ଖଣ୍ଡପଡ଼ା ମହୋତ୍ସବ ଉଦ୍‌ଯାପିତ : ‘କଳାକାର ପାଇଁ ସୁଯୋଗ ସୃଷ୍ଟି କରେ ମହୋତ୍ସବ’

Advertisment
ଖଣ୍ଡପଡ଼ା ମହୋତ୍ସବ ଉଦ୍‌ଯାପିତ : ‘କଳାକାର ପାଇଁ ସୁଯୋଗ ସୃଷ୍ଟି କରେ ମହୋତ୍ସବ’

ଖଣ୍ଡପଡ଼ା : ଖଣ୍ଡପଡ଼ା କଳା ବିକାଶ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ମଧୁବନ ପଡ଼ିଆଠାରେ ଗତ ୪ ଦିନ ଧରି ଅନୁଷ୍ଠିତ ଖଣ୍ଡପଡ଼ା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ ସମ୍ପାଦକ ତଥା ସ୍ଥାନୀୟ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷି, ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଲେ ଯେ ମହୋତ୍ସବ କଳାକାର ପାଇଁ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବା ସହ କଳାକାରକୁ ସ୍ୱାବଲମ୍ବୀ ହେବା ଦିଗରେ ସହାୟକ ହୋଇଥାଏ। ଅନ୍ୟପଟେ ମହୋତ୍ସବ ପାଇଁ ଆୟୋଜକଙ୍କ ଅବଦାନ ଯେତିକି ଏଥିରେ ଯୋଗଦାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସେତିକି ଅବଦାନ ରହିଥିବା ସେ କହିଥିଲେ।

ମହୋତ୍ସବକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାକୁ ସଭାରେ ଆହ୍ବାନ ଦିଆଯାଇଥିଲା। ସମ୍ମାନିତ ଅତିଥି ଭାବେ ଓର୍‌ମାସର ସହ ନିର୍ଦ୍ଦେଶକ ନଟବର ସ୍ୱାଇଁ ଯୋଗ ଦେଇ ଅଗାମୀ ଦିନରେ ଅଧିକ ଷ୍ଟଲ୍‌ କିପରି ଖଣ୍ଡପଡାକୁ ଆସିପାରିବ ସେ ନେଇ ପ୍ରୟାସ କରିବେ ବୋଲି ମତଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସଞ୍ଜୟ କୁମାର ପାତ୍ର କୁନିଝିଅ ରୂପାଲି ସାହୁଙ୍କ ମଞ୍ଚ ସଂଯୋଜନାକୁ ପ୍ରଶଂସା କରିବା ସହ ଯୁବପିଢି ନିଜର ଅନ୍ତର୍ନିହିତ ପ୍ରତିଭାକୁ ଆବିଷ୍କାର କରିବା କଥା କହିଥିଲେ।

ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ନୟାଗଡ଼ ଜିଲ୍ଲାକୁ କୃଷିରେ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ପାଇଁ ଉଦ୍ୟମ ହେବା ଜରୁରୀ। ଏ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ମହୋତ୍ସବକୁ ପୁରପଲ୍ଲୀରେ ଅଧିକ ପରିଚିତ କରାଇବା ନିମନ୍ତେ ଶ୍ରୀ ପଟ୍ଟନାୟକ ଆୟୋଜକ କମିଟି ଓ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। ଆବାହକ ଦୀନବନ୍ଧୁ ଦାସ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ମଞ୍ଚ ପରିଚାଳନା ପାଇଁ ରୂପାଲି ସାହୁ, ମୋନାଲି ସାହୁ, ଆଧ୍ୟାତ୍ମିକ କ୍ଷେତ୍ରରେ ବୈକୁଣ୍ଠ ନାଥ ଗୋଛି, ଆଇଟିଆଇ ଖଣ୍ଡପଡା ପାଇଁ କୃତିବାସ ସ୍ୱାଇଁ, ଯୁବ ଶିଳ୍ପ ଉଦ୍ୟୋଗୀ ଭାବେ ଭୋଳନାଥ ମହାନ୍ତି, ସମାଜସେବା କ୍ଷେତ୍ରରେ ମାଧବଚନ୍ଦ୍ର ସାମନ୍ତରାୟ ଏବଂ ସାମ୍ବାଦିକତା ପାଇଁ ଜୟକୃଷ୍ଣ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ଦଣ୍ଡନୃତ୍ୟ, ପାଇକଆଖଡ଼ା, ପଶୁନୃତ୍ୟ, ଓଡିଶୀ ନୃତ୍ୟ ସହ ଭଜନ ସନ୍ଧ୍ୟା ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe