କେନ୍ଦୁଝରଗଡ଼ ପୌରପାଳିକା ଆଲୋକୀକରଣ ଦୁର୍ନୀତି: କେବୁଲ୍‌ରେ ବି ଠକିଛି ଠିକାସଂସ୍ଥା!

Advertisment
ପୌରାଞ୍ଚଳ ଆଲୋକୀକରଣ ଦୁର୍ନୀତି: ତଦନ୍ତ ଆଳରେ ଚାପିଦେଲେ!

Keonjhargah Municipality

କେନ୍ଦୁଝର : କେନ୍ଦୁଝରଗଡ଼ ପୌରାଞ୍ଚଳରେ ଆଲୋକୀକରଣ ନାମରେ ୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଆକଳନ କରାଯାଉଛି। ଏଠି ଅଧିକାଂଶ ଖୁଣ୍ଟରେ ଆର୍ଥିଂ ହୋଇ ନଥିବା ବେଳେ ‌ଅନେକ ସ୍ଥାନରେ ଏଲ୍‌ଇଡି ଲାଇଟ୍‌ ମଧ୍ୟ ଲାଗିନି। ଏବେ କେବୁଲ ବିଛାଇବାରେ ବି ଠିକାସଂସ୍ଥା ଠକିଥିବା ସୂଚନା ମିଳିଛି। କେନ୍ଦୁଝର ସହର‌ରେ ପ୍ରଥମତଃ ଏଷ୍ଟିମେଟ୍‌ ଅନୁସାରେ କେବୁଲ ବିଛା ଯାଇନଥିବା ବେଳେ ଯେତିକି ପରିମାଣରେ କେବୁଲ ବିଛା ଯାଇଛି, ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ନଷ୍ଟ ହେବାରେ ଲାଗିଛି। ଦୁର୍ନୀତି ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଅସାଧୁମେଣ୍ଟର ପକେଟକୁ ଯାଇଛି।

କେନ୍ଦୁଝରଗଡ ପୌରପାଳିକାରେ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ ପାଇଁ ୨୦୧୭ଅଗଷ୍ଟ ୩୦ ତାରିଖରେ ଏନର୍ଜି ଏଫି‌ସିଏନ୍ସି ସର୍ଭିସ ଲିମିଟେଡ (ଇଇଏସ୍‌ଏଲ୍‌) ସହ ଚୁକ୍ତିନାମା ହୋଇଥିଲା। ଏହାପରେ ଏସେଲ ଉକ୍ତ କାମକୁ  ଆସ୍ଥା ଇଲେକ୍ଟ୍ରିକାଲକୁ ୨୦୧୮ଡିସେମ୍ବର ୧୮ ତାରିଖରେ ସବଲେଟ୍‌ରେ ଦେଇଥିଲା।

ଯୋଜନା ଅନୁସାରେ, କେନ୍ଦୁଝରଗଡ ପୌରପାଳିକାରେ ମୋଟ ୨୧ଟି  ୱାର୍ଡରେ ୧୩୫ କିଲୋମିଟରର କେବୁଲ ବିଛାଇବାର ଥିଲା। ତେବେ ସର୍ବାଧିକ ପ୍ରାୟ ୫୦ କିଲୋମିଟରର ନୂତନ କେବୁଲ୍‌ ବିଛାଯାଇଥିବା ବେଳେ ପୂର୍ବରୁ ନେସ୍କା ବିଛାଇଥିବା କେବୁଲ୍‌କୁ ବଦଳାଯାଇ ନଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

publive-image Dailyhunt

ମିଳିଥିବା ସୂଚନାପ୍ରକାରେ, ଏଲ୍‌ଇଡି ଲାଇଟ୍‌ ଲାଗିବା ପୂର୍ବରୁ କେନ୍ଦୁଝର ସହରରେ ନେସ୍କୋ ପକ୍ଷରୁ କେବୁଲ ବିଛାଯାଇ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ଯେତେବେଳେ ନୂଆ ଏଲ୍‌ଇଡି ଲାଇଟ ଲାଗିବା ଯୋଜନା ହେଲା ସେତେବେଳେ ଏଷ୍ଟିମେଟ୍‌ରେ କେନ୍ଦୁଝର ସହରରେ ୧୩୫ କିଲୋମିଟର ‌କେବୁଲ ବିଛାଇବାର ବ୍ୟବସ୍ଥା ଥିଲା। ମାତ୍ର ଆସ୍ଥା ଇଲେକ୍ଟ୍ରିକାଲ ଅତ୍ୟନ୍ତ ଚତୁରତାର ସହିତ ଏହି କାର୍ଯ୍ୟରେ ପ୍ରାୟ ୮୫ କିଲୋମିଟର କେବୁଲ୍‌ ଠକିଛି। ଅର୍ଥାତ ଏହି ସବୁ ଅଞ୍ଚଳରେ ନିଜସ୍ବ କେବୁଲ ନ ବିଛାଇ ପୂର୍ବରୁ ଥିବା ନେସ୍କୋ କେବୁଲରେ କାମ ଚଳାଇଦେଇଛି। କେନ୍ଦୁଝର ୧ ନମ୍ବର ୱାର୍ଡର ମୁଣ୍ଡା ସାହିରେ ନୂଆ ଏଲ୍‌ଇଡି ଲାଇଟ୍‌ ଲାଗିବ ପାଇଁ ସ୍ବତନ୍ତ୍ର କେବୁଲ ବିଛା ହେବାକୁ ଥିବା ବେଳେ ଠିକାସଂସ୍ଥା ପୁରୁଣା ତାରରେ ଲାଇଟ୍‌ ସଂଯୋଗ ଦେଇଥିଲା। ଖାଲି ମୁଣ୍ଡା ସାହି ନୁହେଁ, ସହରର କରଣସାହି‌, ମାଧପୁର ,କାଶୀପୁର, ଜଗନ୍ନାଥପୁର, ବଳଦେବଜିଉ କଲୋନି, ବଡ଼ଡେରା, ସାନଡେରା, ବଡହଳର ମଙ୍ଗଳାମନ୍ଦିର ଅଞ୍ଚଳ, ବଣିଆପାଟରୁ ଶିରିପୁର ରୋଡ ଏବଂ ୨୧ ନମ୍ବର ୱାର୍ଡର ତୁଳସୀପୁର ଅଞ୍ଚଳରେ ନୂତନ କେବୁଲ ଲାଗିନାହିଁ। ହେଲେ ଏହି କାମକୁ ମୋହର ମାରିଛି ପୌରପାଳିକା।

ସେହିପରି ଯେଉଁଠି ନୂଆ କେବୁଲ ବିଛାଇଛି ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଦେଢ଼ ବର୍ଷ ମଧ୍ୟରେ ଏହିସବୁ ଫାଟି ନଷ୍ଟ ହେବାରେ ଲାଗିଛି। ଯାହାଦ୍ବାରା ବୈଦ୍ୟୁତିକ ଦୁର୍ଘଟଣାର ଆଶଙ୍କା ରହିଛି। ଏଠାରେ ମେଡିକାଲ ରୋଡ-ଆଟପୁର ଉଦାହରଣ ଦିଆଯାଉ। ଏହି ରାସ୍ତାରେ ଠିକା ସଂସ୍ଥା ପକ୍ଷରୁ ନୂଆ କେବୁଲ ବିଛା ଯାଇଥିଲା। ମାତ୍ର ପୌରପାଳିକାକୁ ହାତ କରି ଠିକା ସଂସ୍ଥା ଏତେ ନିମ୍ନମାନର କେବୁଲ ଲଗାଇଥିଲା ଯେ, ଏବେ ତାହା ଫାଟି ନଷ୍ଟ ହୋଇଯାଇଛି। ସେହିପରି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖ, ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖ ରାସ୍ତା, ଧେବାଡିହା- କରଞ୍ଜିଆ ବସ୍‌ଷ୍ଟାଣ୍ଟ ପର୍ଯ୍ୟନ୍ତ, ସିରାଜ୍ଜୁଦ୍ଦିନ ଛକରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏବଂ ବଡ଼ଦାଣ୍ଡରେ ଲାଗିଥିବା କେବୁଲ ଅତ୍ୟନ୍ତ ନିମ୍ନମାନର ହୋଇଥିବା କାରଣରୁ ଏହା ନଷ୍ଟ ହେବାରେ ଲାଗିଛି। ଅପରପକ୍ଷରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟରେ ୨୦ କିଲୋମିଟର କେବୁଲ ନଷ୍ଟ ହୋଇଛି ବୋଲି ଠିକାସଂସ୍ଥା ଦର୍ଶାଇଛି। ରାସ୍ତା ପ୍ରଶସ୍ତୀକରଣ ଅଞ୍ଚଳରେ ମଧ କିଛି ପରିମାଣରେ ପୂର୍ବରୁ ନେସ୍କୋ କେବୁଲ ଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଠିକାସଂସ୍ଥାର ନୂଆ କେବୁଲ ନଷ୍ଟ ହୋଇଛି ବୋଲି ଦର୍ଶାଇଥିବା ଅଭିଯୋଗ ହେଉଛି।

ଆଲୋକୀକରଣ କାର୍ଯ୍ୟରେ କେବଳ କେନ୍ଦୁଝରଗଡ ପୌରପାଳିକାରେ ସରକାରଙ୍କୁ ମିଛ ରିପୋର୍ଟ ଦେଇ ଠିକାସଂସ୍ଥା ବ୍ୟାପକ ଘୋଟାଲା କରିଛି। କେବୁଲ, ଆର୍ଥିଂ ଏବଂ ଲାଇଟ୍‌ ବାବଦରେ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଠକିଥିବା ଆକଳନ କରାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe