ଭୁବନେଶ୍ବର: କୃଷି ପ୍ରଧାନ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା। ଏବେ ବି ପାରମ୍ପରିକ କୃଷି ଉପରେ ଚାଷୀ ନିର୍ଭରଶୀଳ। କିନ୍ତୁ ଜିଲ୍ଲାକୁ ଆଗକୁ ବଢ଼ାଇବାକୁ ହେଲେ ଆଧୁନିକ ପ୍ରଣାଳୀରେ କୃଷି ଓ ପର୍ଯ୍ୟଟନକୁ ଗୁରୁତ୍ବ ଦେବାକୁ ପଡ଼ିବ। କେନ୍ଦ୍ରାପଡ଼ାର ପର୍ଯ୍ୟଟନର ବିଭବକୁ ପ୍ରଚାର ପ୍ରସାର କରିବାକୁ ପଡ଼ିବ। ଏଥିପାଇଁ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ। ଆଜି ଜୟଦେବ ଭବନରେ ଉଦ୍ଯାପିତ କେନ୍ଦ୍ରାପଡ଼ା ଉତ୍ସବରେ ଅତିଥିମାନେ ଏଭଳି କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଉତ୍ସବରେ ଆଜି ୨ଟି ପର୍ଯ୍ୟାୟରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ‘କେନ୍ଦ୍ରାପଡ଼ାରେ ପର୍ଯ୍ୟଟନର ସୁଯୋଗ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ କହିଲେ, ପର୍ଯ୍ୟଟନ ଓ କୃଷିକୁ ନେଇ ଜିଲ୍ଲାର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପଡ଼ିବ। ଜିଲ୍ଲାରେ ପରିବେଶ ପ୍ରତିବନ୍ଧକ ଥିବାରୁ ଭିତରକନିକାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ‘ଭିତରକନିକା ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ସମ୍ବାଦିକ ଶ୍ରୀରାମ ଦାଶ, ଅମ୍ବିକା ନନ୍ଦ ଓ ମନୋଜ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଷଦର ସମ୍ପାଦକ ଚୈଧୁରୀ ଅମିତାଭ ଦାସ ଏହାକୁ ସଞ୍ଚାଳନ କରିଥିଲେ। ଦ୍ୱିତୀୟ ଅଧିବେଶନର ଶୀର୍ଷକ ଥିଲା ‘କେନ୍ଦ୍ରାପଡ଼ାର କୃଷି କ୍ଷେତ୍ରରେ ବିକାଶ’। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଶେଶ୍ବର ବେହେରା ଯୋଗଦେଇ କୃଷି, ଜଳସେଚନ, ଜଳ ନିଷ୍କାସନ କ୍ଷେତ୍ରରେ ଦୀର୍ଘମିଆଦି ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦେଇଥିଲେ। ଆଲୋଚକ ଭାବେ ନଟବର ଖୁଣ୍ଟିଆ, ଶଶିକଳା ବେଉରା, ରବୀନ୍ଦ୍ର ପାଇକରାୟ, ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିଲେ। ଏହାକୁ ଅନୁଷ୍ଠାନର ଉପଦେଷ୍ଟା ସରୋଜ କୁମାର ମହାନ୍ତି ସଞ୍ଚାଳନ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ତିନି ବରପୁତ୍ର ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଗୀତିକାର ବୃନ୍ଦାବନ ଜେନା, କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ କାଳଜୟୀ ଗୀତକୁ ନେଇ ସଙ୍ଗୀତ ଆସର ଆୟୋଜିତ ହୋଇଥିଲା।
ଉଦ୍ଯାପିତ ହେଲା କେନ୍ଦ୍ରାପଡ଼ା ଉତ୍ସବ: ‘ଆଧୁନିକ କୃଷି ଓ ପର୍ଯ୍ୟଟନ ହିଁ ଜିଲ୍ଲାକୁ ଆଗକୁ ବଢ଼ାଇବ’
Advertisment
Follow Us