କେନ୍ଦ୍ରାପଡ଼ାରେ ବିଜେଡି ଗୋଷ୍ଠୀ କନ୍ଦଳର ଉଗ୍ରରୂପ: ବିଧାୟକ, ବ୍ଳକ ଅଧ୍ୟକ୍ଷଙ୍କୁ ଅସନ୍ତୁଷ୍ଟଙ୍କ ଆକ୍ରମଣ

Advertisment
କେନ୍ଦ୍ରାପଡ଼ାରେ ବିଜେଡି ଗୋଷ୍ଠୀ କନ୍ଦଳର ଉଗ୍ରରୂପ: ବିଧାୟକ, ବ୍ଳକ ଅଧ୍ୟକ୍ଷଙ୍କୁ ଅସନ୍ତୁଷ୍ଟଙ୍କ ଆକ୍ରମଣ

ଗାଡ଼ିରୁ ଭିଡ଼ି ନେଇ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ମାଡ଼
ଚଉଦକୁଲାଟ ଫାଣ୍ଡି ଆଗରେ ଧାରଣା ଦେଲେ ବିଧାୟକଙ୍କ ସମର୍ଥକ

ପଟ୍ଟାମୁଣ୍ତାଇ : ଶାସକ ଦଳ ବିଜେଡିରେ ଗୋଷ୍ଠୀ କନ୍ଦଳର ଉଗ୍ର ରୂପ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ। ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିର ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଛନ୍ତି ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ। ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଶାୟୀ ଥିବା ଜଣେ ପ୍ରାର୍ଥୀଙ୍କ ଦୁଇ ପୁଅ ଓ ତାଙ୍କ ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ବିଧାୟକଙ୍କ ସମର୍ଥକମାନେ ଚଉଦକୁଲାଟ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା, ଉତ୍ତେଜନା ଜାରି ରହିଛି। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ଅଞ୍ଚଳରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଉପରେ ଆକ୍ରମଣ ଘଟଣା ଦଳୀୟ କନ୍ଦଳକୁ ପଦାରେ ପକାଇଛି।

publive-image

ଅଭିଯୋଗ ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ବିଧାୟକ ଶ୍ରୀ ସାହୁ ଓ ପଞ୍ଚାୟତ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ଅଳପୁଆ ପଞ୍ଚାୟତରେ ଥିବା ବିଲମଙ୍ଗଳା ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ପୂଜା ସାରି ସେମାନେ ଫେରିବା ସମୟରେ ଦାଣ୍ଡିସାହି ଛକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ଅନ୍ନପୂର୍ଣ୍ଣା ମଲ୍ଲିକଙ୍କ ଦୁଇ ପୁଅ ଜ୍ୟୋତିପ୍ରକାଶ ମଲ୍ଲିକ ଓ ଜ୍ୟୋତିରଂଜନ ମଲ୍ଲିକଙ୍କ ସମେତ ସୁକାନ୍ତ ସେଠୀ ଓ ସେମାନଙ୍କ ସହ ୨୫ରୁ ଅଧିକ ଲୋକ ବିଧାୟକଙ୍କ ଗାଡ଼ିକୁ ଅଟକାଇ ଥିଲେ। ନିର୍ବାଚନରେ ସେମାନେ କାହିଁକି ହାରିଲେ ବୋଲି କହି ଗାଡିର ଡୋର୍‌ ଖୋଲି ଅଧ୍ୟକ୍ଷ ପ୍ରଦ୍ୟୁମ୍ନଙ୍କ ସାର୍ଟ କଲର୍‌ ଧରି ବାହାରକୁ ଟାଣିନେଇ ଆକ୍ରମଣ କରିଥିଲେ। ଏହା ଦେଖି ବିଧାୟକ ଶ୍ରୀ ସାହୁ ଗାଡ଼ିରୁ ଓହ୍ଲାଇ ଘଟଣା କ’ଣ ବୋଲି ପଚାରିବାରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସେମାନେ ପ୍ରଦ୍ୟୁମ୍ନଙ୍କୁ ବନ୍ଧୁକ ଦେଖାଇ କିଛିବାଟ ଟାଣି ନେଇଯିବାରୁ ବିଧାୟକ ଶ୍ରୀ ସାହୁ ଗାଡ଼ିରେ ପଳାଇ ଯାଇଥିଲେ। ଏହି ସମୟରେ ସେମାନେ ବିଧାୟକଙ୍କ ଗାଡ଼ି ଉପରକୁ ବିଲାତି ଓ ଅଣ୍ଡା ମାଡ଼ କରିଥିଲେ। ବିଧାୟକ ପଳାଇ ଆସିବା ପରେ କିଛି ସମୟ ପାଇଁ ଦାଣ୍ଡିସାହି ଛକ ରଣକ୍ଷେତ୍ର ପାଲଟିଥିଲା। ସ୍ଥାନୀୟ ‌ଲୋକଙ୍କ ହସ୍ତକ୍ଷେପ ଫଳରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନଙ୍କୁ ଉଦ୍ଧାର କରାଯାଇ ଚଉଦକୁଲାଟ ଫାଣ୍ଡିକୁ ପଠାଇ ଦିଆଯାଇଥିଲା। ଏହାପରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଏତଲା ଦେବା ସହ ଆସାମୀମାନଙ୍କୁ ତୁରନ୍ତ ଗିରଫ ପାଇଁ ଫାଣ୍ଡି ଆଗରେ ଧାରଣାରେ ବସିଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଥାନା ଆଇଆଇସି ତପନ କୁମାର ରାଉତ ଫାଣ୍ଡିରେ ପହଁଚିଥିଲେ। ଧାରଣାରେ ବସିଥିବା ଅଧ୍ୟକ୍ଷ ପ୍ରଦ୍ୟୁମ୍ନଙ୍କ ସହ ଆଲୋଚନା କରାଯାଇଥିଲା। ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଏସ୍‌ପି ଟେଲିଫୋନ ଯୋଗେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନାଯୋଗ୍ୟ ଯେ ପଟ୍ଟାମୁଣ୍ଡାଇ ବ୍ଲକର କିଛି ଅଂଶ ରାଜନଗର ବିଧାନସଭା କ୍ଷେତ୍ରରେ ରହିଥିବା ବେଳେ କିଛି ଅଂଶ ରହିଛି କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ରାଜନଗର ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଜୟୀ ହୋଇଥିବା ବେଳେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମର୍ଥିତ କୁହାଯାଉଥିବା ଅନ୍ନପୂର୍ଣ୍ଣା ମଲ୍ଲିକ ହାରି ଯାଇଥିଲେ। ଉଭୟ ବିଜେଡିର ହୋଇଥିଲେ ମଧ୍ୟ ଏହି ନିର୍ବାଚନ ଏବେ ଜିଲ୍ଲାରେ ବିଜେଡି ଭିତରେ କନ୍ଦଳକୁ ଉଗ୍ରରୂପ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe