ବରର ଶ୍ରୀ ପଣ୍ଡାଙ୍କୁ ଏଥି ପାଇଁ ମନୋନୀତ କରାଯାଇଛି। ତାଙ୍କର ଗଳ୍ପ ପୁସ୍ତକ 'ହୁ ବାଇଆ' ପାଇଁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଆଜି ଏକାଡେମି ପକ୍ଷରୁ ଗୁଜୁରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ବୈଠକରେ ଘୋଷଣା କରାଯାଇଛି। ୨୩ଟି ଭାଷା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତ ଭାଷା ପାଇଁ ପୁରସ୍କାର ପରେ ଘୋଷଣା କରାଯିବ। ସେହିପରି ମାନସ ରଞ୍ଜନ ସାମଲଙ୍କୁ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି।  ତାଙ୍କ ପୁସ୍ତକ 'ଗପକାକଳି' ପାଇଁ ସେ ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି।
ଏହି ବୈଠକରେ ଓଡ଼ିଆ ଭାଷାର ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ଗୌରହରି ଦାସ ସମେତ ପ୍ରେସିଡେଣ୍ଟ ମାଧବ କୌଶିକ, ଭାଇସ୍ ପ୍ରେସିଡେଣ୍ଟ କୁମୁଦ ଶର୍ମା, କାର୍ଯ୍ୟନିର୍ବାହୀ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଶ୍ରୀ ପଣ୍ଡା ୧୯୯୦ରେ ଜନ୍ମ ଗ୍ରହଣ କରିଥିବା ବେଳେ ବୃତ୍ତିରେ ସେ ଜଣେ ଶିକ୍ଷକ। 'ହୁ ବାଇଆ' ଓ 'ତକିଆ' ନାମରେ ତାଙ୍କର ଦୁଇଟି ଗପ ବହି ଓ ଗୋଟିଏ କବିତା ବହି ପ୍ରକାଶିତ ହୋଇଛି। ତାଙ୍କ ଗଳ୍ପଗୁଡ଼ିକ ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ତାଙ୍କର ପୁରସ୍କାର ପ୍ରାପ୍ତି ଖବରରେ ଯୁବଲେଖକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବଲେଖକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ୨୦୧୧ ମସିହାରୁ ଆରମ୍ଭ କରା ଯାଇଥିବା ଏହି ଯୁବ ପୁରସ୍କାର ପ୍ରତି ବର୍ଷ ୩୫ ବର୍ଷ ବୟସ ସୀମା ଭିତରେ ଜଣକୁ ପ୍ରଦାନ କରା ଯାଇଥାଏ। ୨୪ଟି ଭାରତୀୟ ଭାଷାରେ ଏହି ପୁରସ୍କାର ଦିଆଯାଏ। ପୁରସ୍କାର ସ୍ଵରୂପ ନଗଦ ୫୦, ୦୦୦ ଅର୍ଥ ରାଶି ସହିତ ତମ୍ବା ଫଳକ ପ୍ରଦାନ କରାଯାଇଥାଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe