ଖପ୍ରାଖୋଲ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଅଡ଼ୁଆ ବଢ଼ିଲା, ସମିତି ସଭ୍ୟ ପଦରେ ଅଦାଲତଙ୍କ ରହିତାଦେଶ

ଖପ୍ରାଖୋଲ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଅଡ଼ୁଆ ବଢ଼ିଲା, ସମିତି ସଭ୍ୟ ପଦରେ ଅଦାଲତଙ୍କ ରହିତାଦେଶ

ପାଟଣାଗଡ଼ : ସଦ୍ୟ ନିର୍ବାଚିତ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅଧ୍ୟକ୍ଷା ନିରୁପମା ପଟେଲଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତାଙ୍କ ସମିତି ସଭ୍ୟ ପଦ ଉପରେ ଅଦାଲତ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଜାରି କରିଛନ୍ତି। ଭୋଟ ଗ୍ରହଣ ବେଳେ ତାଙ୍କ ଏଜେଣ୍ଟ ବେଆଇନ କାମ କରିଥିବା ବିଷୟରେ ଅଦାଲତରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ନିରୁପମା ପଟେଲ ଓ ନମିତା ଭୋଇ ନିର୍ବାଚନ ଲଢୁଥିଲେ। ଭୋଟ ଗ୍ରହଣ ଦିନ ନିରୁପମାଙ୍କ ଏଜେଣ୍ଟ ବେଆଇନ ଭାବେ ବାଲଟପେପରରେ ଷ୍ଟାମ୍ପ ବଦଳରେ ଅଙ୍ଗୁଳି ଚିହ୍ନ ପକାଇବାକୁ କହୁଥିବା ନେଇ ନମିତାଙ୍କ ଏଜେଣ୍ଟ ପ୍ରତିବାଦ କରିଥିଲେ। ଏହା ପରେ ଭୋଟ ଗଣତି ସମୟରେ ମଧ୍ୟ ଏଜେଣ୍ଟ ପ୍ରତିବାଦ କରିଥିଲେ। ଭୋଟ ଗଣତିରେ ଉପସ୍ଥିତ ଅଧିକାରୀ ମନା କରିବା ସହିତ ବିଡିଓଙ୍କୁ ଜଣାଇବାରୁ ସେ ମଧ୍ୟ ଅଭିଯୋଗକୁ ଅଗ୍ରାହ୍ୟ କରିଥିଲେ। ଗଣତି ପରେ ୧୧ଟି ଭୋଟ ବ୍ୟବଧାନରେ ନିରୁପମାଙ୍କୁ ବିଜୟୀ ଘୋଷଣା କରା ଯାଇଥିଲା।

ଅଭିଯୋଗ ଓ ପ୍ରତିବାଦକୁ କେହି ନଶୁଣିବାରୁ ନମିତା ପାଟଣାଗଡ଼ ସିଭିଲ ଜଜ୍ ସିନିଅର ଡିଭିଜନ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ପିଟିସନରେ ସେ ଧଣ୍ଡାମୁଣ୍ଡା ସମିତି ସଭ୍ୟ ଭୋଟ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା, ପୁନର୍ବାର ଗଣତି କରିବା ଓ ରହିତାଦେଶ ନେଇ ଗତ ୮ତାରିଖରେ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆସନ୍ତା ୨୯ ତାରିଖ ଦିନ ଖପ୍ରାଖୋଲ ବିଡିଓ ଏବଂ ନିରୁପମାଙ୍କୁ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନିରୁପମା ବ୍ଲକ୍‌ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ କାର୍ଯ୍ୟଭାର ମଧ୍ୟ ନେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe