ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଥାନାରେ ଅଟକ ପ୍ରସଙ୍ଗ: ଜନଜାତି କମିସନଙ୍କ ନିକ‌ଟରେ ଅଭିଯୋଗ

Advertisment
ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଥାନାରେ ଅଟକ ପ୍ରସଙ୍ଗ: ଜନଜାତି କମିସନଙ୍କ ନିକ‌ଟରେ ଅଭିଯୋଗ

India Map

କେନ୍ଦୁଝର : ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଥାନାରେ ଅଟକ ରହିଥିଲେ କେନ୍ଦୁଝର ସଦର ବ୍ଲକ୍‌ ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ସମେତ ଡିମିରିମୁଣ୍ଡା ବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ। ସେମାନଙ୍କ ନାମରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଏହି ମାମଲା ଏବେ ଜାତୀୟ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ପହଞ୍ଚିଛି। ଅଭିଭାବକଙ୍କ ମଧ୍ୟରୁ ଯୋଗେନ୍ଦ୍ର ମୁଣ୍ଡା ଅନୁସୂଚିତ ଜନଜାତି ବର୍ଗର ହୋଇଥିବାରୁ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ଡାଏରି ନମ୍ବର ହେଉଛି ୫୨୦୪/୨୦୨୨। କମିସନ ଅଭିଯୋଗକୁ ଗ୍ରହଣ କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟ‌ରେ କେନ୍ଦ୍ରାପଡ଼ାର ମାନବାଧିକାର କର୍ମୀ ପ୍ରତାପ ମହାନ୍ତି ଏବଂ କେନ୍ଦୁଝରର ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ଡିମିରିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ସ୍ଥାୟୀ ଶିକ୍ଷକ ନାହାନ୍ତି। ନିକଟସ୍ଥ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଏଠାରେ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ବିଫଳ ହେବାପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ। ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ଶୁଣାଣିକୁ ଆଣିଥିବାରୁ ପ୍ରଶାସନିକ ଅଧିକାରୀମାନେ ଅଭିଭାବକଙ୍କ ଉପରେ ବିରକ୍ତ ହୋଇଥିଲେ। ତୁରନ୍ତ ପୁଲିସ ପହଞ୍ଚି କେନ୍ଦୁଝର ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲୀପ କୁମାର ବେହେରାଙ୍କ ସମେତ ଅଭିଭାବକ ରୋହିତ କୁମାର ମହାନ୍ତ, ଗୋବର୍ଦ୍ଧନ ମହାନ୍ତ, ଗୌତମ ମହାନ୍ତ, ଯୋଗେନ୍ଦ୍ର ମୁଣ୍ଡା ପ୍ରମୁଖଙ୍କୁ
ଉଠାଇ ନେଇ ଟାଉନ ଥାନାରେ ଅଟକ ରଖିଥିଲା। ୪ ଘଣ୍ଟା ଧରି ଅଟକ ରଖିବା ପରେ ଅପରାହ୍ନ ୩ଟାବେଳେ ପୁଲିସ ସେମାନଙ୍କୁ ଅଣ୍ଟରଟେକିଂ ଲେଖାଇ ଛାଡ଼ିଥିଲା।

ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନ୍‌ଏଚ୍‌ଆର୍‌ସିରେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୁଲିସ ଅଭିଭାବକଙ୍କ ନାମରେ ଜୁଭେନାଇଲ ଆକ୍ଟରରେ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ଜାତୀୟ ଅନୁସୂଚିତ ଜନଜାତି କମସନଙ୍କ ନିକଟର ପହଞ୍ଚିବା ପରେ ଦିନକୁ ମାମଲା ଜଟିଳ ହେବାରେ ଲାଗିଛି।

ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର : କାନପୁର ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀଙ୍କୁ ଉପଯୁକ୍ତ ଥଇଥାନ କରାନଯିବା ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନଯିବା ନେଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମେ ୯ ତାରିଖ ଅର୍ଥାତ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ଆୟୋଗଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ ଜାରି ହୋଇଥିଲା। ମାତ୍ର ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲାପାଳ ହାଜର ହୋଇପାରି ନଥିବା କମିସନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପୂର୍ବରୁ ଅନ୍ୟ ଏକ ମାମଲାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିସନ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ୍‌ କରିଥିଲେ। ମାତ୍ର ଜିଲ୍ଲାପାଳ ବ୍ୟକ୍ତିଗତ ହାଜର ନ ହେବାରୁ ତାଙ୍କ ବିରୋଧରେ କମିସନ ଗିରଫ ପରୱାନା ଜାରି କରିଥିଲେ। ଏହା ବିରୋଧରେ ଜିଲ୍ଲାପାଳ ହାଇକୋର୍ଟର ଦ୍ବାରସ୍ଥ ହେବାପରେ ମାମଲାରେ ସାମୟିକ ସ୍ଥଗିତାଦେଶ ମିଳିଥିଲା। ବର୍ତ୍ତମାନ ପୁଣି କାନପୁର ବିସ୍ଥାପିତ ମାମଲାରେ ଜିଲ୍ଲାପାଳ ଶ୍ରୀ ଠାକ୍‌ରେଙ୍କୁ ହାଜର ହେବାପାଇଁ କମିସନ ନୋଟିସ୍‌ କରିଥିଲେ। ମେ ୯ ତାରିଖରେ ହାଜର ‌‌ହେବାପାଇଁ ନୋଟିସ ଆସିଥିଲା। ତେବେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ଆଜି ଜିଲ୍ଲାପାଳ କମିସନଙ୍କ ନିକଟରେ ହାଜର ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe