ଗଞ୍ଜାମରେ ୧.୭୦ ଲକ୍ଷ ହେକ୍ଟର୍‌ରେ ଖରିଫ୍‌ ଚାଷ ଲକ୍ଷ୍ୟ

Advertisment

ବର୍ଷାକୁ ଅନେଇଛି ଚାଷୀ, ବିହନ ଆବଶ୍ୟକ ୪୮ ହଜାର କ୍ବିଣ୍ଟାଲ୍‌, ଆସିଛି ୨୫ ହଜାର କ୍ବିଣ୍ଟାଲ୍‌

ବର୍ଷାକୁ ଅନେଇଛି ଚାଷୀ, ବିହନ ଆବଶ୍ୟକ ୪୮ ହଜାର କ୍ବିଣ୍ଟାଲ୍‌, ଆସିଛି ୨୫ ହଜାର କ୍ବିଣ୍ଟାଲ୍‌

ଗଞ୍ଜାମରେ ୧.୭୦ ଲକ୍ଷ ହେକ୍ଟର୍‌ରେ ଖରିଫ୍‌ ଚାଷ ଲକ୍ଷ୍ୟ

Encyclopedia Britannica

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୨-୨୩ ଖରିଫ୍ ଚାଷ ପାଇଁ ଟାର୍ଗେଟ ଧାର୍ଯ୍ୟ କରି ସାରିଛି କୃଷି ବିଭାଗ। ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ଧାନ ଚାଷ ପାଇଁ ଗଞ୍ଜାମ ନିମନ୍ତେ ୪୮ହଜାର ୬ଶହ କ୍ବିଣ୍ଟାଲ୍‌ ବିହନ ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ୨୫ହଜାର ୯୮୯ କ୍ବିଣ୍ଟାଲ୍‌ ବିହନ ଆସିଛି। ସେଥିରୁ ବିଭିନ୍ନ ବ୍ଲକ୍‌ର ଚାଷୀ ମାତ୍ର ୧୧ହଜାର ୮୦୩ କ୍ବିଣ୍ଟାଲ୍‌ ବିହନ କ୍ରୟ କରିଥିବା ସୂଚନା ମିଳିଛି। ବର୍ଷା ନଥିବାରୁ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିପାରି ନାହାନ୍ତି। ରଜ ପରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଣୁ ଚାଷୀକୁଳ ବର୍ଷାକୁ ଅନେଇ ରହିଛନ୍ତି।

ସାଧାରଣତଃ ଅକ୍ଷୟ ତୃତୀୟା ଠାରୁ ଚାଷୀ ଚାଷକାର୍ଯ୍ୟ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଯାଇ ୧ମାସ ବିତି ସାରିଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୌସୁମି ବର୍ଷାର ଦେଖା ନାହିଁ। ଏଥିପାଇଁ ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିପାରୁ ନଥିବା ବେଳେ ଧାନ କ୍ଷେତ ଟାଙ୍ଗରା ଭୂଇଁ ପାଲଟିଛି। ଗଞ୍ଜାମ ଜିଲ୍ଲାରେ ଟିକିଏ ବିଳମ୍ବରେ ବର୍ଷା ଆସିଥାଏ। ଏଣୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଥିବା ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍‌ ମୋଟ ଚାଷ ଜମି ମଧ୍ୟରୁ ୩ଲକ୍ଷ ୨ହଜାର ୧୦୯ ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ରହିଛି।

ସେହିପରି ୧ଲକ୍ଷ ୬ହଜାର ୪୩୯ ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ନାହିଁ। ଧାନ ଚାଷ ହେଉଥିବା ଜମି ମଧ୍ୟରୁ ୧ଲକ୍ଷ ୫୯ହଜାର ୫୪୦ ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ରହିଥିବା ବେଳେ ୧୦ହଜାର ୭୮୮‌ ହେକ୍ଟର୍‌ ଜମିକୁ ଜଳସେଚନ ସୁବିଧା ନଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ଧାନ ଚାଷ ପରେ ବଳକା ରହୁଥିବା ଜମିରେ ଅଣଧାନ ଚ‌ାଷ ହୋଇଥାଏ। ଚଳିତ ବର୍ଷ ଚାଷୀଙ୍କ ମୋବାଇଲ୍‌କୁ ଯାଉଥିବା ଓଟିପି ଜରିଆରେ ଧାନ ବିହନ ଯୋଗାଇ ଦିଆଯାଉଛି। ଗତ ଖରିଫ୍‌ ଋତରେ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ଚାଷୀଙ୍କ ମୋବାଇଲ୍‌ ନମ୍ବରକୁ ଚଳିତ ବର୍ଷ ବିହନ କ୍ରୟ ପାଇଁ ଓଟିପି ପଠାଯାଉଛି। ସମ୍ପୃକ୍ତ ଓଟିପି ନମ୍ବର ଜରିଆରେ ଚାଷୀମାନେ ନିକଟସ୍ଥ ପ୍ରାଥମିକ ସେବା ସମବାୟ କେନ୍ଦ୍ରରୁ ବିହନ ସଂଗ୍ରହ କରୁଛନ୍ତି। ବର୍ତ୍ତମାନ ଜିଲ୍ଲାରେ ବିହନ କ୍ରୟ ପ୍ରକ୍ରିୟା ଧିମା ରହିଛି। ବର୍ତ୍ତମାନ ସୁଦ୍ଧା ୧୧ହଜାର ୮୦୩ କ୍ବିଣ୍ଟାଲ୍‌ ବିହନ ବିକ୍ରି ହୋଇଛି। ୫୦ ପ୍ରତିଶତ ସବ୍‌ସିଡିରେ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ମୌସୁମି ବର୍ଷା ଆରମ୍ଭ ହେଲେ ଚାଷୀ ବିହନ କିଣି ତଳି ପକାଇବା ଆରମ୍ଭ କରିବେ। କିନ୍ତୁ ବର୍ଷା ନଥିବାରୁ ଚାଷ କାମ ଆରମ୍ଭ ହୋଇପାରୁ ନାହିଁ।

ଜିଲ୍ଲାରେ ଧାନ ଚାଷ ବ୍ୟତୀତ ବିଭିନ୍ନ ପ୍ରକାର ପନିପରିବା, ଚିନାବାଦମ, ମୁଗ, ବିରି, ମକା, ଆଖୁ, ରାଜମା, କପା ଭଳି ଚାଷ ହୋଇଥାଏ। ଏହି ସମସ୍ତ ଚାଷ ପାଇଁ ଜିଲ୍ଲାରେ ଆବଶ୍ୟକ ପରିମାଣ ୟୁରିଆ ଏବଂ ଅନ୍ୟ ସାର ମଧ୍ୟ ଜିଲ୍ଲା କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଇଥାଏ। ଗଞ୍ଜାମ ଜିଲ୍ଲାରେ ଧାର୍ଯ୍ୟ ଟାର୍ଗେଟ ଠାରୁ ଅଧିକ ଧାନ ଅମଳ ହେଉଛି। ଏଣୁ ଧାନ ଚାଷୀଙ୍କୁ ଅଣଧାନ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଗତବର୍ଷ ୧ଲକ୍ଷ ୯୯ହଜାର ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe