ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ

Advertisment

ବର୍ଷର ସବୁଠୁ ବଡ଼ ବନକଲାଗି ଆରମ୍ଭ, ଦିନକ ପରେ ନବ‌ଯୌବନ ଦର୍ଶନ

ବର୍ଷର ସବୁଠୁ ବଡ଼ ବନକଲାଗି ଆରମ୍ଭ, ଦିନକ ପରେ ନବ‌ଯୌବନ ଦର୍ଶନ

ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ

ପୁରୀ : ‌ସୋମବାର ଦିନ ଶ୍ରୀମନ୍ଦିରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ସୋମବାର ପୂର୍ବାହ୍ନରେ ଶୋଭାଯାତ୍ରା ସହକାରେ ଦତ୍ତ ମହାପାତ୍ର ସେବକଙ୍କ ସହ ଦଇତାପତି ସେବକମାନେ ସ୍ବତନ୍ତ୍ର ରୁପା ପାତ୍ରରେ ଶ୍ରୀମନ୍ଦିରରୁ ରାଜନଅରକୁ ଖଡ଼ି ପ୍ରସାଦ ବିଜେ କରିଛନ୍ତି। ରାଜନଅରକୁ ରାଜପ୍ରସାଦ ବିଜେ ପରେ ଆଜି ଖଡ଼ିପ୍ରସାଦ ବିଜେ ପୂର୍ବକ ମହାପ୍ରଭୁଙ୍କୁ ସୁସ୍ଥତା ସମ୍ପର୍କରେ ସେବାୟତମାନେ ଗଜପତିଙ୍କୁ ଅବଗତ କରାଇଛନ୍ତି। ଏହାସହ ରଥଯାତ୍ରା ପ୍ରସ୍ତୁତି ଉପରେ ଗଜପତିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଅବସରରେ ଗଜପତି ମହାରାଜଙ୍କ ତରଫରୁ ଶୋଭଯାତ୍ରାରେ ଯାଇଥିବା ସେବକଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଯାଇଥିଲା। ଅନ୍ୟପଟେ ଆଜିଠାରୁ ମହାପ୍ରଭୁଙ୍କ ସବୁଠୁ ବଡ଼ ବନକଲାଗି ଆରମ୍ଭ ହୋଇଛି। ଦୁଇଦିନ ଧରି ବନକଲାଗି ଚାଲିବା ପରେ ଆସନ୍ତା ୨୯ ତାରିଖରେ ଶ୍ରୀଜିଉ ନବଯୌବନ ବେଶରେ ଦର୍ଶନ ଦେବେ।

ସ୍ନାନବେଦୀରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ବର ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଗୋପନ ସେବା ଚାଲିଛି। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସମ୍ପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଗତକାଲି ଅସୁସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ଶୁଶୋଭିତ ପାଇଁ ଶ୍ରୀମନ୍ଦିରକୁ ଖଳି(ଦିବ୍ୟ ପ୍ରଲେପ) ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ବିଜେ କରିବା ପରେ ଏହା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା। ଖଳି ଲାଗି ପରେ ମହାପ୍ରଭୁଙ୍କ ଶରୀର ମହାବଜ୍ର ପାଲଟିଛି।

ପରମ୍ପରା ମୁତାବକ, ଘଣାଲାଗି ନୀତିରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ବାସୁଙ୍ଗାପାଟ ଲାଗି କରାଯାଇଥିଲା। ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହୋଇଛି। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଗତକାଲି ସଂଧ୍ୟାରେ ଖଡ଼ିପ୍ରସାଦ ବିଜେ ହୋଇ ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡି ପ୍ରସାଦ ଲାଗି ହୋଇଥିଲା। ଖଡ଼ିଲାଗି ପରେ ଦତ୍ତ ମହାପାତ୍ରଙ୍କ ସହ ଦଇତାପତି, ପତିମହାପାତ୍ର ସେବକ ଆଜି ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିଥିଲେ। ଗତକାଲି ବିଳମ୍ୱିତ ରାତିରେ ବଡ଼ଦେଉଳକୁ ଖଡ଼ି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ପ୍ରଥମ ପର୍ଯ୍ୟାୟରେ ଦତ୍ତ ମହାପାତ୍ର ଖଡି ଲେପ ଦେଇଥିଲେ। ଶ୍ରୀମୁଖ ଶୃଙ୍ଗାର ସେବାର ପ୍ରଥମ ପ୍ରଲେପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଖଡି ପ୍ରସାଦକୁ ସେବକମାନେ ଶ୍ରୀନଅରରେ ଗଜପତି ମହାରାଜାଙ୍କୁ ଅର୍ପଣ କରିଛନ୍ତି। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦି ସାମଗ୍ରୀର ମିଶ୍ରଣକୁ ଲାଗି କରାଯାଉଛି। ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ। ଆଜି ଓ ଆସନ୍ତାକାଲି, ଦୁଇଦିନ ଧରି ବନକଲାଗି ନୀତି ଚାଲିବ। ପରେ ଶ୍ରୀବିଗ୍ରହମାନେ ନବଯୌବନ ପ୍ରାପ୍ତି ହେବା ସହ ଭକ୍ତଙ୍କୁ ‌ନ‌ବଯୌବନ ବେଶରେ ଦର୍ଶନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe