କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ହେଉ: ମୋହନ

Advertisment

ନବରଙ୍ଗପୁରକୁ ବଦଳି ହେଲେ ସିଡିଏମ୍‌ଓ

ନବରଙ୍ଗପୁରକୁ ବଦଳି ହେଲେ ସିଡିଏମ୍‌ଓ

ରାଜ୍ୟ ସରକାର ନିଜ ଅବହେଳାରୁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି : ମୋହନ ମାଝୀ

Facebook

ଭୁବନେଶ୍ୱର/କେନ୍ଦୁଝର : ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଦୀର୍ଘ ୨୨ ବର୍ଷ ଶାସନରେ ରହିବା ପରେ ବିଜେଡି ସରକାର ରାଜ୍ୟବାସୀଙ୍କୁ ମୌଳିକ ସେବା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ଚିକିତ୍ସାରୁ ବଞ୍ଚିତ କରିଛନ୍ତି। ପ୍ରାକୃତିକ ଖଣିଜ ସମ୍ପଦରେ ଭରପୁର କେନ୍ଦୁଝରରେ ଗତ ୧୮ ଦିନରେ ୧୩ଜଣ ଶିଶୁଙ୍କର ମୃତ୍ୟୁ ହେବା ଅତ୍ୟନ୍ତ ଲଜ୍ଜାଜନକ। ଏହି ଶିଶୁ ମୃତ୍ୟୁ ଘଟଣାର ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା କରିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଛନ୍ତି। ଏହାସହ ଘଟଣାର ତଦନ୍ତ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି, କେନ୍ଦୁଝର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ଅଧିକାଂଶ ସମୟ ଛୁଟିରେ ରହୁଛନ୍ତି । ଶିଶୁ ରୋଗ ବିଶେଷଜ୍ଞମାନଙ୍କ ଅଭାବ ରହିଛି। ଆଜି ବି ପ୍ରସୂତି ମହିଳା ଡାକ୍ତରଖାନାକୁ ଖଟିଆରେ ବୁହା ହୋଇ ଆସିବା ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଉଦାହରଣ।

କେନ୍ଦ୍ର ସରକାର ପିଏମ୍ ପୋଷଣ ଯୋଜନା ଜରିଆରେ ଦେଶରେ କୁପୋଷଣକୁ ପ୍ରତିହିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏଥି ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ପଠାଉଛନ୍ତି। କିନ୍ତୁ ରାଜ୍ୟ ସରକାର ତାହା ଚଳୁ କରି ଲୋକଙ୍କୁ କଷ୍ଟ ଓ ଦୁର୍ଦ୍ଦଶାକୁ ଠେଲି ଦେଉଛନ୍ତି।

ଖଣିଜ ସଂପଦ ପରିପୂର୍ଣ୍ଣ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମ୍‌ଏଫ୍ ପାଣ୍ଠି ଗଠନ କରାଯାଇଛି। କେବଳ କେନ୍ଦୁଝର ଜିଲ୍ଲାରେ ୨୬% ଲୁହା ଖଣି ଥିବାବେଳେ ଜିଲ୍ଲାର ବିକାଶ ପାଇଁ ୮୫୮୩ କୋଟି ଟଙ୍କାର ଡିଏମ୍‌ଏଫ୍ ପାଣ୍ଠି ରହିଛି । ଜିଲ୍ଲାରେ ବ୍ୟାପକ ପରିମାଣର ଅର୍ଥ ଥିବା ସତ୍ୱେ ଜିଲ୍ଲାର ବିକାଶ ତ ଦୂରର କଥା କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଶିଶୁଙ୍କ ମୃତ୍ୟୁ ଘଟଣା ପରେ ବଦଳିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ଚିଠି ନମ୍ବର-୨୧୦୧୩/୨୨.୯.୨୦୨୨ ଅନୁସାରେ କେନ୍ଦୁଝର ସିଡିଏମ୍‌ଓ ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ଡାକ୍ତର କିଶୋର କୁମାର ପୃଷ୍ଟିଙ୍କୁ ନୂଆ ସିଡିଏମ୍‌ଓ ଭାବେ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe