ଖଲ୍ଲିକୋଟରେ ବାହୁତି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଲା ପୁଲିସ୍, ଶ୍ରଦ୍ଧାଳୁଙ୍କୁ ତାଗିଦ୍ କରିବା ସହ ଖାଦ୍ୟ ଜବତ କଲା

ଖଲ୍ଲିକୋଟରେ ବାହୁତି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଲା ପୁଲିସ୍, ଶ୍ରଦ୍ଧାଳୁଙ୍କୁ ତାଗିଦ୍ କରିବା ସହ ଖାଦ୍ୟ ଜବତ କଲା

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚାଇଛି କରୋନା। ସଂକ୍ରମିତଙ୍କ ସାଙ୍ଗକୁ ମୃତ୍ୟୁହାର ବି ବଢ଼ିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇସାରିଲାଣି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ପ୍ରଶାସନ ବାରମ୍ବାର ସଚେତନ କରିବା ସାଙ୍ଗକୁ ମନ୍ଦିର ଖୋଲିବା ଓ ଅନ୍ୟାନ୍ୟ ମାଙ୍ଗଳିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ତଥାପି ଅମାନିଆମାନେ ଚେତୁନାହାନ୍ତି। ଗତ ୨ ଦିନ ତଳେ ପୋଲସରା ବ୍ଲକ୍ ‌ଜା.ଡେଙ୍ଗାପଦର ଗ୍ରାମର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଓ ଶତାଧିକ ଶ୍ରଦ୍ଧାଳଙ୍କୁ ସମାଗମ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ପ୍ରଶାସନ କାର୍ଯ୍ୟନୁଷ୍ଠାନ ଗ୍ରହଣପୂର୍ବକ ଆୟୋଜକ ନାଏବ ସରପଞ୍ଚଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା। ତେବେ ପୁଣି ଜିଲ୍ଲାରେ କୁକୁଡ଼ାଖଣ୍ଡି ଓ ଖଲ୍ଲିକୋଟ ବ୍ଲକ୍‌ରୁ ଅନୁରୂପ ୨ଟି ଘଟଣା ସାମ୍ନାକୁ ଆସିଛି।
କୁକୁଡ଼ାଖଣ୍ଡି ବ୍ଲକ୍‌ ହୁଗୁଳାପଟା ଗ୍ରାମରେ ବାହାଘର ଭୋଜି ଚାଲିଥିବା ବେଳେ ପ୍ରଶାସନ ଚଢ଼ଉ କରି ଏହାକୁ ବନ୍ଦ କରିବା ସହ ରନ୍ଧାଖାଦ୍ୟଙ୍କୁ ଗରିବଙ୍କୁ ଦିଆଯାଇଛି। ଗ୍ରାମର ଝଡ଼ିଆ ସାହୁ ତାଙ୍କ ପୁଅ ମହେଶ୍ୱରଙ୍କ ବାହାଘରରେ ପ୍ରାୟ ୫୦୦ ‌ଲୋକଙ୍କ ପାଇଁ ଗୌଡ଼ସାହିରେ ଭୋଜିର ଆୟୋଜନ କରିଥିଲେ। ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ରହିଥିବା ବେଳେେ କୁକୁଡ଼ାଖଣ୍ଡି ତହସିଲଦାର ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପହଞ୍ଚି ପ୍ରସ୍ତୁତ ସମସ୍ତ ରନ୍ଧାଖାଦ୍ୟ ଜବତ କରିବା ସହ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ I ଜବତ ରନ୍ଧାଖାଦ୍ୟକୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଗରିବ ଲୋକଙ୍କୁ ବାଣ୍ଟି ଦିଆଯାଇଥିଲା। ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଡ଼େଙ୍ଗାପଦର ପଞ୍ଚାୟତ ନାରାୟଣପୁର ଗ୍ରାମରେ ବାବୁଲା ଜେନାଙ୍କ ବାପାଙ୍କ ଏକାଦଶାହ ଭୋଜି ଚାଲିଥିବା ବେଳେେ ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତି ଚଢ଼ଉ କରି ଖାଦ୍ୟ ସାମଗ୍ରୀ ଜବତ କରିବା ସହ ଜରିମାନା ଆଦାୟ କରିଥିଲେ I

publive-imageଅନ୍ୟପକ୍ଷରେ ଖଲ୍ଲିକୋଟ ବ୍ଲକ୍ ଅଧୀନ ବାକୁଟୁଗାଁ ପଞ୍ଚାୟତର ପାରିନୂଆଗାଁ ପଙ୍ଗିସାହିରେ ଥିବା ବାହୁତି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସାମୂହିକ ପ୍ରସାଦସେବନ ଲାଗି ବ୍ୟଞ୍ଜନ ପ୍ରସ୍ତୁତ ହେଉଥିଲା। ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଅତିରିକ୍ତ ତହସିଲଦାର ଓ ଭେଜିପୁଟ ଫାଣ୍ଡି ଅଧିକାରୀ ସୁନୀଲ କୁମାର ପ୍ରଧାନ ସଦଳବଳ ଚଢ଼ଉ କରି ସମସ୍ତ ସାମଗ୍ରୀ ଜବତ କରିବା ସହ ସମାଗମ ଶ୍ରଦ୍ଧାଳୁଙ୍କୁ ଯିବାକୁ ତାଗିଦ୍ କରିଥିଲେ। ତେବେ ଏହି ପିଲାଳିଆମି ଭବିଷ୍ୟତରେ ବଡ଼ ବିପତ୍ତି ଆଣିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe