ଖରିଆର୍‌ ରୋଡ୍‌ ଏନ୍‌ଏସି ଅଫିସ୍‌ରେ ହଟ୍ଟଗୋଳ, ସିସିଟିଭି ଫୁଟେଜ୍‌ ଭାଇରାଲ

ଖରିଆର୍‌ ରୋଡ୍‌ ଏନ୍‌ଏସିରେ ନୋ ଅବଜେକ୍ସନ ସାଟିର୍ଫିକେଟ(ଏନ୍‌ଓସି) ପାଇଁ ହଟ୍ଟଗୋଳ ହୋଇଛି। ଏନ୍‌ଓସି ପାଇଁ ସତନାମୀ, ମୁସଲିମ, ଅହୀର, କେଶରୱାନୀ ସମାଜର ପ୍ରତିନିଧି ଇଓଙ୍କ ଅଫିସ୍‌ରେ ହୋହାଲ୍ଲା କରିଥିଲେ। ଏହାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

69cf542a-275c-4b9e-a3c4-10c0f172fd59

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ଏନ୍‌ଏସିରେ ନୋ ଅବଜେକ୍ସନ ସାଟିର୍ଫିକେଟ(ଏନ୍‌ଓସି) ପାଇଁ ହଟ୍ଟଗୋଳ ହୋଇଛି। ଏନ୍‌ଓସି ପାଇଁ ସତନାମୀ, ମୁସଲିମ, ଅହୀର, କେଶରୱାନୀ ସମାଜର ପ୍ରତିନିଧି ଇଓଙ୍କ ଅଫିସ୍‌ରେ ହୋହାଲ୍ଲା କରିଥିଲେ। ଏହାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଗତ ଦିନରେ ଆଇଡିଏଫ୍‌ ପାଣ୍ଠିରୁ ଖରିଆର୍‌ରୋଡ୍‌ ସହରର ସତନାମୀ, ମୁସଲିମ, ଅହୀର, କେଶରୱାନୀ ସମାଜ ଭବନ ନିର୍ମାଣ ପାଇଁ ଅନୁଦାନ ମିଳିଥିଲା। ଏବେ କିଛି ଭବନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି ନିର୍ମାଣାଧୀନ ରହିଛି। କିନ୍ତୁ ବର୍ତ୍ତମାନ ପାଣ୍ଠି ନେଇ ଆପତ୍ତି ଅଭିଯୋଗ କରିଥିବାରୁ ଭବନ ନିର୍ମାଣ ଅର୍ଥ ସମ୍ପୃକ୍ତ ସମାଜକୁ ମିଳୁ ନାହିଁ। ଏଥିପାଇଁ ବିଭିନ୍ନ ସମାଜର କର୍ମକର୍ତ୍ତା ବାରମ୍ବାର ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ଲାଭ ହୋଇନଥିଲା। ତେଣୁ ମଧ୍ୟାହ୍ନରେ ସତନାମୀ, ମୁସଲିମ, ଅହୀର, କେଶରୱାନୀ ସମାଜର କର୍ମକର୍ତ୍ତା ଏନ୍‌ଓସି ପାଇଁ ଏନ୍‌ଏସି ଅଫିସ୍‌କୁ ଯାଇଥିଲେ। ସେଠାରେ ସମାଜର କାର୍ଯ୍ୟକର୍ତ୍ତା ଓ ଏନ୍‌ଏସି ଇଓ କମଲସନ ରଥଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ସମାଜର କର୍ମକର୍ତ୍ତା ନୂଆପଡ଼ା ବିଧାୟକଙ୍କ ପୁଅ ଜୟ ଢୋଲକିଆ ଓ ଏନ୍‌ଏସି ଉପାଧ୍ୟକ୍ଷ ନିଶାନ୍ତ ଡାଗାଙ୍କୁ ଆଲୋଚନା ପାଇଁ ଡାକି ଥିଲେ। ସେଠି ଏନ୍‌ଏସି ଇଓଙ୍କ ସହ ଆଲୋଚନା ଚାଲିଥିବା ବେଳେ ଜଣେ କାଉନସିଲର ହଠାତ୍ ଉତ୍ତ୍ୟକ୍ତ ହୋଇ ଇଓଙ୍କ ଟେବୁଲ ଉପରେ ମୁଥ ମାରିବା ସହ ଚୌକି ଉଠାଇ ଫିଙ୍ଗିବାକୁ ଉଦ୍ୟମ କରିଥିଲେ।

 ଏହି ସମୟରେ ଉପାଧ୍ୟକ୍ଷ ଶ୍ରୀ ଡାଗା ସମ୍ପୃକ୍ତ କାଉନସିଲରଙ୍କୁ ଠେଲି ବାହାର କରି ଦେଇଥିଲେ। ଏହି ଖବର ପାଇ ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ ପହ‌ଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ବାହାର କରିଥିଲେ। ତେବେ ଏନେଇ ସନ୍ଧ୍ୟାରେ ଏନ୍‌ଏସି ଇଓ ଶ୍ରୀ ରଥ ଜୋଙ୍କ ଥାନାରେ ଜଣେ କାଉନସିଲରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ରାତି ୯ଟା ସୁଦ୍ଧା ଜୋଙ୍କ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀ କହିଛନ୍ତି। କୌଣସି ଦଳର କର୍ମୀ ଇଓଙ୍କ ସହ ଝଗଡ଼ା କରିନାହାନ୍ତି। ପାଣ୍ଠି ଅଛି କାମ ହୋଇଛି, କିନ୍ତୁ ସମ୍ପୃକ୍ତ ସମାଜକୁ ଅନୁଦାନ ମିଳୁନି। ମୁଁ ଓ ବିଜେଡିର ନେତାମାନେ ପହ‌ଞ୍ଚି ଝଗଡ଼ାର ସମାଧନ କରିଛୁ। ଏହାକୁ ରାଜନୀତୀକରଣ କରାନଯାଉ ବୋଲି ଉପାଧ୍ୟକ୍ଷ ଶ୍ରୀ ଡାଗା କହିଛନ୍ତି। ଏନେଇ ଏନଏସି ଇଓ ଶ୍ରୀ ରଥଙ୍କୁ ଯୋଗାଯୋଗ କରିବାରୁ ସମ୍ଭବ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe