ବାଲେଶ୍ବର/ଭୋଗରାଇ: ବାଲେଶ୍ବର ଜିଲ୍ଳା ଭୋଗରାଇ ବ୍ଲକ୍ରେ ଘଟିଛି ଅଘଟଣ। ବ୍ଲକ୍ ଅଧୀନ କୁଳିହା ଗ୍ରାମ ନିକଟ ୩୦୦ ଏକର ଖଡ଼ିଚାଷ ଜଳିଯାଇଛି। ଆଜି ଅପରାହ୍ନରେ ଖଡ଼ିବାଡ଼ିରେ ଘଟିଥିଲା ଅଗ୍ନିକାଣ୍ତ। ଫଳରେ ୩ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ଏହି ଦୁର୍ଘଟଣାରେ ୫୦ ଜଣରୁ ଅଧିକ ଚାଷୀ ପ୍ରଭାବିତ ହୋଇଥିବା ବେଳେ ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
ଖଡ଼ିବାଡ଼ିରେ କିପରି ନିଆଁ ଲାଗିଲା, ସେନେଇ କୌଣସି ଠିକ୍ ସୂଚନା ମିଳିପାରିନି। ତେବେ ଖଡ଼ିବାଡ଼ି ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ସର୍ଟସର୍କିଟ୍ ହୋଇ କିମ୍ବା ଅନ୍ୟ କୌଣସି ପ୍ରକାର ଅଗ୍ନି ସଂଯୋଗ ଯୋଗୁ ଏହି ଅଘଟଣା ଘଟିଥିବା କୁହାଯାଉଛି। ବିଡ଼ମ୍ବନାର ବିଷୟ; ଖଡ଼ି ଚାଷକୁ ଏଯାଏ କୃଷିର ମାନ୍ୟତା ମିଳିନି। ଫଳରେ ବିଭିନ୍ନ ସମୟରେ ଖଡ଼ି ଚାଷ କରି କ୍ଷତି ସହୁଥିବା ଚାଷୀଙ୍କୁ କୌଣସି ସରକାରୀ ସହାୟତା ମିଳିପାରୁନି। ଆଜି ଯେଉଁ ଚାଷୀଙ୍କ କ୍ଷତି ହୋଇଛି, ଚାଷୀମାନେ ତା’ର ମଧ୍ୟ କୌଣସି ସହାୟତା ପାଇପାରିବେ ନାହିଁ ବୋଲି ଜଣାପଡ଼ିଛି। ଏପରି ସମୟରେ ଖଡ଼ିଚାଷକୁ ତୁରନ୍ତ କୃଷିର ମାନ୍ୟତା ଦେବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
Follow Us