କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ଅନିୟମିତତା ମାମଲା: ରାଜ୍ୟସ୍ତରୀୟ କମିଟି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ଅନିୟମିତତା ଅଭିଯୋଗ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଛି।

1604256647_coal2

କଟକ: କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ଅନିୟମିତତା ଅଭିଯୋଗ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଆଜି ଦର୍ଶାଯାଇଥିଲା ଯେ ରାଜ୍ୟସ୍ତରୀୟ କମିଟି(ଏସ୍‌ଏଲ୍‌ସି) ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏହି କମିଟି ନିକଟରେ ୧୨ଟି ବିଭାଗ ମଧ୍ୟରୁ ୬ଟି ବିଭାଗ ଜିଲ୍ଲା ଖଣିଜ ପାଣ୍ଠି ସଂପର୍କିତ ତଦନ୍ତ ରିପୋର୍ଟ ଦାଖଲ କରି ସାରିଛନ୍ତି। ଅବଶିଷ୍ଟ ବିଭାଗଗୁଡ଼ିକ ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ କରାଯିବା ପରେ ଏସ୍‌ଏଲ୍‌ସି ଏ ସଂପର୍କିତ ବିସ୍ତୃତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବ। ଏଥି ପାଇଁ ଚାରି ସପ୍ତାହ ମହଲତ ପ୍ରଦାନ କରାଯାଉ ବୋଲି ସରକାରଙ୍କ ତରଫରୁ ନିବେଦନ କରାଯାଇଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ ଅକ୍ଟୋବର ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏସ୍‌ଏଲ୍‌ସିର ରି‌ପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ଖଣିଜ ପାଣ୍ଠି ଖର୍ଚ୍ଚରେ ବ୍ୟାପକ ନିୟମ ଉଲ୍ଲଂଘନ କରାଯାଉଥିବା ନେଇ ହାଇକୋର୍ଟରେ ଏହି ଆବେଦନ ୨୦୨୪ରେ ଦାୟର ହୋଇଥିଲା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କେନ୍ଦୁଝରରେ ଜିଲ୍ଲା ଖଣିଜ ପାଣ୍ଠି ଟଙ୍କା ଖର୍ଚ୍ଚ ବେଳେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେସନ୍ ଆଇନ, ୧୯୫୭ ଓ ୨୦୧୫ର ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ହାଇକୋର୍ଟ ଆବେଦନକାରୀଙ୍କ ଅଭିଯୋଗର ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଏଲ୍‌ସିକୁ ଗତ ଜାନୁଆରି ୨ରେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍ ନିୟମାବଳୀ, ୨୦୧୫ ଅନୁସାରେ ଗଠିତ ଏସ୍‌ଏଲ୍‌ସି ହାଇକୋର୍ଟରେ ଦାଖଲ ଆବେଦନ ଓ ପ୍ରତିଜବାବରେ ଉଲ୍ଲେଖ ଅଭିଯୋଗର ଯାଞ୍ଚ କରିବ। ଆବେଦନକାରୀଙ୍କ ଅଭିଯୋଗର ଅନୁଧ୍ୟାନ କରି ଏସ୍‌ଏଲ୍‌ସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ହାଇକୋର୍ଟ ଜାନୁଆରି ୨ରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe