The Guardian
ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଭିତ୍ତିକ ଶିଳ୍ପ ପାଇଁ ବ୍ୟାପକ ସୁଯୋଗ ଥିଲେ ବି ତାହାର ସଦୁପଯୋଗ ହୋଇନି। ଆଜି ବିଧାନସଭାର ପ୍ରଶ୍ନକାଳରେ ରାଜନଗର ବିଧାୟକ ଧ୍ରୁବ ସାହୁ ଏ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ସମ୍ଭାବନା ସମ୍ପର୍କରେ ଜଣାଇଥିଲେ। ସେହି ଜିଲ୍ଲାର ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଧାୟକ ଶ୍ରୀ ସାହୁଙ୍କ ଉଦ୍ବେଗ ସହ ଏକମତ ହୋଇଥିଲେ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ବି ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ କେବେ ଓ କି ପ୍ରକାର ଶିଳ୍ପ ପ୍ରତିଷ୍ଠା ହେବ, ସେ ନେଇ ମନ୍ତ୍ରୀ କୌଣସି ଠୋସ୍ ସୂଚନା ଦେଇ ନଥିଲେ।
ବିଧାୟକ ଶ୍ରୀ ସାହୁଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଇଡ୍କୋ ଜରିଆରେ ଲ୍ୟାଣ୍ଡ୍ ବ୍ୟାଙ୍କ ସୃଷ୍ଟି କରୁଛନ୍ତି। ଏହି ଯୋଜନାରେ ଭିତରକନିକା ନିକଟସ୍ଥ ଡାଙ୍ଗମାଳ , ଖମାରସାହି , ବଗପାଟିଆ ଓ ପେଣ୍ଠ ବେଳାଭୂମି ନିକଟରେ ଥିବା ସରକାରୀ ଜମିକୁ ଇଡ୍କୋ ଜରିଆରେ ଶିଳ୍ପ ଉପଯୋଗୀ ସ୍ଥାନ ଭାବରେ ନିର୍ମାଣ କରି ଏହିସବୁ ଶିଳ୍ପାଞ୍ଚଳରେ ପରିବେଶ ଅନୁକୂଳ ପର୍ଯ୍ୟଟନ ଶିଳ୍ପ, ଇକୋ କଟେଜ୍, ରିସୋର୍ଟ ଆଦି ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ କରିବେ କି? ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ କହିଥିଲେ, ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତରକନିକା ନିକଟସ୍ଥ ଖମାରସାହି ଠାରେ ୨୩.୨୯ ଏକର ଓ ଦୁର୍ଗାପ୍ରସାଦ ଠାରେ ୮.୧୪ ଏକର ଜମି ଚିହ୍ନଟ କରାଯାଇ ଏହାର ଲିଜ୍ ନିମନ୍ତେ ଇଡ୍କୋ ତରଫରୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି। ଏହା ଛଡ଼ା ପର୍ଯ୍ୟଟନ ବିଭାଗ ତରଫରୁ ‘ଭିତରକନିକା ମାଷ୍ଟର୍ ପ୍ଲାନ୍’ ମାଧ୍ୟମରେ ଉକ୍ତ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରିବା ସହ ପେଣ୍ଠ ବେଳାଭୂମି ନିକଟରେ ଥିବା ସରକାରୀ ଜମିଗୁଡ଼ିକର ବିକାଶ ନିମନ୍ତେ ପ୍ରୟାସ କରାଯାଉଛି।
ଅତିରିକ୍ତ ପ୍ରଶ୍ନ ପଚାରି ଶ୍ରୀ ସାହୁ କହିଥିଲେ, କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପ ବିହୀନ। ଖଣି ନାହିଁ, କିନ୍ତୁ ପ୍ରକୃତିର ଦାନ ଅଛି। ଏହାକୁ ନଜରରେ ରଖି ପରିବେଶ ଅନୁକୂଳ ରିସୋର୍ଟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ। ଏହା ବାଦ୍ କଟକ-ଚାନ୍ଦବାଲି ରାସ୍ତା କଡ଼ରେ ପନ୍ତୁରୀ ମୌଜାରେ ୮୯ ଏକର ଜାଗା, ପାରାଦୀପ-ଦୈତାରୀ ଜାତୀୟ ରାଜପଥ କଡ଼ରେ ଛତା ନିକଟରେ ୧୦୦ ଏକର ଜାଗା ଉପଲବ୍ଧ ଅଛି। ସେଠାରେ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରି ଖାଦ୍ୟ ପ୍ରକ୍ରିୟାକରଣ କିମ୍ବା ବୟନ ଶିଳ୍ପ ପାର୍କ ନିର୍ମାଣ ପାଇଁ ପଦକ୍ଷେପ ନେବେ କି? ମନ୍ତ୍ରୀ କହିଥିଲେ, କେନ୍ଦ୍ରାପଡ଼ାରେ ବୟନଶିଳ୍ପ ପାର୍କ ନିର୍ମାଣ ପାଇଁ କିଛି ଯୋଜନା ନାହିଁ। ହୁଏତ ଭବିଷ୍ୟତରେ ଯୋଜନା କରାଯାଇପାରେ। ଏହି ଦୁଇଟି ଜାଗାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ବିଧାୟକ ଜିଲ୍ଲା ପରିଷଦରେ କଥା ପକାନ୍ତୁ। ଜିଳ୍ଲାପାଳଙ୍କୁ କହି ନୋଟିଫାଏ କରାଯାଉ। ମୋ ନିଜ ଜିଲ୍ଲା କେନ୍ଦ୍ରାପଡ଼ା। ବାରମ୍ବାର ବିଧାୟକ ଶିଳ୍ପ ବିହୀନ ଜିଲ୍ଲା ବୋଲି କହୁଛନ୍ତି। ଶିଳ୍ପ ମନ୍ତ୍ରୀ ଭାବେ ମୁଁ ଚେଷ୍ଟା କରିବି କିଛି ନା କିଛି କେନ୍ଦ୍ରାପଡ଼ାରେ ହେଉ।
ଏହି ପ୍ରଶ୍ନ ଉପରେ ଆଲୋଚନା ବେଳେ ସୁରେଶ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ଭାସ୍କର ମଢ଼େଇ, ପ୍ରଶାନ୍ତ ବେହେରା, ତାରାପ୍ରସାଦ ବାହିନୀପତି, ସୁଧାଂଶୁ ଶେଖର ପରିଡ଼ା, ନବଚରଣ ମାଝୀ, ମନୋହର ରାନ୍ଧାରୀ, କୁସୁମ ଟେଟେ ଓ ଅମର ଶତପଥୀ ଅତିରିକ୍ତ ପ୍ରଶ୍ନ ପଚାରି ନିଜ ନିଜ ଅଞ୍ଚଳର ଶିଳ୍ପାୟନର ସମସ୍ୟା ସମ୍ପର୍କରେ କହିଥିଲେ।
Follow Us