କେନ୍ଦ୍ରାପଡ଼ା: ବୁଧବାର ସକାଳେ କେନ୍ଦ୍ରାପଡ଼ା ବ୍ଲକ୍ ଆୟବା ନିକଟ ପଡ଼ା ଗାଁ ବ୍ରହ୍ମପୁରର ଏକ ପୋଖରୀରେ ମାଛ ଧରିବାକୁ ପଶି ବିଜୁଳି ଆଘାତରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମରିଯାଇଥିବା ଲୋକ ଦୁହେଁ ହେଲେ ବ୍ରହ୍ମପୁରର ୪୫ ବର୍ଷିୟ ଅମର ପ୍ରଧାନ ଏବଂ ଅରଖିଆ ଗାଁର ୪୦ ବର୍ଷିୟ ଅମର ପ୍ରଧାନ। ଆହତଙ୍କ ନାଁ ଜଣାପଡ଼ି ନାହିଁ।
ଉକ୍ତ ପୋଖରୀରେ ମାଛ ଚାଷ କରିବାକୁ ଆଠ ଦଶ କିଲୋମିଟର ଦୂର ଅଙ୍ଗୁଳାଇ ଗାଁ’ର ମଣ୍ଟୁ ପାଣି ଲିଜ୍ ନେଇ ଥିଲେ। କାଳେ ମାଛ ଚୋରି ହୋଇଯିବ ସେଥିପାଇଁ ସେ ପ୍ରତି ସନ୍ଧ୍ୟାରେ ଆସି ପୋଖରୀଠୁ ୨୦୦ ମିଟର୍ ଦୂରରେ ଅବସ୍ଥିତ ତପନ ରାଉତଙ୍କ ଘରୁ ଏକ ଜି. ଆଇ. ତାର ଟାଣି ପୋଖରୀରେ ପକାଇ ତା’ ମଧ୍ୟକୁ ବିଜୁଳି ପ୍ରବାହ କରାଉଥିଲେ ଓ ସକାଳେ ଆସି ବିଜୁଳି ସଂଯୋଗ କାଟି ଦେଉଥିଲେ। ଦୁର୍ଯୋଗକୁ ଆଜି ତାହା କରି ନ ଥିଲେ।
ମାଛ ମାରିବାକୁ ଆଜି ସକାଳେ ଚାରି ପାଞ୍ଚଜଣ ଆସିଥିଲେ। ପ୍ରଥମେ ଦୁଇ ଜଣ ପୋଖରୀରେ ପଶିବା ମାତ୍ରେ ବିଜୁଳି ଆଘାତ ପାଇ ମରିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ପୋଖରୀରେ ଅନ୍ୟ ଜଣେ ପଶୁଥିବାବେଳେ ବିଜୁଳି ଆଘାତ ପାଇ ଥିଲେ ମଧ୍ୟ ଆହତ ହୋଇ ବଞ୍ଚି ଯାଇଛନ୍ତି।
ଏବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚିଛି। ଉତ୍ତ୍ୟକ୍ତ ଲୋକେ ମଣ୍ଟୁ ପାଣିଙ୍କୁ ଏକ ଘରେ ପୂରାଇ ଅଟକ ରଖିଛନ୍ତି।
Follow Us