କେନ୍ଦୁଝର ବିମାନବନ୍ଦର: ଖର୍ଚ୍ଚ ହେବ ୧୦୩ କୋଟି

Advertisment

୨ବି ବର୍ଗ ବିମାନବନ୍ଦର ପାଇଁ ପ୍ରସ୍ତାବ

୨ବି ବର୍ଗ ବିମାନବନ୍ଦର ପାଇଁ ପ୍ରସ୍ତାବ

କେନ୍ଦୁଝର ବିମାନବନ୍ଦର: ଖର୍ଚ୍ଚ ହେବ ୧୦୩ କୋଟି

କେନ୍ଦୁଝର: କେନ୍ଦୁଝରରେ ଥିବା ଏୟାରଷ୍ଟ୍ରିପ୍‌କୁ ୨-ବି କ୍ୟାଟେଗୋରି ବିମାନବନ୍ଦର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରାଯାଇ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ପ୍ରଶାସନିକ ଅନୁମୋଦନ ପାଇଁ ପଠାଇଛି। ଏହି ଅନୁମୋଦନ ମିଳିଲେ ଖୁବ୍‌ଶୀଘ୍ର ୨-ବି କ୍ୟାଟେଗୋରିର ଏୟାରପୋର୍ଟ ନିର୍ମାଣ କାମ ଆରମ୍ଭ ହେବ। କେନ୍ଦୁଝର ସହ ନିକଟ ରାଇସୁଆଁଠାରେ ଥିବା ଏୟାରଷ୍ଟ୍ରିପ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମାଣ କରାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ଏହା ସଂପୂର୍ଣ୍ଣ ମାଟି ମୋରମରେ ନିର୍ମିତ ହୋଇଥିଲା। ପ୍ରାୟ ୨୦ବର୍ଷ ହେବ ଏହାର ରନୱେକୁ ପିଚୁ କରାଯାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ପ୍ରାୟ ୧କୋଟି ଟଙ୍କା ବ୍ୟୟବରାଦରେ ଏୟାରଷ୍ଟ୍ରିପ୍‌ର ସମସ୍ତ ଅଞ୍ଚଳକୁ ପାଚେରିରେ ଆବଦ୍ଧ କରାଯାଇଛି। ନୂତନ ହେଲିପ୍ୟାଡ୍ ଓ ନୂତନ ରନ୍‌ୱେ ନିର୍ମାଣ କରାଯାଇଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ଏହି ବିମାନଘାଟି ୩୮.୦୫ ଏକର ପରିମିତ ଜମିରେ ନିର୍ମିତ ହୋଇଛି। ଏହାର ଲମ୍ବ ୧ କିଲୋମିଟର ହୋଇଥିବାବେଳେ ରନ୍‌ୱେର ଲମ୍ବ ୩୦୧୫ ଫୁଟ(୯୨୦ମିଟର) ଓ ପ୍ରସ୍ଥ ୯୮ ଫୁଟ (୩୦ମିଟର) ବିଶିଷ୍ଟ। ବର୍ତ୍ତମାନ ଏଠାରେ ସରକାରୀ ବିମାନକୁ ଛାଡ଼ିଦେଲେ ଅନେକ ବେସରକାରୀ ହେଲିକପ୍ଟର ଓ ଚାର୍ଟର୍ ଅବତରଣ କରିଥାଏ।

କେନ୍ଦୁଝରର କଳେବର ବଢ଼ିବା ସହିତ ବ୍ୟବସାୟିକ ଢାଞ୍ଚା ବଢ଼ୁଥିବାରୁ ଏଠାରେ ଥିବା ଏୟାରଷ୍ଟ୍ରିପ୍‌କୁ ବିମାନବନ୍ଦର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯନ୍ତ୍ରୀ ମୁଖ୍ୟ (ଡିପିଆଇ ଆଣ୍ଡ ରୋଡ୍‌) ଚିଠି( ୯୯୦୭) ଅନୁସାରେ, କେନ୍ଦୁଝର ରାଇସୁଆଁଠାରେ ଥିବା ଏୟାରଷ୍ଟ୍ରିପ୍‌କୁ ୨-ବି କ୍ୟାଟେଗୋରି ଏୟାରପୋର୍ଟ କରିବାକୁ ୧୦୩ କୋଟି ୫ ଲକ୍ଷ ୭୯ ହଜାର ୫୦୦ ଟଙ୍କାର ଖର୍ଚ୍ଚ ହେବ। ଏଥିପାଇଁ ରନ୍‌ୱେ, ଟାକ୍ସି ୱେ, ପାର୍କିଂ, ପ୍ରବେଶ ରାସ୍ତା, ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ୨୫ କୋଟି ୩୨ ଲକ୍ଷ ୭୧ ହଜାର ୨୩୬ ଟଙ୍କା ଖର୍ଚ୍ଚ ହେବ। ସେହିପରି ସୁରକ୍ଷା ବାଡ଼, ଡ୍ରେନ୍‌, କଲଭର୍ଟ ନିର୍ମାଣ ପାଇଁ ୬ କୋଟି ୪୩ ଲକ୍ଷ ୯୩ ହଜାର ୫୩୧ ଟଙ୍କା ଖର୍ଚ୍ଚ ହେବ। ଟର୍ମିନାଲ ବିଲଡିଂ, ବାରାକ ବିଲଡିଂ, ୱାଚ୍‌ ଟାୱାର, ଫାୟାର ‌ଷ୍ଟେସନ, ହସ୍ପିଟାଲ ନିର୍ମାଣ ପାଇଁ ୧୯ କୋଟି ୨୯ ଲକ୍ଷ ୨୨ ହଜାର ୭୨୯ ଟଙ୍କାଖର୍ଚ୍ଚ ହେବ। ଏହି ଅଞ୍ଚଳ ମଧ୍ୟରେ ଥିବା ସଦର ଥାନାକୁ ସ୍ଥାନାନ୍ତର କରାଯିବାର ପ୍ରସ୍ତାବ ଅଛି। ଥାନା ଭାଙ୍ଗିବା ଓ ପୁନଃନିର୍ମାଣ ବାବଦରେ ୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଲାଇଟ୍‌, ସାଇନ୍‌ଏଜ୍‌ ଆଦି ପାଇଁ ୨ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହବ। ତିନୋଟି ବ୍ୟାଗେଜ୍‌ ସ୍କାନର ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ୨ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା ପାଇଁ ୧୫ ଲକ୍ଷ, କୁଲିଂ ପିଟ୍‌ ପାଇଁ ୨୦ ଲକ୍ଷ, ୱାଣ୍ଡ ସକ୍‌ ପାଇଁ ୧୫ ଲକ୍ଷ, ଲ୍ୟାଣ୍ଡିଂ ଡିରେକ୍ସନ ଇଣ୍ଡିକେଟର ପାଇଁ ୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି ଜମି ଅଧିଗ୍ରହଣ ପାଇଁ ମୋଟ ୨୫ କୋଟି ଖର୍ଚ୍ଚ ହେବାର ବ୍ୟବସ୍ଥା ରହିଛି। ଏହି ଏୟାରପୋର୍ଟ ପାଇଁ ୧୦୩ କୋଟିର ବ୍ୟୟଅଟକଳକୁ ପ୍ରଶାସନିକ ଅନୁମୋଦନ ପାଇଁ ସରକାରଙ୍କୁ ପଠାଯାଇଛି। ଅନୁମୋଦନ ମିଳିଲେ ତୁରନ୍ତ କାମ ଆରମ୍ଭ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe