ଖଲଣା ଗୁଳିକାଣ୍ଡ, ତଦନ୍ତ ଆଳରେ ଚାପିଦେଲେ, ୪ଟି ଟିମ୍‌ ଗଠନ କଲେ, କାହାରିକୁ ବାନ୍ଧିଲେନି

Advertisment

ଏସ୍‌ପି ଅଫିସ ଘେରିବୁ : ମୃତକଙ୍କ ଭାଇ

ଏସ୍‌ପି ଅଫିସ ଘେରିବୁ : ମୃତକଙ୍କ ଭାଇ

ଖଲଣା ଗୁଳିକାଣ୍ଡ, ତଦନ୍ତ ଆଳରେ ଚାପିଦେଲେ, ୪ଟି ଟିମ୍‌ ଗଠନ କଲେ, କାହାରିକୁ ବାନ୍ଧିଲେନି

Argus News

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାକୁ ୧୦ ଦିନ ପୂରିଛି। ଘଟଣା ପଛରେ ବହୁ ପ୍ରଭାଶାଳୀ ଲୋକଙ୍କ ସମ୍ପୃକ୍ତି ରହିଥିବାରୁ ପୁଲିସ ତଦନ୍ତ ଆଳରେ ମାମଲା ଚାପି ଦେବାପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଗୁଳିକାଣ୍ଡ ପରେ ପ୍ରଥମେ ତଦନ୍ତ କାର୍ଯ୍ୟରେ ପୁଲିସ ପକ୍ଷରୁ ଯେଭଳି ତତ୍ପରତା ଦେଖିବାକୁ ମିଳିଥିଲା ଏବେ ତାହା ଆଉ ନାହିଁ କହି‌ଲେ ଚଳେ। ଅନ୍ୟପକ୍ଷରେ ଏହି ଘଟଣା‌ରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବନେତାଙ୍କୁ ବାରମ୍ବାର ଥାନାରେ ଅଟକ ରଖି ପରେ ଛାଡ଼ିଦେବା ଏବଂ ୪ଟି ଟିମ୍‌ ଗଠନ ପରେ ବି ଘଟଣାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ‌ଘୋ‌ଷର ଟେର୍‌ ନ ପାଇବା ସମସ୍ତଙ୍କୁ ବିସ୍ମିତ କରୁଛି।

ଜୁଲାଇ ୧୪ ତାରିଖ ଅପରାହ୍‌ଣରେ ଖଲଣା ଗ୍ରାମର ଯୁବ ସମାଜସେବୀ ସୁନନ୍ଦ ସେଠୀ ଓ ଚନ୍ଦନ ବେହେରା ବାଇକ୍‌ରେ ସାଇଁକୁଳରୁ ଫେରୁଥିବା ବେଳେ ରାସ୍ତାରେ କିଛି ଯୁବକ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଚନ୍ଦନ ଗୁରୁତର ହୋଇଥିବା ବେଳେ ସୁନନ୍ଦଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପଞ୍ଚାୟତ ନିର୍ବାଚନର ଫଳାଫଳ ଆସିବା ପରେ ଗ୍ରାମରେ ଲାଗି ରହିଥିବା ଛକାପଞ୍ଝା ଏହା ପଛର ମୂଳ କାରଣ। ରାଜନୈତିକ ଶତ୍ରୁତାରୁ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଇଙ୍ଗିତରେ ଏହି ହତ୍ୟାକାଣ୍ଡ ଘଟିଥିବା ମୃତ ସୁନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଆକ୍ସନ ମୋଡ୍‌କୁ ଆସିଥିଲା କେନ୍ଦୁଝର ପୁଲିସ।

ଏହା ଏକ ସ‌ମ୍ବେଦନଶୀଳ ମାମଲା ହୋଇଥିବାରୁ ରାମଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ବର୍ତ୍ତମାନର କୌଣସି ଅଧିକାରୀଙ୍କ ଉପରେ ଭରସା କରିପାରି ନଥିଲେ ଏସ୍‌ପି ମିତ୍ରଭାନୁ ମହାପାତ୍ର। ଏହି ଥାନାରେ ପୂର୍ବରୁ କାମ କରିଥିବା କିଛି ଅଭିଜ୍ଞ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ। ଏସ୍‌ପି ଶ୍ରୀ ମହାପାତ୍ର ଘଟଣାର ପରଦିନ ଖଲଣା ଗାଁକୁ ଆସି ସ୍ଥିତି ପରଖିଥିଲେ। ପ୍ରଥମେ ପ୍ରଥମେ ପୁଲିସ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ଉ କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ବିଜେଡି ଯୁବନେତାଙ୍କ (ବର୍ତ୍ତମାନ ସରପଞ୍ଚ) ସମେତ ଅନେକ ଲୋକଙ୍କୁ ପୁଲିସ ବାରମ୍ବାର ଥାନାକୁ ଆଣି ଅଟକ ରଖିବା ସହ ପଚରାଉଚରା କରିଥିଲା। ଏପରିକି ବିଧାୟକଙ୍କ ପୁଅ ଦେବାଶିଷ ମଧ୍ୟ ପୁଲିସ ସ୍କାନର୍‌ରେ ଥିବାରୁ ତାଙ୍କୁ ମଧ୍ୟ ପୁଲିସ କେତେବେଳେ ବି ଥାନାକୁ ଡାକିପାରେ ବୋଲି ଆଶଙ୍କା କରାଯାଉଥିଲା। ହେଲେ ସେମିତି କିଛି ବି ହେଲାନି।

ଆଜି ସୁନନ୍ଦଙ୍କ ଦଶାହ କାର୍ଯ୍ୟ ଖଲଣା ଗ୍ରାମରେ ସମ୍ପନ୍ନ ହୋଇଛି। ତଦନ୍ତ ପ୍ରକ୍ରିୟାକୁ ନେଇ ପୁଲିସ ଉପରୁ ପରିବାର ଲୋକଙ୍କ ଭରସା ତୁଟି ଯାଇଛି। ଏ ସମ୍ପର୍କରେ ସୁନନ୍ଦଙ୍କ ଭାଇ ମନ୍ମଥ ସେଠୀ କହିଛନ୍ତି, ପୂର୍ବରୁ ଥରେ ଅଭିଯୁକ୍ତମାନଙ୍କ ସହ ତାଙ୍କ ପରିବାରର ଝଗଡ଼ା ହୋଇଥିଲା। ଅଭିଯୁକ୍ତମାନେ ଭୁଲ ମାଗିଥିଲେ। କିନ୍ତୁ କହିଥିଲେ, ‘ଆମ ନେତା କହିଛନ୍ତି ସେମାନଙ୍କୁ ମାରିକି ଆସିଲେ ପାଖକୁ ଆସିବ। ନଚେତ ଆସିବନି’। ଅଭିଯୁକ୍ତଙ୍କ କଥା ବିଶ୍ବାସ ହେଉ ନଥିଲା। ଆମେ ମିଳିମିଶି ଚଳୁଥିଲୁ। କିନ୍ତୁ ସେମାନେ ଯାହା କହୁଥିଲେ ତାହା ପ୍ରମାଣ କରିଦେଲେ ‌ବୋଲି ମନ୍ମଥ କହିଛନ୍ତି। ସେହିପରି ଅଭିଯୁକ୍ତମାନେ ସୁପାରିକିଲର୍‌ ନୁହନ୍ତି କି ବାହାରୁ ଆସିନାହାନ୍ତି। ସମସ୍ତେ ଗାଁ ଲୋକ। ସେମାନଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଛି। ପୁଲିସ ସେମାନଙ୍କୁ ଧରିପାରୁନି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନଗଲେ ଏସ୍‌ପି ‌ଅଫିସ ଘେରାଉ କରାଯିବ ବୋଲି ମନ୍ମଥ କହିଛନ୍ତି।

ଅନ୍ୟପକ୍ଷରେ ତଦନ୍ତ ସମ୍ପର୍କରେ ପୁଲିସ ମୁହଁ ‌ଖୋଲୁ ନଥିବା ବେଳେ ଏଥିପାଇଁ ୪ଟି ଟିମ୍‌ ଗଠନ କରାଯାଇଥିବା ଶୁଣିବାକୁ ମିଳୁଛି। ଏସବୁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଏହାଛଡ଼ା ଘଟଣାରେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୁକ୍ତ ଏବଂ ଏହା ପଛର ମାଷ୍ଟରମାଇଣ୍ଡମାନଙ୍କ ମୋବାଇଲ ଟ୍ରାକିଂ କରାଯାଉଥିବା ମଧ୍ୟ କୁହାଯାଉଛି। ଏପରିକି କିଛି ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ପୁଲିସ ସଂଗ୍ରହ କରିଥିବା ଶୁଣିବାକୁ ମିଳୁଛି। ଏତେ ସବୁ ପରେ ବି ପୁଲିସକୁ ସେଭଳି କିଛି ସଫଳତା ମିଳିନି। ଘଟଣା ପଛର ଷଡ଼୍‌ଯନ୍ତ୍ରକାରୀମାନେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କୁ ଖସାଇବା ପାଇଁ ପୁଲିସ ତଦନ୍ତ ଆଳରେ ଦିନ ଗଡ଼ାଉଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe