ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର: ପୁରୀ ପରେ ଦ୍ବିତୀୟ ଉଚ୍ଚତମ

Advertisment

ମନ୍ଦିରର ଉଚ୍ଚତା ୧୦୮ ଫୁଟ

ମନ୍ଦିରର ଉଚ୍ଚତା ୧୦୮ ଫୁଟ

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର: ପୁରୀ ପରେ ଦ୍ବିତୀୟ ଉଚ୍ଚତମ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ମଧ୍ୟ ଭାଗରେ ରାଜବଂଶର ଗୌରବ ଗାଥା ବହନ କରୁଛି ପୁରାତନ ଜଗନ୍ନାଥ ମନ୍ଦିର। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରେ ରାଜ୍ୟର ଦ୍ବିତୀୟ ଉଚ୍ଚତମ ମନ୍ଦିର ଭାବେ ଏହା ପରିଗଣିତ ହୋଇଥାଏ। ଐତିହାସିକଙ୍କ ମତରେ ପ୍ରଥମେ ଦାରୁ ନିର୍ମିତ ଚତୁର୍ଦ୍ଧା ବିଗ୍ରହ ଏକ ମୁକ୍ତାକାଶ ମଣ୍ଡପରେ ପୂଜା ପାଉଥିଲେ। ଏହାପରେ ଖଲ୍ଲିକୋଟ ରାଜା ଜଗନ୍ନାଥ ମର୍ଦ୍ଦରାଜ ୧୭୩୦ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୮୬୮ ମସିହାରେ ଜଗନ୍ନାଥ ମର୍ଦ୍ଦରାଜ ଦ୍ବିତୀୟଙ୍କ ସମୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ‌ହୋଇଥିଲା। ନିକଟସ୍ଥ ଫାସୁଳା ଗ୍ରାମର ପଥର ଶିଳ୍ପୀମାନେ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ତେବେ ମନ୍ଦିର ନିର୍ମାଣ ଶେଷ ହୋଇ ବିଗ୍ରହ ସ୍ଥାପନ ହୋଇଥିଲେ ମଧ୍ୟ ମନ୍ଦିରର ମୁଖଶାଳା ନଥିଲା। ରାଜା ହରିହର ମର୍ଦ୍ଦରାଜଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରାଣୀ କନକମଞ୍ଜରୀଙ୍କ ଉଦ୍ୟମ କ୍ରମେ ୧୯୦୯ ମସିହାରେ ମନ୍ଦିର ଚାରିପଟେ ପାଚେରି ଓ ମୁଖଶାଳା ତଥା ସିଂହଦ୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୩୧ରେ ସମାପ୍ତ ହୋଇଥିଲା।

ଦଶାବତାର ମୂର୍ତ୍ତିର ଗଠନ ପ୍ରଣାଳୀ ମନୋମୁଗ୍ଧକର
ତିନି ରଥରେ ବିରାଜିତ ହୁଅନ୍ତି ଚତୁର୍ଦ୍ଧା ବିଗ୍ରହ

ଆକର୍ଷଣୀୟ ସ୍ଥପତି ଓ କାରୁକାର୍ଯ୍ୟରେ ପୂର୍ଣ୍ଣ ତଥା ସହରର ଏକ ଏକର ୩୬୨ ଡେସିମିଲ୍ ଜମିରେ ଅବସ୍ଥିତ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ ୧୦୮ ଫୁଟ। ମନ୍ଦିରର ପୂର୍ବ ଦିଗରୁ ୭୬ ଫୁଟ ଓ ଅନ୍ୟ ତିନିପାର୍ଶ୍ବରେ ୬୫ ଫୁଟ ବ୍ୟବଧାନରେ ବିରାଟ ପାଚେରି ରହିଛି। ପୀଠ ଓ ମୁଖଶାଳା ମଧ୍ୟରେ ବାଇଶି ପାହାଚ ରହିଥିବା ବେଳେ ଗୋଟିଏ ପଥର ଖଣ୍ଡ ସହ ଅନ୍ୟ ଏକ ଖଣ୍ଡକୁ ଯୋଡ଼ି ଏହି ମନ୍ଦିରକୁ ନିର୍ମାଣ କରାଯାଇଛି। ଆବଶ୍ୟକସ୍ଥଳେ ବିଭିନ୍ନ ସ୍ଥାନରେ ଲୁହା ଦେଇ ପଥରକୁ ସଂଯୋଗ କରାଯାଇଛି। ମନ୍ଦିର ପାର୍ଶ୍ବରେ ମଧ୍ୟ ବିଭିନ୍ନ ଦେବଦେବୀଙ୍କ ମନ୍ଦିର ରହିଛି। ବିଶେଷକରି ମନ୍ଦିର ବାହାର ପାର୍ଶ୍ବରେ ସ୍ଥାପିତ ଦଶ ଅବତାର ମୂର୍ତ୍ତିଗୁଡ଼ିକର ଗଠନ ପ୍ରଣାଳୀ ଅତ୍ୟନ୍ତ ମନୋମୁଗ୍ଧକର। ସେହିପରି ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ରରେ ଉଡ଼ୁଥିବା ବାନାର ନାମ ପତିତପାବନ ବାନା ରଖାଯାଇଛି। ରତ୍ନ ସିଂହାସନରେ ତିନି ଠାକୁର ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି।

ପୁରୀ ଭଳି ଏଠାରେ ମଧ୍ୟ ତିନି ରଥ ନିର୍ମାଣ କରାଯାଇଥାଏ। ନଅଦିନବ୍ୟାପୀ ରଥଯାତ୍ରା ହେଉଥିବା ବେଳେ ଏକାଦଶୀରେ ସିଂହଦ୍ବାରରେ ଶ୍ରୀଜିଉଙ୍କ ସୁନାବେଶ ହୋଇଥାଏ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଶ୍ରୀକୁମାର ରଥ କହିଛନ୍ତି, ଚଳିତବର୍ଷ ରଥଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟିର ବୈଠକ ଏବଂ ସେବାୟତ ଓ ପୂଜକଙ୍କ ବୈଠକ ସରିଛି। ଯାତ୍ରା ପାଇଁ କିଛି ସରକାରୀ ଅନୁଦାନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି। ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଐତିହାସିକ ଛାପ ରହିଛି। ତଥାପି ଏହି ମନ୍ଦିର ସରକାରଙ୍କ ଦୃଷ୍ଟି ଆଢ଼ୁଆ‌ଳରେ ରହିଯାଇଛି। ବର୍ତ୍ତମାନ ମନ୍ଦିରରୁ ପାଣି ଝରୁଛି। ଏଣୁ ଦେବୋତ୍ତର ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe