ଆଦିବାସୀ ପଲ୍ଲୀରୁ ଫିଲିପାଇନସ୍‌

Advertisment

ଜାତୀୟ ରଗ୍‌ବି ଦଳରେ କେନ୍ଦୁଝର ଝିଅ ହୁପି

ଜାତୀୟ ରଗ୍‌ବି ଦଳରେ କେନ୍ଦୁଝର ଝିଅ ହୁପି

ଆଦିବାସୀ ପଲ୍ଲୀରୁ ଫିଲିପାଇନସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆଦିବାସୀ ପଲ୍ଲୀରୁ ଫିଲିପାଇନସ୍‌ ଯାତ୍ରା। ଏହି ସଫଳତାର କାହାଣୀ ପଛରେ ଲୁଚି ରହିଛି ଅନେକ ସଂଘର୍ଷର ଗାଥା। ଫିଲିପାଇନସ୍‌ର ମାନିଲାରେ ଜୁନ୍‌ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ ରଗ୍‌ବି ମହିଳା ଚାମ୍ପିଅନ୍‌ସିପ୍‌ରେ ଭାଗନେବେ କେନ୍ଦୁଝର ସଦର ବ୍ଲକ ଧାତିକା ଗ୍ରାମର ବଳରାମ ମାଝୀ ଓ ଗୁମି ମାଝୀଙ୍କ ଝିଅ ହୁପି। ବଳରାମ ଗାଁରେ ଚାଷବାସ ସାଙ୍ଗକୁ ମୂଲ ଲାଗି ପରିବାର ଚଳାଉଥିଲେ। ଝିଅ ହୁପିର କିନ୍ତୁ ଅଲଗା ରୁଚି ଥିଲା। ସେ ପାଠପଢ଼ା ସାଙ୍ଗକୁ ଖେଳକୁଦ ପ୍ରତି ବେଶ ଆଗ୍ରହୀ ଥିଲେ। ଗାଁ ସ୍କୁଲରେ ପାଠ ପଢ଼ୁଥିବା ହୁପି ଆଗକୁ ବଢ଼ିବାକୁ ଚାହୁଁଥିଲେ ମଧ୍ୟ ଘରର ଆର୍ଥିକ ଅନଟନ ସେଥିରେ ବାଧକ ସାଜୁଥିଲା। ଯେଉଁଥି ପାଇଁ ବଣ ଜଙ୍ଗଲ ଘେରା ଗାଁରୁ ବାହାରକୁ ବାହାରିବା ତାଙ୍କ ପାଇଁ କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ କୌଣସି ମତେ ଭୁବନେଶ୍ବର ସ୍ଥିତ କିସ୍‌ରେ ପାଠ ପଢ଼ିବା ପାଇଁ ସୁଯୋଗ ପାଇଥିଲେ ହୁପି। ଯାହା ତାଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହୋଇଥିଲା। ସେଠାରେ ପାଠ ସାଙ୍ଗକୁ ରଗବି ଖେଳ ପ୍ରତି ଅଧିକ ଧ୍ୟାନ ଦେଉଥିଲେ ହୁପି। ସ୍ପିକର ପୋଜିସନରେ ଖେଳୁଥିବା ହୁପି ପ୍ରଥମେ ଜିଲ୍ଲାସ୍ତରରେ ସଫଳତା ଅର୍ଜନ କଲେ। ଏହାପରେ ତାଙ୍କୁ ରାଜ୍ୟ ରଗ୍‌ବି ଦଳରେ ସ୍ଥାନ ମିଳିଲା। କୋଚ୍‌ ହିରୋକି ଟୁକୁଟାକେଙ୍କ ପରାମର୍ଶ ତାଙ୍କ ପାଇଁ ବେଶ୍‌ ସହାୟକ ହୋଇଥିଲା।

publive-image

୨୦୧୧ ମସିହାରେ ଝାଡ଼ଖଣ୍ଡରେ ହୋଇଥିବା ୧୬ ବର୍ଷରୁ କମ୍‌ ଜାତୀୟ ରଗ୍‌ବି ଚମ୍ପିଅନସିପ୍‌ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ଆସିଥିଲେ ହୁପି। ପରେ ବହୁ ଗରୁତ୍ବପୂର୍ଣ୍ଣ ‌ପ୍ରତିଯୋଗିତାରେ ତାଙ୍କୁ ଖେଳିବା ସୁଯୋଗ ମିଳିଲା। ହୁପି ୨୦୧୨ ଓ ୨୦୧୩ ମସିହାରେ ସର୍ବଭାରତୀୟ ମହିଳା ରଗ୍‌ବି ଚମ୍ପିଅଆନ୍‌ସିପ୍‌ ଖେଳିଥିଲେ। ୨୦୧୫ ମସିହାରେ କେରଳରେ ଖେଳାଯାଇଥିବା ଜାତୀୟ ମହିଳା ରଗ୍‌ବି ଚମ୍ପିଅନସିପ୍‌ରେ ଓଡ଼ିଶା ଦଳର ସଦସ୍ୟ ଥିଲେ। ବର୍ତ୍ତମାନ ଫିଲିପାଇନସ୍‌ର ମାନିଲାରେ ହେବାକୁ ଥିବା ଏସୀୟ ମହିଳା ରଗ୍‌ବି ଚାମ୍ପିଅନ୍‌ସିପରେ ଭାରତୀୟ ଦଳରେ ସାମିଲ ହୋଇ କେନ୍ଦୁଝର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ହୁପି। ଦିନ ଥିଲା ବଣ ଜଙ୍ଗଲ ଘେରା ଗାଁରେ କାଠ କାଟିବା, ମୂଲ ଲାଗିବା କିମ୍ବା ପତ୍ର ଗୋଟାଇବା ଭଳି କାମରେ ନିୟୋଜିତ ଥିବା ଆଦିବାସୀ ଝିଅଙ୍କ ମଧ୍ୟରୁ ହୁପି ସଂଘର୍ଷର କଷଟିପଥରେ ସଫଳତା ସାଉଁଟି ସମଗ୍ର କେନ୍ଦୁଝର ଜିଲ୍ଲାର ଆଦିବାସୀ ଝିଅଙ୍କ ପା‌ଇଁ ଆଦର୍ଶ ପାଲଟି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe