କେନ୍ଦୁଝର : ଚାଉଳ ଓ ଗହମ ଦୁର୍ନୀତିର ପେଡ଼ି ଖୋଲିବା ପରେ ଯୋଗାଣ ବିଭାଗର ଦୁଇ କର୍ମଚାରୀଙ୍କୁ ଜିଲ୍ଲାପାର୍ ବଦଳି, ଅସଲ ଦୋଷୀଙ୍କ ପାଇଁ ପଛଘୁଞ୍ଚା

ବର୍ଷ ବର୍ଷ ଧରି ଭୂତ ଖାଉଛନ୍ତି ପିଡିଏସ୍‌ ଚାଉଳ

jagran.com

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଗାଣ ବିଭାଗରେ ଚାଉଳ ଓ ଗହମ ଦୁର୍ନୀତିର ପେଡ଼ି ଖୋଲିବା ପରେ ଦୁଇଜଣ କର୍ମଚାରୀଙ୍କୁ ଜିଲ୍ଲାପାର୍ ବଦଳି କରାଯାଇଛି। ଜଣେ ଜୁନିୟର ଆସିଷ୍ଟାଣ୍ଟକୁ ବାଲେଶ୍ବର ବଦଳି କରାଯାଇଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଭୁବନେଶ୍ବର ବଦଳି କରାଯାଇଛି। ଯଦିଓ ଏହା ପ୍ରଶାସନିକ ନିଷ୍ପତ୍ତି, ମାତ୍ର ଏହାପଛରେ ରହିଛି ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାର ଷଡ଼୍‌ଯନ୍ତ୍ର । ଚାଉଳ ଓ ଗହମ ଦୁର୍ନୀତିର ଦୁର୍ନାମ ମୁଣ୍ଡାଇଥିବା ଯୋଗାଣ ବିଭାଗ ଏହି ବଦଳି କରି ଗଣମାଧ୍ୟମର ନଜର ହଟାଇବାକୁ ଉଦ୍ୟମ କରୁଥିବା କୁହାଯାଉଛି।

ପ୍ରଥମେ ଯୋଗାଣ ବିଭାଗ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ନାଏକଙ୍କୁ ଗତ ୨୭ ତାରିଖରେ ଚିଠି ନଂ-୧୧୩୯ରେ ବାଲେଶ୍ବର ବଦଳି କରାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଚିଠି ଅନୁସାର ତାଙ୍କୁ ଏଠାରୁ ନୂଆ କାର୍ଯ୍ୟସ୍ଥଳୀକୁ ତୁରନ୍ତ ରିଲିଭ୍‌ କରି ଦିଆଯାଇଛି। ତାଙ୍କୁ ଯେଉଁ ଆଦେଶ ଆଧାରରେ ବଦଳି କରାଗ‌ଲା, ତାହା ହିଁ ବିସ୍ମୟକର। ଗତ ୨୦୧୭ ଅକ୍ଟୋବର ୯ ତାରିଖରେ ଆଦେଶ ସଂଖ୍ୟା-୧୬୯୨୯ରେ ତାଙ୍କୁ ବାଲେଶ୍ବର ବଦଳି କରାଯାଇଥିଲା। ଏବେ ସେହି ଆଦେଶକୁ କାର୍ଯ୍ୟକାରୀ କରାଯାଇଛି। ପ୍ରାୟ ୩ ବର୍ଷ କାହିଁକି ତାଙ୍କ ବଦଳି ଆଦେଶକୁ କାର୍ଯ୍ୟକାରୀ କରାଯାଇନଥିଲା ଏବଂ ବର୍ତ୍ତମାନ କରୋନା ଭଳି ପରିସ୍ଥିତିରେ ଏବେ ସେହି ଆଦେଶକୁ କାର୍ଯ୍ୟକାରୀ କରାଗଲା ବୋଲି ପ୍ରଶ୍ନ ଉଠୁଛି।

ସେହିପର ବଦଳି ହୋଇଥିବା ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଉଛନ୍ତି ଚିନ୍ତାମଣି ପତି। ତାଙ୍କୁ ମଧ୍ୟ ଅକ୍ରୋଶ ରଖି ଭୁବନେଶ୍ବରକୁ ବଦଳି କରାଯାଇଛି। ଚିନ୍ତାମଣିଙ୍କ କହିବା ଅନୁସାରେ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସାଧାରଣତଃ ଏତେ ଦୂରକୁ ବଦଳି କରଯିବା କଥା ନୁହେଁ। ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ଏଭଳି ବଦଳି କରାଯାଇଛି। ଚିନ୍ତାମଣି ଖୋଲାଖୋଲି କେଉଁ ଉଦ୍ଦେଶ୍ୟରେ ତାଙ୍କୁ ବଦଳି କରାଯାଇଛି କହିନାହାନ୍ତି। କିନ୍ତୁ ସିଏସ୍‌ଓ କାର୍ଯ୍ୟାଳୟର ଭିତିରି ଖବର ଅନୁସାରେ, ବାରମ୍ବାର ଚାଉଳ ଓ ଗହମ ଦୁର୍ନୀତି ଖବର ପ୍ରକାଶ ପରେ ଏହି ଦୁଇ କର୍ମଚାରୀ ସନ୍ଦେହ ଘେରରେ ଥିଲେ। ତେଣୁ ‘ମୂଳୁ ମାଇଲେ ଯିବ ସରି ନ୍ୟାୟ’ରେ ଏହି ଦୁଇ କର୍ମଚାରୀଙ୍କୁ ଜିଲ୍ଲା ପାର୍ ବଦଳି କରାଯାଇଛି।

ଅପରପକ୍ଷରେ ହରିଚନ୍ଦନପୁର ବ୍ଲକର ରାସୋଳ ଓ ଟାଙ୍ଗିରିଆପାଳ ପଞ୍ଚାୟତ ଚାଉଳ ଦୁର୍ନୀତି ଏବଂ ବଡ଼ବିଲର ଗହମ ଦୁର୍ନୀତି ସଂପର୍କରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଆଜିଯାଏ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏମିତିକି ଏହି ଦୁର୍ନୀତିରେ ଖୋଦ୍‌ ସିଏସ୍‌ଓଙ୍କ ସଂପୃକ୍ତି ଆସୁଥିବାରୁ ଏହାର ତଦନ୍ତକୁ ସମଗ୍ର ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ଚାପି ଦେବାକୁ ଉଦ୍ୟମ କରୁଥିବା ପରି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ, ରାଇସ ମିଲରୁ ଚାଉଳ ଆସି ରାଇସ ରିସିଭିଙ୍ଗ ସେଣ୍ଟର ଗୋଦାମ ଗୃହରେ ପହଞ୍ଚୁନି। ବରଂ ଏହି ଗୋଦାମ ଗୃହ ସମ୍ମୁଖରେ ଗାଡ଼ିରୁ ଗାଡ଼ିକୁ ଉଠାଯାଇ ସିଧାସଳଖ ପଞ୍ଚାୟତକୁ ପଠାଇ ଦିଆଯାଉଛି ଚାଉଳ। ଏ ସଂପର୍କରେ ଆଜି ‘ସମ୍ବାଦରେ ବିସ୍ତୃତ ଭାବେ ଖବର ପ୍ରକାଶ ପାଇଥିଲା। ପ୍ରତିକ୍ରିୟାରେ ସିଏସ୍‌ଓ ପରେଶ ମହାନ୍ତି କହିଛନ୍ତି, ବର୍ତ୍ତମାନ ଚାଉଳ ଝାରସୁଗୁଡ଼ାରୁ ଆସୁଛି। ଯେଉଁ ଗାଡ଼ିରେ ଚାଉଳ ଆସୁଛି, ସେହି ଗାଡ଼ିର ଡ୍ରାଇଭର ତୁରନ୍ତ ଖାଲି କରିବାକୁ ତରତର କରୁଛନ୍ତି। ଏଭଳି ସ୍ଥଳେ କାଁଭାଁ ଗାଡ଼ିରୁ ଗାଡ଼ିକୁ ଚାଉଳ ଉଠାଯାଏ। ନଚେତ ଅନ୍ୟ ସମୟରେ ଗୋଦାମକୁ ଚାଉଳ ଯାଏ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe